ବିଦ୍ୟାଳୟରେ ଗୁଣାତ୍ମକ ଶିକ୍ଷାର ବିକାଶ ଓ ଶୈକ୍ଷିକ ବାତାବରଣ ସୃଷ୍ଟି କରିବା ନେଇ ବୈଠକ:ନିଶାଦ୍ରବ୍ୟ ପାନ କରୁଥିବା ଶିକ୍ଷକଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ…

ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଅଧ୍ୟକ୍ଷତା କରି ବିଦ୍ୟାଳୟରେ ଗୁଣାତ୍ମକ ଶିକ୍ଷାର ବିକାଶ ଓ ଶୈକ୍ଷିକ ବାତାବରଣ ସୃଷ୍ଟି କରିବା ଉପରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ଶିକ୍ଷା ଅଭିଯାନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ କରାଯାଇଥିଲା । ଏଥିରେ ଫୋକସ ମନିଟରିଂ କାର୍ଯ୍ୟକୁ ତ୍ୱରାନ୍ୱିତ କରି ପ୍ରତ୍ୟେକ ବିଦ୍ୟାଳୟର ଗୁଣାତ୍ମକ ଶିକ୍ଷା ଓ ଶୈକ୍ଷିକ ବାତାବରଣ ଉପରେ ନିୟମିତ ତଦାରଖ କରାଯିବ ବୋଲି କୁହାଯାଇଥିଲା । ଏହାସହ ବିଦ୍ୟାଳୟକୁ ଯେଉଁ ଶିକ୍ଷକ ମଦ୍ୟପାନ, ଗୁଟଖା, ପାନ ଓ ବିଭିନ୍ନ ପ୍ରକାର ମାଦକ ଦ୍ରବ୍ୟ ସେବନ କରି ଆସୁଥିବେ ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପୋଲିସ ହାତରେ ବନ୍ଧା ଯିବ ବୋଲି କଡା ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ଏହାସହ ଜିଲ୍ଲାର ବିଭିନ୍ନ ବ୍ଲକର ୪୭ଟି ବିଦ୍ୟାଳୟରେ ଜଣେ ଲେଖାଏଁ ଶିକ୍ଷକ ଅଛନ୍ତି । ସେହି ବିଦ୍ୟାଳୟ ଗୁଡିକରେ ଆଉ ଜଣେ ଲେଖାଏଁ ଶିକ୍ଷକଙ୍କୁ ନିଯୁକ୍ତି କରାଯିବ । ଏହି ପ୍ରକ୍ରିୟାକୁ ଆସନ୍ତା ୧୦ ଦିନ ମଧ୍ୟରେ ସମ୍ପୂର୍ଣ୍ଣ କରାଯିବ ବୋଲି କହିଛନ୍ତି । ଜିଲ୍ଲାର ସମସ୍ତ ବିଦ୍ୟାଳୟରେ ବିଜୁଳି ବ୍ୟବସ୍ଥା ଉପଲବ୍ଧ ରହିବ । ଜିଲ୍ଲାରେ ବର୍ତ୍ତମାନ ସ୍ଥିତିରେ ୬୯ ପ୍ରତିଶତ ବିଦ୍ୟାଳୟରେ ବିଜୁଳି ବ୍ୟବସ୍ଥା ରହିଥିବା ବେଳେ ବାକି ୩୧ ପ୍ରତିଶତ ବିଦ୍ୟାଳୟରେ ବିଜୁଳି ବ୍ୟବସ୍ଥା ନାହିଁ । ବିଜୁଳି ନଥିବା ବିଦ୍ୟାଳୟ ଗୁଡିକରେ ତୁରନ୍ତ ବିଜୁଳି ବ୍ୟବସ୍ଥା କରାଯିବ । ଏଥିପାଇଁ ସଂପୃକ୍ତ ବ୍ଲକର ବିଇଓମାନେ ସାଉଥ କୋ ବିଭାଗର ଦୃଷ୍ଟି ଆକର୍ଷଣ କରି ଏହା ଉପରେ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଆଗକୁ ଜିଲ୍ଲାର ପ୍ରାୟ ୮ ଶହ ଶିକ୍ଷକଙ୍କ ରେଗୁଲାର ଶିକ୍ଷକ ହେବ . ସେଥିରୁ ବିଜ୍ଞାନ, ଗଣିତ, ଇଂରାଜୀ ଶିକ୍ଷକମାନଙ୍କୁ ଖାଲି ପଡିଥିବା ବିଦ୍ୟାଳୟ ଗୁଡିକରେ ଥଇଥାନ କରାଯିବ । ଗୁଣାତ୍ମକର ବିକାଶ ଓ ଶୈକ୍ଷିକ ବାତାବରଣ ତଥା ‘ସାଥ’ କାର୍ଯ୍ୟକ୍ରମରେ ସମଗ୍ର ରାଜ୍ୟରେ ଗଞ୍ଜାମ ଜିଲ୍ଲା ତୃତୀୟ ସ୍ଥାନରେ ସ୍ଥାନ ପାଇଛି । ସେହିପରି ଏଭଳି ବାତାବରଣରେ ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ପ୍ରଥମ, ରଙ୍ଗେଇଲୁଣ୍ଡା ଦ୍ଵିତୀୟ ଏବଂ ଧରାକୋଟ ବ୍ଲକ ତୃତୀୟ ସ୍ଥାନରେ ରହିଛନ୍ତି । ସବୁଜ ସଂକେତରେ ପୋଲସରା, କୁକୁଡାଖଣ୍ଡି, ଛତ୍ରପୁର, ପୁରୁଷୋତ୍ତମପୁର, ଶେରଗଡ଼ ବ୍ଲକ ରହିଥିବା ବେଳେ ହଳଦିଆ ସଂକେତରେ ବୁଗୁଡ଼ା, ପାତ୍ରପୁର, ଭଞ୍ଜନଗର, ଦିଗପହଣ୍ଡି, ଚିକିଟି, ଖଲ୍ଲିକୋଟ, କବିସୂର୍ଯ୍ୟନଗର ଓ ଗଞ୍ଜାମ ସ୍ଥାନ ପାଇଛି . ସେହିପରି ନିମ୍ନ ସ୍ତରରେ ତଥା ଲାଲ ଜୋନରେ ଜଗନ୍ନଥା ପ୍ରସାଦ, ବେଲଗୁଣ୍ଠା, ସାନଖେମୁଣ୍ଡି, ବେଗୁନିଆପଡା, ସୋରଡ଼ା ଓ ଆସିକା ବ୍ଲକ ରହିଛି । ଯେଉଁ ବ୍ଲକ ଗୁଡିକରେ ଉତ୍ତମ କାର୍ଯ୍ୟକାଳପ ନାହିଁ ସେହି ବ୍ଲକ ଆଗାମୀ ଦିନରେ ଉନ୍ନତ ପ୍ରଦର୍ଶନ ଆଣିବା ପାଇଁ ପ୍ରୟାସ ରଖିବା ବୋଲି ଜିଲ୍ଲାପାଳ କହିଛନ୍ତି । ପିଲାଟିଏ ଗଛଟିଏ କାର୍ଯ୍ୟକ୍ରମରେ ବାକି ରହିଥିବା ବିଦ୍ୟାଳୟ ଗୁଡିକ ଏହି କାର୍ଯ୍ୟକ୍ରମକୁ କରି ତୁରନ୍ତ ରିପୋର୍ଟ ପ୍ରଦାନ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ବୈଠକରେ ଜିଲ୍ଲା ଶିକ୍ଷାଧିକାରୀ ଡ଼.ସନାତନ ପଣ୍ଡା, ସମଗ୍ର ଶିକ୍ଷା ଅଭିଯାନ ଜିଲ୍ଲା ପ୍ରକଳ୍ପ ସଂଯୋଜିକା ବିନଟିଏ ସେନାପତି, ପ୍ରୋଗ୍ରାମ ସଂଯୋଜକ ପ୍ରଦୀପ କୁମାର ଖଟେଇ, ରଙ୍ଗେଇଲୁଣ୍ଡା ବିଇଓ ପ୍ରଭାତି ମହାପାତ୍ର, ଛତ୍ରପୁର ବିଇଓ ଅବିନାଶ ଶତପଥୀଙ୍କ ସମେତ ସମସ୍ତ ବିଇଓମାନେ ଅଂଶ ଗ୍ରହଣ କରିଥିଲେ ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା