

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗତ ୧୧ ତାରିଖ ଦିନ ବ୍ରହ୍ମପୁର ଲୋକସଭା ଅଧିନସ୍ଥ ଚିକିଟି ବିଧାନସଭା ଆସନ ପାଇଁ ମତଦାନ ହୋଇଯାଇଥିବା ବେଳେ ନିର୍ବାଚନ ଦିନଠାରୁ ଶାସକ ଦଳର କର୍ମକର୍ତ୍ତାମାନେ ବିଜେପି ସମର୍ଥକମାନଙ୍କୁ ବାରମ୍ବାର ମରଣାନ୍ତକ ଆକ୍ରମଣ କରାଯାଉଥିବା ବିଜେପି ପକ୍ଷରୁ ଅଭିଯୋଗ ହୋଇଛି । ଗତ ୧୦ ତାରିଖ ଦିନ ନିର୍ବାଚନ ଦିନକ ପୂର୍ବରୁ ଆକ୍ରୋଶମୂଳକ ଭାବେ ଖରଣିପଡ଼ା ପଂଚାୟତର ନରସିଂହ ପ୍ରଧାନଙ୍କୁ ମରଣାନ୍ତକ ଆକ୍ରମଣ, ୧୧ ତାରିଖ ନିର୍ବାଚନ ଦିନ ନନ୍ଦିଗାଁ ଗ୍ରାମରେ ରାଜେନ୍ଦ୍ର ବେହେରାଙ୍କ ଘରୋ ପଶି ମାରପିଟ୍ ଓ ଲୁଟ୍ ତରାଜ, ୩ ଘରିଆ ଗ୍ରାମରେ ରାତିରେ ୪ଜଣଙ୍କୁ ମରଣାନ୍ତକ ଆକ୍ରମଣ, ଜୟନ୍ତପୁର ପଂଚାୟତର ବିଡ଼ିପୁର ଗ୍ରାମରେ ୩ଜଣଙ୍କୁ ମାଡ଼ ମାରିବା ସହ ହତ୍ୟା ଧମକ, କନିରିଡ଼ା ଗ୍ରାମରେ ଆଦିବାସୀ ମାନେ ଭୋଟ ଦେବାକୁ ଯିବା ସମୟରେ ଆକ୍ରମଣ ଓ ହତ୍ୟା ଧମକ, ଗତ ୧୨ ତାରିଖରେ ତିନି ଘରିଆରେ ପୁଣି ମହିଳା ମାନଙ୍କ ଦୁର୍ବ୍ୟବହାର ଆଦି ଘଟଣା ଘଟିଥିବା ବେଳେ ଜରଡ଼ା ଥାନାରେ ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିବା ବିଜେପି ଅଭିଯୋଗ କରିଛି । ସେହିଭଳି ନିର୍ବାଚନ ଦିନ ବିଧାନସଭା ପ୍ରାର୍ଥୀ ମନୋରଞ୍ଜନ ଦ୍ୟାନ ସାମନ୍ତରାଙ୍କୁ ପୁରୁଣା ମଇସାନପୁର ବୁଥ୍ ନିକଟରେ ଆକ୍ରମଣ ଓ ଗାଳିଗୁଲଜ, ଚିକିଟିପେଣ୍ଠର ପୁଷ୍ପା ସେଠୀ ଓ ଅନ୍ୟ କର୍ମୀମାନଙ୍କୁ ଘରେ ପଶି ଗାଳି ଗୁଲଜ ଓ ଧମକ ସହ ରାଧାମୋହନପୁର ଗ୍ରାମରେ ସିମାଂଚଳ ନାଇକଙ୍କୁ ହତ୍ୟା ଧମକ, ନିର୍ବାଚନ ଦିନ ବିଧାନସଭା ପ୍ରାର୍ଥୀ ଶ୍ରୀ ସାମନ୍ତରାଙ୍କୁ ଝାଟିପଦର ବୁଥ୍ ନିକଟରେ ଆକ୍ରମଣ ଓ ଗାଳି ଗୁଲଜ, ଗୋବିନ୍ଦପୁର ଗ୍ରାମର ୬ଟି ପରବାରଙ୍କୁ ବିଜେପି ଏଜେଂଟ୍ ହୋଇଥିବାରୁ ୧ହଜାର ଜୋରିମାନା, ପାଟିସୁନାପୁର ଗ୍ରାମର ବିଜେପି କର୍ମୀଙ୍କୁ ଗ୍ରାମରୁ ବାସନ୍ଦ ପ୍ରଭୃତି ଘଟଣା ନେଇ ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ଯାଇନଥିବା ଅଭିଯୋଗ ହୋଇଛି । ଆଜି ବିଜେପି ପକ୍ଷରୁ ପୁଣି ବ୍ରହ୍ମପୁର ଏସପି ପିନାକ ମିଶ୍ରଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରାଯିବା ସହ ଘଟଣାର ତଦନ୍ତ କରି ନ୍ୟାୟ ପ୍ରଦାନ ପାଇଁ ନିବେଦନ କରିଛନ୍ତି । ଦାବି ପୂରଣ ନହେଲେ ଆମରଣ ଅନଶନ ପାଇଁ ଚେତାବନୀ ଦେଇଛନ୍ତି । ଦାବିପତ୍ରର ଏକ ନକଲ ରାଜ୍ୟ ପୋଲିସ ଡ଼ିସି, ଦକ୍ଷିଣାଂଚଳ ଡିଆଇଜି, ଗଞ୍ଜାମ ଜିଲ୍ଲାପାଳଙ୍କୁ ମଧ୍ୟ ପ୍ରଦାନ କରାଯାଇଛି । ଏହି ଦାବିପତ୍ର ପ୍ରଦାନ ବେଳେ ବିଜେପି ବିଧାନସଭା ପ୍ରାର୍ଥୀ ମନୋରଞ୍ଜନ ଦ୍ୟାନ ସାମନ୍ତରା, ବିଜେପି ସାଂସଦ ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର, ବ୍ରହ୍ମପୁର ବିଜେପି ବିଧାନସଭା ପ୍ରାର୍ଥୀ କାହ୍ନୁଚରଣ ପତିଙ୍କ ସମେତ ବହୁ କର୍ମୀ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା





