ବିଜେପିର ବିଧାୟକ ହେବା ପାଇଁ ପ୍ରବଳ ଇଚ୍ଛାକରି ଆଇଏଏସ୍ ଚାକିରି ହରାଇଲେ ଯୁବକ …

ରାୟପୁର (ସମୃଦ୍ଧ ଓଡିଶା) ବିଧାୟକ ହେବା ପାଇଁ ପ୍ରବଳ ଇଚ୍ଛାକରି ଆଇଏଏସ୍ ଚାକିରି ହରାଇଲେ ଯୁବକ । ଆଇଏଏସ୍‌ ଚାକିରି ଛାଡ଼ି ବିଜେପିରେ ମିଶିଥିଲେ ରାୟପୁରର ପୂର୍ବତନ ଜିଲ୍ଲାପାଳ । ନିର୍ବାଚନ ବି ଲଢ଼ିଥିଲେ । ହେଲେ ହାରିଗଲେ । ସେ ହେଉଛନ୍ତି ଛତିଶଗଡ଼ର ରାୟପୁରର ପୂର୍ବତନ ଜିଲ୍ଲାପାଳ ଓମ୍‌ ପ୍ରକାଶ ଚୌଧରୀ । ୨୦୦୫ ବ୍ୟାଚ୍‌ର ଆଇଏଏସ୍ ଅଫିସର୍ ଓମ୍ ପ୍ରକାଶ ଗତ ଅଗଷ୍ଟ ୨୫ ତାରିଖରେ ନିଜ ପଦରୁ ଇସ୍ତଫା ଦେଇଥିଲେ। ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଓ ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କ ଉପସ୍ଥିତିରେ ସେ ବିଜେପିରେ ଯୋଗ ଦେଇଥିଲେ । ଓମ୍ ପ୍ରକାଶ ହେଉଛନ୍ତି ଚୌଧରୀ ଅଘରିଆ ସଂପ୍ରଦାୟର । ଛତିଶଗଡ଼ରେ ଏମାନଙ୍କର ଭଲ ଆଧିପତ୍ୟ ରହିଛି । ଯୁବ ଗୋଷ୍ଠୀଙ୍କ ମଧ୍ୟରେ ଓମ୍‌ ପ୍ରକାଶ ଭାରି ଲୋକପ୍ରିୟ । ହେଲେ କଂଗ୍ରେସର ଗଡ଼ କୁହାଯାଉଥିବା ଖରସିଆ ଆସନରେ ତାଙ୍କ ଯାଦୁ ଚାଲିଲା ନାହିଁ । ସେ ଏଥର ଖରସିଆ ଆସନରୁ ନିର୍ବାଚନ ଲଢ଼ିଥିଲେ । ତେବେ ତାଙ୍କୁ କଂଗ୍ରେସ ପ୍ରାର୍ଥୀ ଉମେଶ ପଟେଲ୍‌ ପରାସ୍ତ କରିଛନ୍ତି । ଓମ୍‌ ପ୍ରକାଶଙ୍କୁ ୭୭ ହଜାର ୨୩୪ଟି ଭୋଟ୍ ମିଳିଥିବା ବେଳେ ଉମେଶ ପଟେଲଙ୍କୁ ୯୪ ହଜାର ୨୦୧ଟି ଭୋଟ୍ ମିଳିଥିଲା । ଚାକିରି ଛାଡ଼ିବା ପୂର୍ବରୁ ଓମ୍ ପ୍ରକାଶ ରାୟପୁରର ଜିଲ୍ଲାପାଳ ଥିଲେ । ତା’ପୂର୍ବରୁ ସେ ଦାନ୍ତେୱାଡାର ଜିଲ୍ଲାପାଳ ଥିଲେ । ଗତ ନିର୍ବାଚନ ବେଳେ ସେ ଲୋକ ସଂପର୍କ ବିଭାଗରେ ଥିଲେ । ସେ ରମଣ ସିଂହଙ୍କ ଖାସ୍ ଲୋକ ଭାବେ ଜଣାଶୁଣା । ନକ୍ସଲ ପ୍ରଭାବିତ ଅଞ୍ଚଳରେ ଭଲ କାର୍ଯ୍ୟ କରି ସେ ପ୍ରଧାନମନ୍ତ୍ରୀଙ୍କଠାରୁ ପୁରସ୍କାର ବି ପାଇଥିଲେ । ହେଲେ ଆଇଏଏସ ଅଧିକାରୀଙ୍କ ବିଧାୟକ ସ୍ବପ୍ନ ଧୂଳିସାତ ହୋଇଗଲା ।