ଭୁବନେଶ୍ୱର (ସମୃଦ୍ଧ ଓଡିଶା) କମ ଟଙ୍କାରେ ବିଦେଶ ବୁଲାଇବ ‘ଗୋ-ଗ୍ଲୋବାଲ୍’ । ଏଣିକି ଅଳ୍ପ ଟଙ୍କାରେ ଓଡ଼ିଆ ପର୍ଯ୍ୟଟକମାନେ ଥାଇଲାଣ୍ଡ, ମାଲେସିଆ, ସିଙ୍ଗାପୁର, ଇଣ୍ଡୋନେସିଆର ବାଲି ଓ ଦୁବାଇ ପରି ଦେଶ ଭ୍ରମଣରେ ଯାଇପାରିବେ । ଏଥିପାଇଁ ଓଟିଡିସି ବା ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ‘ଗୋ-ଗ୍ଲୋବାଲ୍’ ନାଁରେ ପ୍ୟାକେଜ୍ ଘୋଷଣା କରିଛନ୍ତି । ଏନେଇ ସୂଚନା ଦେଇଛନ୍ତି ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର । ସେହିପରି ପଶ୍ଚିମ ଓଡ଼ିଶାର ଆରାଧ୍ୟ ଦେବତା ମାଆ ସମଲେଶ୍ୱେରୀଙ୍କ ପିଠରେ ଲାଇଟ୍ ଆଣ୍ଡ ସାଉଣ୍ଡ୍ର ବ୍ୟବସ୍ଥା କରାଯିବ । ସେ କହିଛନ୍ତି-“ପଶ୍ଚିମ ଓଡ଼ିଶାର ଆରାଧ୍ୟ ଦେବତା ହେଉଛନ୍ତି ମାଆ ସମଲେଶ୍ୱେରୀ । ଏଠାରେ ଲାଇଟ୍ ଆଣ୍ଡ ସାଉଣ୍ଡ୍ର ବ୍ୟବସ୍ଥା କରାଯିବ । ମାଆ ସମଲେଶ୍ୱେରୀଙ୍କ କାହାଣୀ ଉପରେ ଏହି ଲାଇଟ୍ ଆଣ୍ଡ ସାଉଣ୍ଡ ପର୍ଯ୍ୟବସିତ ହେବ । ପ୍ରଥମ ପର୍ଯ୍ୟାୟରେ ଓଡ଼ିଆ ଓ ସମଲେଶ୍ୱେରୀ ଭାଷାରେ ଦେଖିବାକୁ ମିଳିବ । ପରବର୍ତ୍ତୀ ପର୍ଯ୍ୟାୟରେ ହିନ୍ଦୀ ବା ଇଂରାଜୀରେ କରିବା ପାଇଁ ବିଚାର କରାଯାଉଛି । ଓଟିଡିସି ପକ୍ଷରୁ ଏହି ସେବା ଆରମ୍ଭ କରାଯିବ ।” ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ଓଡ଼ିଶା ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି । ଏଠାକୁ ପ୍ରତିଦିନ ହଜାର ହଜାର ପର୍ଯ୍ୟଟକ ଆସୁଛନ୍ତି । ଓଡ଼ିଶା ପର୍ଯ୍ୟଟନ ଶିଳ୍ପକୁ ଆଉ ପାଦେ ଆଗକୁ ନେବା ପାଇଁ ଓଟିଡିସି ପକ୍ଷରୁ ପ୍ୟାକେଜ୍ ଘୋଷଣା କରାଯାଇଛି । ଥାଇଲାଣ୍ଡ ଯାଉଥିବା ପର୍ଯ୍ୟଟକଙ୍କ ପିଛା ୨୪’୯୯୦ଟଙ୍କା ଦେୟ ଦେବାକୁ ପଡ଼ିବ । ସେହିପରି ଦୁବାଇ ପାଇଁ ୫୩,୯୯୦ ଟଙ୍କା, ସିଙ୍ଗାପୁର ପାଇଁ ୩୯,୯୯୦ଟଙ୍କା, ମାଲେସିୟା ପାଇଁ ୨୯,୯୯୦ଟଙ୍କା, ଇଣ୍ଡୋନେସିଆର ବାଲି ପାଇଁ ୩୪,୯୯୦ଟଙ୍କା ଦେୟ ଦେବାକୁ ପଡ଼ିବ । ଏହି ଦେୟ ମଧ୍ୟରେ ଯିବା ଆସିବା ଭଡା, ଭିସା ଖର୍ଚ୍ଚ, ଭ୍ରମଣ ବୀମା, ହୋଟେଲ ରହଣି, ପ୍ରାତଃ ଭୋଜନ ଓ ରାତ୍ରି ଭୋଜନ ଇତ୍ୟାଦି ରହିଛି । ଏହି ଅର୍ଥ ଏକା ଥରେ ଦେବାକୁ ପଡ଼ିବ । ଏହି ସମସ୍ତ ସ୍ଥାନକୁ ଯିବା, ଆସିବା ଓ ରହିବା ସମୟ ତିନି ରାତି ଓ ଚାରିଦିନ ମଧ୍ୟରେ ସୀମିତ ରହିବ । ଆଜି ଭୁବନେଶ୍ୱର ପାନ୍ଥ ନିବାସରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଓଟିଡିସି ଅଧକ୍ଷା ଶ୍ରୀମୟୀ ମିଶ୍ର ପ୍ରକାଶ କରିଛନ୍ତି ।
ରିପୋର୍ଟ : ଆକାଶ ମିଶ୍ର