

ସାନଖେମୁଣ୍ଡି (ସମୃଦ୍ଧ ଓଡିଶା) କରୋନା ସଂକ୍ରମଣ ବିଭୀଷିକା ସାରା ବିଶ୍ୱକୁ କବଳିତ କରିବା ସହିତ ଧନୀ ଦରିଦ୍ରର ଫରକ ରଖୁନାହି । ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ନିରପେକ୍ଷତା ସହିତ ସଂକ୍ରମିତ କରି ନିଜ ପତିଆରା ଜାହିର କରୁଅଛି । ପୃଥିବୀର କରୋନା ସଂକ୍ରମିତ ହାର ତୁଳନାରେ ଭାରତ ଭଲ ସ୍ଥିତିରେ ଥିଲେ ମଧ୍ୟ ବିଶାଳ ଭୂଖଣ୍ଡର ଦେଢ଼ଶହ କୋଟି ଜନସଂଖ୍ୟା ବିଶିଷ୍ଟ ଉପମହାଦେଶରେ ସମ୍ପ୍ରତି କରୋନା ଅଦୃଶ୍ୟ ଯୁଦ୍ଧରେ ଥାଇ ଭାରତୀୟ ସଂସ୍କାରି ଯୋଦ୍ଧାଙ୍କ ବ୍ୟବସ୍ଥିତ ଯୁଦ୍ଧରେ ପରାଜୟ ମୁଖି ହେଉଥିବା ଆଶା କରାଯାଉଅଛି । ପରନ୍ତୁ ଶେଷ ଯୁଦ୍ଧର ନିର୍ଣ୍ଣାୟକ ମୋଡରେ ପ୍ରତିପତ୍ତି ଶାଳୀ ଦେଶ ତୁଳନାରେ ଭାରତୀୟ ଯୋଦ୍ଧାଙ୍କ ଭଳି ସାଧାରଣ ଜନତାଙ୍କ ଭାଗିଦାରୀ ମହତ୍ୱ ରଖିଥିବାରୁ ଏଥିନେଇ ସଚେତନତା ସହାୟତା ଏବଂ ଉତ୍ତରଦାୟିତ୍ୱବୋଧର ଆବଶ୍ୟକତା ରହିଅଛି । କରୋନା ସଂକ୍ରମଣ ଜନିତ ବିଷମ ସ୍ଥିତିରେ ବହୁ ପ୍ରବାସୀ ଫେରନ୍ତା ଦେଶର ପ୍ରମୁଖ ହଟ୍ ସ୍ପଟ୍ ଅଞ୍ଚଳରୁ ଆସି ବ୍ୟବସ୍ଥା କରାଯାଇଥିବା ସରକାରୀ ସଙ୍ଗରୋଧ କେନ୍ଦ୍ରରେ ଅଛନ୍ତି । ସରକାରଙ୍କ ତରଫରୁ ସେମାନଙ୍କୁ ଏକାନ୍ତ ବାସ ପ୍ରତିକ୍ରିୟାରେ ତିନି ସପ୍ତାହ ଧରି ବି ପରୀକ୍ଷା ନିରୀକ୍ଷା ପରେ କରୋନା ସଂକ୍ରମଣ ଟେଷ୍ଟ କରାଯାଇ ସଂଗରୋଧରୁ ଫେରିବା ବ୍ୟବସ୍ଥା ରହିଅଛି । ଏହି ସ୍ଥିତିରେ ସାନଖେମୁଣ୍ଡି ବ୍ଲକ ଅଧିନ ୨୬ ଗୋଟି ପଞ୍ଚାୟତର ୧୩୦ ସଂଗରୋଧ କେନ୍ଦ୍ରରେ ବୁଧବାର ସୁଦ୍ଧା ୨୮୦୦ ଜଣ ପ୍ରବାସୀ ଫେରନ୍ତାଙ୍କ ଆଗମନ ହୋଇଥିବା ବେଳେ ସେଥି ମଧ୍ୟରେ ୧୨୨ ଜଣ ମହିଳା ଓ ୯୦ ଜଣ ଶିଶୁ ରହିଥିବା ପ୍ରଶାସନ ସୂତ୍ରରୁ ଜଣାଯାଇଛି । ସରକାରଙ୍କ ବ୍ୟବସ୍ଥା ପ୍ରକାରେ ସବୁ ଅନ୍ତେବାସୀଙ୍କୁ ମାଗଣା ଖାଇବା, ରହିବା ସହ ଆନୁସଂଗିକ ଚିକିତ୍ସା ବ୍ୟବସ୍ଥା ମଧ୍ୟ ରହିଅଛି ପରନ୍ତୁ ନିଜ ପରିବାରକୁ ଛାଡ଼ି ସଙ୍ଗରୋଧରେ ଥିବା ନିରୀହ ମହିଳା ଓ ଶିଶୁଙ୍କ ପାଇଁ ସରକାରୀ ବ୍ୟବସ୍ଥା ଅନୁସାରେ ସେବା ମିଳି ନ ଥିବା ବେଳେ ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନାଙ୍କ ତରଫରୁ ଅଞ୍ଚଳରେ ସଂଗରୋଧ୍ ଥିବା ସମସ୍ତ ମହିଳା ଓ ଶିଶୁଙ୍କ ପାଇଁ ହରଲିକ୍ସ ପରିପୂରକ ଖାଦ୍ୟର ବ୍ୟବସ୍ଥା କରାଯାଇଛି । ବିଧାୟକଙ୍କ ତରଫରୁ ଆଜି ତାଙ୍କ ବ୍ୟକ୍ତିଗତ ସଚିବ ଚିନ୍ମୟ କୁମାର ହୋତା ବ୍ଲକର ସମସ୍ତ ସଂଗରୋଧା କେନ୍ଦ୍ର ଗସ୍ତ କରିବା ସହିତ ଅନ୍ତେବାସୀ ମହିଳା ଓ ଶିଶୁ ମାନଙ୍କୁ ହରଲିକ୍ସ ପକେଟ୍ ପ୍ରଦାନ କରିଛନ୍ତି । ବିଗତ ଦିନରେ ସମସ୍ତ ଅନ୍ତେବାସୀଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କଲା ପରେ ବିଧାୟକଙ୍କ ଦ୍ଵାରା ଏତାଦୃଶ ହିତକାରୀ କାର୍ଯ୍ୟକ୍ରମକୁ ନେଇ ସଂଗରୋଧରେ ଥିବା ଅନ୍ତେବାସୀଙ୍କ ମନରେ ଖୁସିର ଲହରୀ ଖେଳି ଯାଇଥିଲା ବେଳେ ଅଞ୍ଚଳର ଜନସାଧାରଣଙ୍କ ମନରେ ବିଧାୟକଙ୍କ ଭାବମୂର୍ତ୍ତିକୁ ନେଇ ପ୍ରଶଂସା କରାଯାଇଥିବା ଜଣାପଡିଛି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା ଓ ସନ୍ତୋଷ କୁମାର ଦାଶଙ୍କ ରିପୋର୍ଟ



