

ଛତ୍ରପୁର (ସମୃଦ୍ଧ ଓଡିଶା) ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ କର୍ମଜୀବି ମହିଳାଙ୍କୁ ସୁରକ୍ଷା, ଧର୍ମଶାଳା କ୍ଳବ କାର୍ଯ୍ୟ ନିର୍ବାହୀ ଅଧିକାରୀ ସ୍ମିତାରାଣୀ ହତ୍ୟାକାଣ୍ଡରେ ଓ କେନ୍ଦ୍ରାପଡା ସମବାୟ ବ୍ୟାଙ୍କର ଯୌନ କେଳେଙ୍କାରୀ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବିରେ ଗଞ୍ଜାମ ଜିଲ୍ଲାପାଳ କାର୍ଯ୍ୟଳୟ ଘେରାଉ କରି ବିକ୍ଷୋଭ ପ୍ରଦର୍ଶନ କରିବା ସହ ଏକ ପ୍ରତିବାଦ ସଭା ଅନୁଷ୍ଠିତ କରାଯାଇଥିଲା । ଏହାପରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରାଯାଇଥିଲା । ସେହି ଦାବୀ ପତ୍ରରେ ଉଲ୍ଲେଖ ଉଭୟ ଘଟଣାରେ ସମ୍ପୃକ୍ତ ଯାଜପୁରର ରୁପେଶ ଭଦ୍ର ଓ କେନ୍ଦ୍ରାପଡ଼ାର ପ୍ରମୋଦ ସାହୁ ବିଜେଡି ସଂରକ୍ଷିତ ନେତାଗଣଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ଏହି ପ୍ରତିବାଦ ସଭାରେ ରାଜ୍ୟ ସଭାପତି ଅନିତା ଶୁଭ ଦର୍ଶନୀ ଓ ପିଙ୍କି ପ୍ରଧାନ, ରାଜ୍ୟ କାରିଣୀ ସଦସ୍ୟା ଜୟନ୍ତୀ ପଡିୟାରୀ, ସୁବାସିନୀ ପଟ୍ଟନୟକ ଓ ସୁବାସିନୀ ପଣ୍ଡା, ଜିଲ୍ଲା ସଭାପତି ବନଳା ପଣ୍ଡା, ପ୍ରଜ୍ଞା ପାରମିତା ପାଢ଼ୀ, ଅହଲ୍ୟା ଜେନା, ସୁଷମା ଦାସ ପ୍ରମୁଖ ଅଂଶ ଗ୍ରହଣ କରି ମହିଳା ମାନଙ୍କୁ ସୁରକ୍ଷା ଦେବାରେ ଓଡିଶା ବିଜେଡି ସରକାର ସମ୍ପର୍ଣ୍ଣ ବିଫଳ ହୋଇପଡିଛି । ସାରା ଦେଶରେ ବର୍ତ୍ତମାନ ମହିଳାମାନେ ଅସୁରକ୍ଷିତ ପରିସ୍ଥିତିରେ ଅଛନ୍ତି । ମହିଳାଙ୍କୁ ରାଜ୍ୟରେ ଅସୁରକ୍ଷିତ ବୋଲି ଯାଜପୁର ଓ କେନ୍ଦ୍ରାପଡାରେ ଘଟିଥିବା ଘଟଣା ସ୍ପଷ୍ଟ କରୁଛି । ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକର ହରିଦାସପୁର ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ସ୍ମିତାରାଣୀ ବିଶ୍ୱାଳ ହତ୍ୟା ଘଟଣାକୁ ପାଖାପାଖି ଅଧାମାସ ପୂରିଗଲାଣି କିନ୍ତୁ ପୋଲିସ ଅପରାଧୀମାନଙ୍କୁ ଧରି ଦଣ୍ଡ ଦେବା ବଦଳରେ ମୃତକଙ୍କ ଚରିତ୍ର ସଂହାର କରିବାରେ ଲାଗିପଡ଼ିଛି । ଅପରାଧୀଙ୍କୁ ଧରି ଦଣ୍ଡ ଦେବା ପରିବର୍ତ୍ତେ ଜିଲ୍ଲା ଏସି ଚରଣସିଂହ ମୀନା ଏହାକୁ ପ୍ରେମଜନିତ ଘଟଣା କହି ତଦନ୍ତର ଦିଗହରା କରୁଛନ୍ତି । ବର୍ତ୍ତମାନ ପର୍ଯ୍ୟଟନ ଘଟଣା ଘଟିଥିବା ରଙ୍ଗାସାଳର ସିସିଟିଭିକୁ ଜବତ କରାଯାଇ ନାହିଁ । ସେପଟେ ଶାସକ ବିଜେଡି ଦଳ ଅପରାଧୀଙ୍କୁ ସୁରକ୍ଷା ଦେବାରେ ଲାଗିଛି । ଅନ୍ୟପକ୍ଷେ ଉଭୟେ ଏବେ ସ୍ମିତାରାଣୀଙ୍କ ପରିବାର ଲୋକ ବର୍ତ୍ତମାନ ଗାଁ ଛାଡିଲେଣି । ତେଣୁ ଏହି ଘଟଣାର ସିବିଆଇ ତଦନ୍ତ କରାଯାଉ । ତଦନ୍ତ କରାଗଲେ ହିଁ ସମ୍ପୃକ୍ତ ଘଟଣାର ସତ୍ୟାସତ୍ୟ ଲୋକଲୋଚନକୁ ଆସିପାରିବ । ସେହିପରି କେନ୍ଦ୍ରାପଡା ସମବାୟ ଜମା ବ୍ୟାଙ୍କର ସଭାପତି ତଥା ବିଜେଡି ନେତା ପ୍ରମୋଦ ସାହୁ ତାଙ୍କ ଅଫିସର କାର୍ଯ୍ୟରତ ଜଣେ ଯୁବତୀଙ୍କୁ ଯୌନ ନିର୍ଯ୍ୟାତନା କରିବାର ଅଭିଯୋଗ ହୋଇଛି । ନ୍ୟାୟ ପାଇଁ ପୀଡିତା ବାରମ୍ବାର ନିବେଦନ କଲେ ମଧ୍ୟ ସରକାରଙ୍କ ଭୂମିକା ସନ୍ଦେହ ଘେରକୁ ଆସିଛି । ଏହି ଖବର ଆସିବା ପରେ ପୋଲିସ ବହୁ ବିଳମ୍ବରେ ପ୍ରମୋଦ ସାହୁଙ୍କୁ ଗିରଫ କରି କାମ ସାରିଦେଇଛି । ତେବେ ଏହି ଘଟଣା ପଛରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି ସେମାନଙ୍କୁ ଯଥାଶୀଘ୍ର ଗିରଫ କରିବା ସହ ଯୁବତୀଙ୍କୁ ନ୍ୟାୟ ଦିଆଯାଉ ବୋଲି ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଦାବି କରାଯାଇ ଏକ ଶୋଭା ଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସାଧାରଣ ସମ୍ପାଦକ ଵିଭୂତି ଜେନା, ଜିଲ୍ଲା ସଭାପତି କାହ୍ନ ଚରଣ ପତି, ଛତ୍ରପୁର ନିର୍ବାଚନ ମଣ୍ଡଳୀ ନେତା ପ୍ରଶାନ୍ତ କୁମାର କର, ଘୁମୁଷର ଜିଲ୍ଲା ସଭାପତି ସୂର୍ଯ୍ୟନାରାୟଣ ଦାସ, କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ନେତା ରଞ୍ଜନ କୁମାର ପଲେଇ, ଚିକିଟି ନିର୍ବାଚନ ମଣ୍ଡଳୀ ନେତା ମନୋରଞ୍ଜନ ଧ୍ୟାନ ସାମନ୍ତରାୟ, ପୋଲସରା ନିର୍ବାଚନ ମଣ୍ଡଳୀ ନେତା ଗୋକୁଳା ନନ୍ଦ ମଲ୍ଲିକ ଓ ବିଜେପି ମହିଳା ମୋର୍ଚ୍ଚାର ବହୁ କର୍ମୀଙ୍କ ସମେତ ପ୍ରାୟ ୨ ହଜାରରୁ ଅଧିକ ମହିଳା ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଦକ୍ଷିଣାଞ୍ଚଳ ବ୍ୟୁରୋ ଚିଫ ନିମାଇଁ ଚରଣ ପଣ୍ଡା













