


ଭୁବନେଶ୍ୱର(ସମୃଦ୍ଧଓଡିଶା) ଭାରତର ସ୍ୱାଧୀନତା ସଂଗ୍ରାମରେ ଯେଉଁ ମହାନ୍ ବିପ୍ଳବୀମାନେ ନେତୃତ୍ୱ ନେଇ ସଂଗ୍ରାମ ରଥର ସାରଥି ସାଜିଥିଲେ, ସେମାନଙ୍କ ମଧ୍ୟରୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଥିଲେ ଅଗ୍ରଗଣ୍ୟ । ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଥିଲେ ବିଦ୍ରୋହର କର୍ଣ୍ଣଧାର, ସମାଜ ସଂସ୍କାରକ, ଦୟାର ଅବତାର ଏବଂ ଭାରତବର୍ଷର ସ୍ୱାଧୀନତା ସଂଗ୍ରାମ ଇତିହାସରେ ଜଣେ ଶ୍ରେଷ୍ଠ ବୀର ବିପ୍ଳବୀ ଯୁଗପୁରୁଷ । ଏହି ବିପ୍ଳବୀ ଯୋଗଜନ୍ମା ଯୁଗପୁରୁଷଙ୍କ ଉଦ୍ଦେଶ୍ୟରେ ଶାନ୍ତିନିକେତନଠାରେ ବିଶ୍ୱକବି ରବୀନ୍ଦ୍ରନାଥ ଠାକୁର ୧୯୩୭ ମସିହାରେ ସମ୍ବର୍ଦ୍ଧିତ କରି କହିଥିଲେ-‘ମୁଁ ବଙ୍ଗଳାର କବି ହୋଇ ତୁମକୁ ଦେଶନାୟକ ପଦରେ ବରଣ କରୁଛି । ମହାନ୍ ବୀର ପୁରୁଷ ଓ ଭାରତର ସର୍ବଶ୍ରେଷ୍ଠ ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏ ୧୮୦୯ ମସିହା ଜାନୁଆରୀ ମାସ ୨୩ ତାରିଖ ଦିନ ସମ୍ବଲପୁର ସହରର ଉତ୍ତରକୁ ପ୍ରାୟ ୨୧ ମାଇଲ ଦୂରରେ ଅବସ୍ଥିତ ବରଗାଁ ବା ଖିଣ୍ଡା ଗ୍ରାମରେ ଚୌହାନ୍ ରାଜପରିବାରରେ ଜନ୍ମଗ୍ରହଣ କରିଥିଲେ । ପଶ୍ଚିମ ଓଡ଼ିଶାରେ ୧୮୨୭ ମସିହାରେ ବୀର ସୁରେନ୍ଦ୍ର ସାଏ ସ୍ୱାଧୀନତା ସଂଗ୍ରାମର ଅଗ୍ନିଶିଖାକୁ ପ୍ରଜ୍ୱଳିତ କରି ଇଂରେଜମାନଙ୍କ ବିରୁଦ୍ଧରେ ବିଦ୍ରୋହ କରିଥିଲେ । ତାଙ୍କର ପ୍ରଧାନ ଲକ୍ଷ୍ୟ ଥିଲା ସମ୍ବଲପୁର ମାଟିରୁ ବି୍ରଟିଶ ଶାସନ ଲୋପ କରିବା । ପରବର୍ତ୍ତୀ ପର୍ଯ୍ୟାୟରେ ଏହା ଅଧିକ ସୁସଙ୍ଗଠିତ, ସୁସଂହତ ତଥା ବୀରତ୍ୱପୂର୍ଣ୍ଣ ଥିଲା । ସୁରେନ୍ଦ୍ର ସାଏଙ୍କ କୌଶଳପୂର୍ଣ୍ଣ ଗରିଲା ଯୁଦ୍ଧ, ରଣସଜ୍ଜା, ଦୃଢ଼ ମନୋବଳ, ଅସୀମ ଧୈର୍ଯ୍ୟ ଓ ସାହସ ନିକଟରେ ଇଂରେଜମାନେ ହାର ମାନିଥିଲେ । ଓଡ଼ିଶାର ଏହି ବରପୁତ୍ର, ବିପ୍ଳବୀ ବୀର ସୁରେନ୍ଦ୍ର ସାଏଙ୍କ ବିପ୍ଳବର ଜୟଗାଥା ଓଡ଼ିଶା ଇତିହାସରେ ଚିରଦିନ ପାଇଁ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ପୃଷ୍ଠା ମଣ୍ଡିତ କରୁଥିବ । ସୁଭାଷ ବୋଷଙ୍କ ୧୨୮ତମ ଜୟନ୍ତୀ ଓ ବୀର ସୁରେନ୍ଦ୍ର ସାଏଙ୍କ ୨୧୬ତମ ଜୟନ୍ତୀ ବିଧାନସଭା ପରିସରରେ ଅନୁଷ୍ଠିତ ହୋଇଯାଇଥିବାବେଳେ ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ, ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା, ଉପବାଚସ୍ପତି ଶ୍ରୀ ଭବାନୀଶଙ୍କର ଭୋଇ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ, ବିଧାୟକ ଶ୍ରୀ ବାବୁ ସିଂ, ଶ୍ରୀ ପ୍ରକାଶ ଚନ୍ଦ୍ର ସେଠୀ, ଶ୍ରୀ ଆଶ୍ରିତ ପଟ୍ଟନାୟକ, ପୂର୍ବତନ ବିଧାୟକ ଶ୍ରୀ ଯଜ୍ଞଶ୍ୱର ବାବୁ, ବିଧାନସଭା ସଚିବ ଶ୍ରୀ ଦାଶରଥୀ ଶତପଥି ପ୍ରମୁଖ ଉପସ୍ଥିତ ରହି ସୁଭାଷ ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପାର୍ଘ୍ୟ ପ୍ରଦାନ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶାଶ୍ୱତୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଦେଶାତ୍ମବୋଧକ ସଂଗୀତ ପରିବେଷଣ କରାଯାଇଥିଲା । ସୁଶ୍ରୀ ରୋଜାଲିନ୍ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
ରିପୋର୍ଟ : ବିଭୂତି ନାୟକ, ସୂଚନା ଅଧିକାରୀ