ବିଦ୍ୟାଳୟର ବିଭିନ୍ନ ସମସ୍ୟାର ସମାଧାନ ନିମନ୍ତେ ବିଡ଼ିଓଙ୍କୁ ଦାବୀ ପତ୍ର ପ୍ରଦାନ …

ଦିଗପହଣ୍ଡି (ସମୃଦ୍ଧ ଓଡିଶା)ଦିଗପହଣ୍ଡି ବ୍ଲକ ଅଧିନସ୍ଥ ଏନ.ଲକ୍ଷ୍ମୀନାରାୟଣପୁରରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ରଞ୍ଜନ କୁମାର ନାୟକ ଜଣାଇଛନ୍ତି ଯେ ଏହି ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟଟି ୧୯୬୭ ମସିହାରେ ସ୍ଥାପିତ ହୋଇ ବର୍ତ୍ତମାନ ପର୍ଯ୍ୟନ୍ତ ଚାଲି ଆସିଛି । କିନ୍ତୁ ଦୁଃଖ ଓ ପରିତାପର ବିଷୟ ଏହି ବିଦ୍ୟାଳୟଟି ବହୁ ଅବ୍ୟବସ୍ଥା ଘେରରେ ରହିଛି । ବର୍ତ୍ତମାନ ବିଦ୍ୟାଳୟର ଗୋଟିଏ ମାତ୍ର ଶ୍ରେଣୀ ଗୃହରେ ୧ମ ରୁ ୫ମ ମୋଟା ୨୮ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ଗୋଟିଏ ମାତ୍ର ଶ୍ରେଣୀ ଗୃହରେ ବିଦ୍ୟାଳୟର ସମସ୍ତ ଆସବାବପତ୍ର, ମଧ୍ୟାହ୍ନଭୋଜନ ରୋଷେଇ ସାମଗ୍ରୀ, ଚାଉଳ ଇତ୍ୟାଦି ରହିଥିବା ସହ ଦୁଇ ଜଣ ଶିକ୍ଷକଙ୍କ ଶିକ୍ଷାଦାନ କାର୍ଯ୍ୟ କରିବା ଅତ୍ୟନ୍ତ ଅସମ୍ଭବ ମନେ ହେଉଛି । ଏତତବ୍ୟତୀତ ବିଦ୍ୟାଳୟରେ ପାଚେରୀ ନାହିଁ, ବିଦ୍ୟାଳୟ ପାର୍ଶ୍ୱରେ ଏକ କେନାଲ ରହିବା ସହ ରୋଡ଼ ଠାରୁ ବହୁ ନିମ୍ନରେ ରହଛି ବିଦ୍ୟାଳୟ ଯାହା ଫଳରେ ବର୍ଷା ହେଲେ ବର୍ଷାପାଣି ବିଦ୍ୟାଳୟ ଶ୍ରେଣୀ ଗୃହରେ ପଶୁଛି । ଏହା ଫଳରେ ଶିକ୍ଷାଦାନ କାର୍ଯ୍ୟକ୍ରମରେ ବାଧା ସୃଷ୍ଟି ହେଉଛି । ଏହାଛଡା ବିଦ୍ୟାଳୟରେ ବିଦ୍ୟୁତ ସଂଯୋଗ ହୋଇ ନ ଥିବା ଯୋଗୁଁ ପାଣି ଓଭର ହେଡ଼ ଟ୍ୟାଙ୍କକୁ ଉଠା ଯାଇ ପାରୁନାହିଁ ଫଳରେ ଶିକ୍ଷାର୍ଥୀମାନେ ପାନୀୟଜଳ ପାଇଁ ରାସ୍ତା କଡରେ ଥିବା ନଳକୂପ ଉପରେ ନିର୍ଭର କରୁଛନ୍ତି । ଯେହେତୁ ବିଦ୍ୟାଳୟଟି ମୁଖ୍ୟ ରାସ୍ତା ପାର୍ଶ୍ୱରେ ଅଛି ଅଜ୍ଞତା ବଶତଃ ଶିକ୍ଷାର୍ଥୀମାନଙ୍କ ଦୁର୍ଘଟଣାକୁ ଏଡାଇ ଦିଆଯାଇନପାରେ । ଏଣୁ ବିଦ୍ୟାଳୟକୁ ଏକ ଶ୍ରେଣୀଗୃହ, ପାଚେରୀ ଏବଂ ବିଦ୍ୟୁତ ସଂଯୋଗୀକରଣର ଆବଶ୍ୟକତା ରହିଛି । ଯଥାଶୀଘ୍ର ଏହାର ତଦନ୍ତ କରି ସମସ୍ୟାର ସମାଧାନ ନିମନ୍ତେ ବିହିତ ପଦକ୍ଷେପ ଗ୍ରହଣ କରି ସମାଧାନ କରାଯାଉ ବୋଲି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦାବୀ କରିଛନ୍ତି ।

ରିପୋର୍ଟ : ଜିଲ୍ଳା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା