ଜଳେଶ୍ଵର (ସମୃଦ୍ଧ ଓଡିଶା) ଜଳେଶ୍ଵର ବ୍ଲକ ଅନ୍ତର୍ଗତ ଆରୁହା ଗ୍ରାମ ପଞ୍ଚାୟତର ନିମପୁର ଗ୍ରାମରେ ଦୁଇଟି ପରିବାରର ଘର ବାଡ଼ି ଉପର ଦେଇ ୩୩ ହଜାର କେ.ଭି, ବିଦ୍ୟୁତ, ଜଳେଶ୍ଵର ଠାରୁ ପଶ୍ଚିମବାର୍ଡ ପର୍ଯ୍ୟନ୍ତ ଦୀର୍ଘ ଦିନରୁ ପ୍ରବାହିତ ହୋଇ ଆସୁଅଛି ଏବଂ ଏହା ବିପଦପୂର୍ଣ୍ଣ ଅବସ୍ଥାରେ ଖୁଣ୍ଟ ଅଧା ଗଡ଼ି ରହିଅଛି । ଯାହାକି ବିଦ୍ୟୁତ ସରବରାହ ସମୟରେ ଖୁଣ୍ଟ ଯଦି ଓଲଟି ପଡ଼େ, ତାହାଲେ ସୁରେନ୍ଦ୍ର ବେହେରାଙ୍କ ଦୁଇ ପରିବାର ଧ୍ୱଂସ ହୋଇ ପାରେ ଏଥିରେ ସନ୍ଦେହ ନାହିଁ । ଗତ ଫେବୃଆରୀ ୨୪ ତାରିଖରେ ଜଳେଶ୍ଵର ବ୍ଲକରେ ଜନଶୁଣାଣୀ ସମୟରେ ଅଭିଯୋଗକାରୀ ସୁରେନ୍ଦ୍ର ବେହେରା ଏକ ଦରଖାସ୍ତ ଦେବା ପରେ ବିଦ୍ୟୁତ ବିଭାଗ ୮ ଦିନ ଭିତରେ ଖୁଣ୍ଟ ସ୍ଥାନାନ୍ତରିତ କରିବେ ବୋଲି ପ୍ରତିଶୃତି ଦେଇ ଥିଲେ । ମାତ୍ର ଦୀର୍ଘ ୬ ମାସ ବିତି ଯାଇଥିଲେ ମଧ୍ୟ ବିଦ୍ୟୁତ ବିଭାଗ କୌଣସି ପଦକ୍ଷେପ ନେଉ ନାହିଁ । ଅଭିଯୋଗକାରୀ ଓ ଗ୍ରାମବାସୀଙ୍କ ତରଫରୁ ଗ୍ରାମ୍ୟ ମୁଖ୍ୟ ଲକ୍ଷ୍ମୀ ନାରାୟଣ ପ୍ରଧାନ, ମହେଶ୍ୱର ପ୍ରଧାନ, ଲେଲିନ କୁମାର ପ୍ରଧାନ, ଜୟନ୍ତ ସାହୁ, ଶଶିକାନ୍ତ ବେହେରା, ସୁକୁମାର ଦାସ, ନିଗମାନନ୍ଦ ପାତ୍ର, ମନୋଜ କୁମାର ପ୍ରଧାନ, ଆରୁହା ଗ୍ରାମ ପଞ୍ଚାୟତର ସରପଞ୍ଚ ହରିଶ୍ଚନ୍ଦ୍ର ଭୂୟାଁ, ସମିତି ସଭ୍ୟ ରାଜେନ୍ଦ୍ର ପାତ୍ର ପ୍ରମୁଖ ବାରମ୍ବାର ବିଦ୍ୟୁତ ବିଭାଗରେ ଜଣାଇଲେ ମଧ୍ୟ ବିଦ୍ୟୁତ ବିଭାଗ କୌଣସି ପଦକ୍ଷେପ ନେଉ ନ ଥିବାରୁ ସାଧାରଣରେ ଅସନ୍ତୋଷ ହେଉ ଥିବା ଜଣା ପଡ଼ିଛି ଓ ବିପଦପୂର୍ଣ୍ଣ ଖୁଣ୍ଟକୁ ବିଦ୍ୟୁତ ବିଭାଗ ଯଦି ୧୫ ଦିନ ଭିତରେ ସ୍ଥାନାନ୍ତରିତ ନ କରେ, ତାହାଲେ ଅଭିଯୋଗକାରୀ ଓ ଗ୍ରାମବାସୀ ତରଫରୁ ବିରାଟ ଆନ୍ଦୋଳନ ସହିତ ଅନଶନରେ ବସିବେ ବୋଲି ଚେତାବନୀ ଦେଇଛନ୍ତି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା