ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକ ଅନ୍ତର୍ଗତ ନାମ୍ପୋ ପ୍ରାଥମିକ ବିଦ୍ୟାଳୟରେ ଆଜି ପୂର୍ବାହ୍ନ ୧୧ ଘଟିକା ସମୟରେ ଏକ ଅଭାବନୀୟ ଘଟଣା ସୃଷ୍ଟି ହେବା ଫଳରେ ସମଗ୍ର ଅଂଚଳରେ ଉତ୍ତେଜନା ପ୍ରକାଶ ପାଇଛି । ପ୍ରାପ୍ତ ସୂଚନା ଅନୁଯାୟୀ ସଂପୃକ୍ତ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ନିମନ୍ତେ ରୋଷେଇ ଘରେ ରନ୍ଧା କାର୍ଯ୍ୟ ରନ୍ଧନ ଗ୍ୟାସ ସାହାର୍ଯ୍ୟରେ ଚାଲିଥିବା ବେଳେ ଟାଙ୍କି ଓ ଷ୍ଟୋଭକୁ ସଂଯୋଗ କରୁଥିବା ଗ୍ୟାସ୍ ପାଇପ୍ ଫାଟିଯିବା ଫଳରେ ଟାଙ୍କିରେ ଅଗ୍ନି ସଂଯୋଗ ଘଟିଥିଲା । ସଂଗେ ସଂଗେ ସେହି ନିଆଁ ରୋଷେଇ ଘରେ ବ୍ୟାପି ଯାଇଥିଲା । ଘଟଣା ସଂପର୍କରେ ଖବର ପାଇ ଗ୍ରାମବାସୀ ଓ କେତେକ ଅଭିଭାବକ ଦୌଡି ଆସି ନିଆଁକୁ ଅକ୍ତିଆର କରିବା ପାଇଁ ଚେଷ୍ଟା କରିଥିଲେ । ଖବର ପାଇ ଜଳେଶ୍ୱର ଦମକଳ କେନ୍ଦ୍ରର ଗାଡି ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ସଂପୂର୍ଣ୍ଣଭାବେ ଅକ୍ତିଆର କରିଥିଲେ । ଏହି ନିଆଁ ଲାଗିବା ସମୟରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ କଲ୍ୟାଣୀ ଦତ୍ତ କୁନି କୁନି ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ସୁରକ୍ଷିତ ଘରେ ରଖିଥିଲେ । ସମାଜସେବୀ ସୁଶିଲ ପରିଡା ଓ ରବିନ୍ଦ୍ର ଦାସଙ୍କ ସମେତ କେତେକ ଗ୍ରାମବାସୀ ଏହି ନିଆଁକୁ ଆୟତ୍ତ କରିବାରେ ଦମକଳ ବାହିନୀକୁ ସହଯୋଗ କରିଥିଲେ । ସବୁଠାରୁ ଉଲ୍ଲେଖନୀୟ ଘଟଣା ହେଲା ରାଜ୍ୟ ସରକାର ବିଭିନ୍ନ ବିଦ୍ୟାଳୟରେ ମଧ୍ୟାନ୍ନ ଭୋଜନ ନିମନ୍ତେ ବ୍ୟବସ୍ଥା କରିଥିବା ବେଳେ ରୋଷେଇ ପାଇଁ ରନ୍ଧନ ଗ୍ୟାସ୍ ଯୋଗେଇ ଦେଇଛନ୍ତି । ମାତ୍ର ପାଚିକା କୁ ଏହି ରନ୍ଧନ ଗ୍ୟାସ ବ୍ୟବହାର ସଂପର୍କରେ କୌଣସି ପ୍ରଶିକ୍ଷଣ ଦେଇନଥିବା ବେଳେ ନିଆଁଲିଭା ଯନ୍ତ୍ର (ଫାୟାର ଏସ୍ଟିଙ୍ଗୁଇସର) ଯୋଗାଇ ନାହାନ୍ତି । ଫଳରେ ଏହି ଦୁର୍ଘଟଣା ଘଟିଲା ବୋଲି ନାମ୍ପୋ ଗ୍ରାମବାସୀ ଓ କେତେକ ଅଭିଭାବକ ଅଭିଯୋଗ କରିଛନ୍ତି । ଏହି ଘଟଣାପରେ ବିଇଓ ବିଜୟ କୁମାର ନାଥଙ୍କ ନିର୍ଦ୍ଦେଶକ୍ରମେ ସିଆର୍ସିସି ସୁନୀଲ କୁମାର ଦାସ ସଂପୃକ୍ତ ବିଦ୍ୟାଳୟକୁ ପରିଦର୍ଶନ କରି ସବିଶେଷ ତଥ୍ୟ ପ୍ରଦାନ କରିଛନ୍ତି ।
ରିପୋର୍ଟ : ଭୂପତି କୁମାର ପରିଡା