ବିଜେପି ବିରୁଦ୍ଧରେ ମହାମେଣ୍ଟ ପାଇଁ ଆନ୍ଧ୍ର ମୂଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ଭୂମିକାକୁ ନେଇ ରାଜନୀତି ସରଗରମ….

ନୂଆଦିଲ୍ଲୀ(ସମୃଦ୍ଧ ଓଡିଶା )କିଛିଦିନ ହେଲା ନୂଆଦିଲ୍ଲୀରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ରହି କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କୁ ମିଶିବା ପରେ ଅନ୍ୟାନ୍ୟ ବିଜେପି ବିରୋଧୀ ନେତାମାନଙ୍କୁ ସାକ୍ଷାତ କରୁଥିବାରୁ ଜାତୀୟ ରାଜନୀତିରେ ସରଗରମ ପରିସ୍ଥିତି ସୃଷ୍ଟି ହୋଇଛି । ଆଗାମୀ ଲୋକସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ସମର୍ଥିତ ଏନ୍‌ଡିଏକୁ ପରାସ୍ତ କରିବା ଲକ୍ଷ୍ୟରେ ବିରୋଧୀ ଦଳମାନେ ମହାମେଣ୍ଟ କରିବାକୁ ଯୋଜନା ପ୍ରସ୍ତୁତ କରୁଥିବା ଏଥିରୁ ଜଣାପଡୁଛି । ମହାମେଣ୍ଟରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥିବା ସ୍ପଷ୍ଠ ହୋଇଛି ବୋଲି ରାଜନୀତଜ୍ଞ ମହଲରେ ଚର୍ଚ୍ଚା ଚାଲିଛି । ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବଗୌଡ଼ା ଓ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀଙ୍କୁ ଭେଟିଥିବା ବେଳେ ନିକଟରେ ରାହୁଲ ଗାନ୍ଧୀଙ୍କୁ ଭେଟି ରାଜନୀତିକୁ ସରଗରମ କରିଥିଲେ । ସାକ୍ଷାତକାର ସମୟରେ କେନ୍ଦ୍ରରେ ଥିବା ଏନଡିଏ ସରକାରକୁ ଆଗାମୀ ସାଧାରଣ ନିର୍ବାଚନରେ ପରାସ୍ତ କରିବା ନେଇ ଆଲୋଚନା ହୋଇଥିବା ଜଣାପଡିଛି । ଦେବଗୌଡ଼ା କହିଛନ୍ତି କେନ୍ଦ୍ରରେ ଏଡିଏ ସରକାରରେ ବହୁ ଗୁଡ଼ିଏ ସମସ୍ୟା ଦେଖିବାକୁ ମିଳିଛି। ଗତତନ୍ତ୍ର ବ୍ୟବସ୍ଥା ବିପଦ ମୁହଁକୁ ଠେଲି ହୋଇ ଯାଇଛି। ସେ ସମସ୍ତ ନେତାଙ୍କ ନିକଟରେ ଅପିଲ କରିଛନ୍ତି ଯେ, ଏନଡିଏକୁ ହରାଇବା ପାଇଁ ସମସ୍ତ ସେକ୍ୟୁଲାର ନେତା ଏକାଠି ହେବାର ସମୟ ଆସିଛି।ତେଣୁ ସମସ୍ତ ବିରୋଧୀ ଦଳ ନେତାମାନେ ଏକାଠି ହୋଇ ମହାମେଣ୍ଟ ଗଠନ କରୁଥିବା ସ୍ପଷ୍ଠ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିବାରୁ ଜାତୀୟ ରାଜନୀତି ସରଗରମ ହୋଇଉଠିଛି ।