ବିଦ୍ୟାଳୟ ଖୋଲିବା ପରେ ‘ପିଲାଟିଏ ଗଛଟିଏ’ ଅଭିଯାନ କାର୍ଯ୍ୟକାରୀ କରିବା ନିମନ୍ତେ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ:ଏକ ବର୍ଷ ପରେ ସମୀକ୍ଷା କରି ସଫଳ ଛାତ୍ରଛାତ୍ରୀଙ୍କୁ କରାଯିବ ପ୍ରମାଣପତ୍ର ସହ ପୁରସ୍କୃତ…

ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଉଦ୍ୟମରେ ପିଲାଟିଏ ଗଛଟିଏ ଅଭିଯାନ ଆରମ୍ଭ କରାଯିବ ବୋଲି ସୂଚନା ମିଳିଛି । ଯାହାକୁ ନେଇ ଜିଲ୍ଲାପାଳ ସମସ୍ତ ବିଡିଓ ଏବଂ ଗୋଷ୍ଠୀ ଶିକ୍ଷା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାପାଳ କହିଛନ୍ତି ଯେ, ବିଗତ ବର୍ଷରେ ସ୍ୱଚ୍ଛ ଭାରତ ଅଭିଯାନ ଏବଂ ପରିମଳ ବିଦ୍ୟାଳୟ ଯୋଜନାକୁ ସଫଳ କରିବାରେ ଛାତ୍ରଛାତ୍ରୀମାନେ ବେଶ ଆଗ୍ରହ ଦେଖାଇଥିଲେ । ଏଣୁ ଚଳିତ ବର୍ଷ ଖରା ଛୁଟି ଶେଷ ହୋଇ ବିଦ୍ୟାଳୟ ଖୋଲିବା ପରେ ପିଲାଟିଏ ଗଛଟିଏ ଅଭିଯାନ କାର୍ଯ୍ୟକାରୀ କରାଯିବ । ଏଥିରେ ବ୍ଲକସ୍ତରରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଏବଂ ଜିଲ୍ଲାସ୍ତରରେ ଜିଲ୍ଲା ଶିକ୍ଷା ଅଧିକାରୀ ଏହାର ନୋଡାଲ ଅଫିସର ରହିବେ । ଗୋଷ୍ଠୀ ଶିକ୍ଷା ଅଧିକାରୀମାନେ ନିଜ ବ୍ଲକରେ ଥିବା ସମସ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ସଂଖ୍ୟା ସମ୍ପର୍କରେ ବିଡ଼ିଓଙ୍କୁ ଅବଗତ କରାଇବେ । ବିଡ଼ିଓ ତାଲିକା ପାଇବା ପରେ ଆବଶ୍ୟକତା ଅନୁଯାୟୀ ଚାରା ଯୋଗାଡ କରିବେ । ଏଥିରେ ସେ ବନ ବିଭାଗ ମୃର୍ତ୍ତିକା ସଂରକ୍ଷଣ ବିଭାଗ ଏବଂ ଉଦ୍ୟାନ ବିଭାଗର ସାହାର୍ଯ୍ୟ ନେବେ । ଚାରା ମିଳିବା ପରେ ବିଦ୍ୟାଳୟରେ ପହଞ୍ଚାଇବା ଗୋଷ୍ଠୀ ଉନ୍ନୟନ ଅଧିକାରୀମାନଙ୍କର ଦାୟିତ୍ୱ ରହିବ । ଏହାପରେ ଛାତ୍ରଛାତ୍ରୀମାନଙ୍କୁ ଚାରା ଯୋଗାଣ କରାଯିବ । ଏଥିପାଇଁ ସମସ୍ତ ବିଦ୍ୟାଳୟରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯିବ । ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ, ପଞ୍ଚାୟତ ପ୍ରତିନିଧି, ଅଭିଭାବକ ଏବଂ ଅଞ୍ଚଳର ବହୁ ମାନ୍ୟଗଣ ବ୍ୟକ୍ତିଙ୍କୁ ଏହି କାର୍ଯ୍ୟକ୍ରମକୁ ଅତିଥି ଭାବେ ନିମନ୍ତ୍ରଣ କରାଯିବ । ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କୁ ଚାରା ବଣ୍ଟନ କରାଯିବ । କେବଳ ଏତିକି ନୁହେଁ, ଛାତ୍ରଛାତ୍ରୀମାନଙ୍କୁ ଚାରା ରୋପଣ ପ୍ରଣାଳୀ ଯଥା ମାଟି ଖୋଲିବା, ଖତ ଦେବା, ପାଣି ସିଞ୍ଚନ ସମ୍ପର୍କରେ ମଧ୍ୟ ତାଲିମ ଦିଆଯିବ । ଚାରା ମିଳିବାର ଗୋଟିଏ ଦିନ ଭିତରେ ଛାତ୍ରଛାତ୍ରୀମାନେ ତାକୁ ରୋପଣ କରିବେ । ସେମାନେ ଚାହିଁଲେ ନିଜ ଘର ଆଖପାଖ ଅଂଚଳ କିମ୍ବା ଖାଲି ସ୍ଥାନରେ ତାହାକୁ ରୋପଣ କରିପାରିବେ । ଯଦି ଜାଗା ନ ପାଆନ୍ତି, ତେବେ ବିଦ୍ୟାଳୟରେ ମଧ୍ୟ ରୋପଣ କରିପାରିବେ । ବିଦ୍ୟାଳୟ ସ୍ତରରେ କାର୍ଯ୍ୟକ୍ରମ ଆୟୋଜନଠାରୁ ଚାରା ରୋପଣ ପର୍ଯ୍ୟନ୍ତ ବିଡ଼ିଓ, ଗୋଷ୍ଠୀ ଶିକ୍ଷା ଅଧିକାରୀ ଏବଂ ପ୍ରଧାନ ଶିକ୍ଷକମାନେ ତତ୍ତ୍ୱାବଧାନ କରିବେ । ଗୋଟିଏ ବର୍ଷ ପରେ ଏହି ଅଭିଯାନର ସମୀକ୍ଷା ଏକ ସ୍ୱତନ୍ତ୍ର ଟିମ ଦ୍ୱାରା କରାଯିବ । ଏହାପରେ ସଫଳ ଛାତ୍ରଛାତ୍ରୀମାନଙ୍କୁ ବନମହୋତ୍ସବ କାର୍ଯ୍ୟକ୍ରମରେ ପ୍ରମାଣପତ୍ର ପ୍ରଦାନ ସହ ପୁରସ୍କୃତ କରାଯିବ ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା