ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ସ୍ମିତାରାଣୀ ହତ୍ୟା କାଣ୍ଡର ସିବିଆଇ ତଦନ୍ତ ଦାବୀ:ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କୁ ଦାବୀ ପତ୍ର ପ୍ରଦାନ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ କର୍ମଜୀବୀ ମହିଳାଙ୍କୁ ସୁରକ୍ଷା ପ୍ରଦାନ, ଧର୍ମଶାଳା ଭିଏଲଡବ୍ଲ୍ୟୁ ସ୍ମିତାରାଣୀ ବିଶ୍ୱାଳ ହତ୍ୟାକାଣ୍ଡ ଓ କେନ୍ଦ୍ରାପଡା କ୍ରେଡିଟ କୋପରେଟିଭ ବ୍ୟାଙ୍କର ଯୌନ କେଳେଙ୍କେରୀ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ କରାଯାଉ ବୋଲି ଦାବୀ କରାଯିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇ ଢେଙ୍କାନାଳ ଜିଲ୍ଲାପାଳଙ୍କ ଜରିଆରେ ମହାମହିମ ରାଜ୍ୟପାଳଙ୍କ ନିମନ୍ତେ ଦାବୀ ପତ୍ର ପ୍ରଦାନ କରାଯାଇଛି । ସେହି ଦାବୀ ପତ୍ରରେ ଉଲ୍ଲେଖ କରାଯାଇଛି ଯେ, ସାରା ଓଡ଼ିଶାରେ ମହିଳା ଅସୁରକ୍ଷିତ ହୋଇପଡିଛନ୍ତି । ଯାଜପୁର ଓ କେନ୍ଦ୍ରାପଡାରେ ଘଟିଥିବା ଘଟଣା ଏହା ସ୍ପଷ୍ଟ କରୁଛି । ଯାଜପୁର ଜିଲ୍ଲା ଶର୍ମଶାଳା ବ୍ଲକର ହରିଦାସପୁର ପଞ୍ଚାୟତ ଭିଏଲଡବ୍ଲ୍ୟୁ ସ୍ମିତାରାଣୀ ବିଶ୍ୱାଳ ହତ୍ୟା ଘଟଣାକୁ ପାଖାପାଖି ଅଧାମାସ ବିତିବାକୁ ବସିଥିଲେ ମଧ୍ୟ ପୋଲିସ ଅପରାଧୀମାନଙ୍କୁ ଧରି ଦଣ୍ଡ ଦେବା ବ୍ୟବସ୍ଥା କରିବା ବଦଳରେ ମୃତକଙ୍କ ଚରିତ୍ର ସଂହାର କରିବାରେ ଲାଗିଛି । ଅପରାଧୀଙ୍କୁ ଧରିବା ପରିବର୍ତ୍ତେ ଖୋଦ ଜିଲ୍ଲାର ଏସପି ଚରଣ ସିଂହ ମୀନା ଏହାକୁ ପ୍ରେମଜନିତ ଘଟଣା କହି ତଦନ୍ତର ଦିଗହରା କରୁଛନ୍ତି । ବର୍ତ୍ତମାନ ଯାଏଁ ଘଟଣା ଘଟିଥିବା ରଂଗଶାଳାର ସିସିଟିଭି ଜବତ ହେଲା ନାହିଁ । ଘଟଣା ଦିନ ସେଠାରେ ଉପସ୍ଥିତ ଥିବା ଅନ୍ୟମାନେ ଖୁଲମଖୁଲା ଭାବେ ବୁଲୁଛନ୍ତି । ଜଣେ ସରକାରୀ କର୍ମଚାରୀ ମୃତ୍ୟୁବରଣ କରିଥିଲେ ମଧ୍ୟ ଏହି ଘଟଣାରେ ଜିଲ୍ଲାପାଳ, ବିଡ଼ିଓ ଏବଂ ଏସପିଙ୍କ ଭୂମିକା ସନ୍ଦେହ ଘେରରେ । ସେପଟେ ଅପରାଧୀଙ୍କୁ ଶାସକ ବିଜେଡି ଦଳ ସୁରକ୍ଷା ଯୋଗାଇ ଦେଉଛି । ଅନ୍ୟପଟେ ଭୟରେ ଏବେ ସ୍ମିତାରାଣୀଙ୍କ ପରିବାର ଲୋକ ଗାଁ ଛାଡିଲେଣି । ତେଣୁ ଏହି ଘଟଣାର ସିବିଆଇ ତଦନ୍ତ କଲେ ପ୍ରକୃତ ଘଟଣା ଲୋକଲୋଚନକୁ ଆସିବ । ସେହିପରି କେନ୍ଦ୍ରାପଡା କ୍ରେଡିଟ କୋପରେଟେଭ ବ୍ୟାଙ୍କର ସଭାପତି ତଥା ବିଜେଡି ନେତା ପ୍ରମୋଦ ସାହୁ ତାଙ୍କ ଅଫିସର କାର୍ଯ୍ୟରତ ଜଣେ ଯୁବତୀଙ୍କୁ ଯୌନ ଉତ୍ପୀଡ଼ନ କରିବାର ଅଭିଯୋଗ ହୋଇଛି । ନ୍ୟାୟ ପାଇଁ ପୀଡିତ ବାରମ୍ବାର ନିବେଦନ କଲେ ମଧ୍ୟ ସରକାରଙ୍କ ଭୂମିକା ସନ୍ଦେହ ଘେରକୁ ଆସିଛି । ଏହି ଖବର ଆସିବା ପରେ ପୋଲିସ ବହୁ ବିଳମ୍ବରେ ପ୍ରମୋଦ ସାହୁଙ୍କୁ ଗିରଫ କରି କାମ ସାରିଦେଇଛି । ତେବେ ଏହି ଘଟଣା ପଛରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି ସେମାନଙ୍କୁ ତୁରନ୍ତ ଗିରଫ କରିବା ସହ ଯୁବତୀଙ୍କୁ ନ୍ୟାୟ ଦେବା ପାଇଁ ଆପଣଙ୍କ ହସ୍ତାକ୍ଷପ ଲୋଡୁଛୁ । ତେଣୁ ତୁରନ୍ତ ଏହାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଭାଇସ ପ୍ରେସିଡେଣ୍ଟ ରତ୍ନ ପ୍ରଭା ପଣ୍ଡା, ମହିଳା ମୋର୍ଚ୍ଚା ସେକ୍ରେଟାରୀ ସସ୍ମିତା ସାମଲ, ଅମ୍ୟ ଦଳାଇ, କମଳିନୀ ମହାନ୍ତି, ଇତିଶ୍ରୀ ସାହୁ, ସତ୍ୟଭାମା ଦେହୁରୀ, ପ୍ରୀତିମଞ୍ଜରୀ ପତି, ସ୍ଵର୍ଣ୍ଣଲତା ଦାସ, ମମତା ସାହୁ, ବନ୍ଦନା ବାରିକ, ସାଧାରଣ ସମ୍ପାଦିକା ମହିଳା ମୋର୍ଚ୍ଚା ଢେଙ୍କାନାଳର ଅନିତା ଦାସ, କାନନ ସରକାର, କଲ୍ୟାଣୀ ବେହେରା, ବୀଣାପାଣି ସାହୁ, ଆଶାରାଣୀ ସାହୁ, ସଂଯୁକ୍ତା ସାହୁ, ଭାରତୀ ସ୍ୱାଇଁ ପ୍ରମୁଖଙ୍କ ସମେତ ବହୁ ବିଜେପି ମହିଳା ମୋର୍ଚ୍ଚାର କର୍ମୀ ମାନେ ଅଂଶ ଗ୍ରହଣ କରିଥିଲେ ।

ରିପୋର୍ଟ : ଶୁଭମ କୁମାର ପାଣି