ଦିଗପହଣ୍ଡି (ସମୃଦ୍ଧ ଓଡିଶା) ବିନା ଅଗ୍ନି ନିରାପତ୍ତାରେ ଘରୋଇ କ୍ଲିନିକ୍ ଚାଲିଥିବା ସୂଚନା ମିଳିଛି । ସୂଚନା ଯେ, ଦିଗପହଣ୍ଡି ସହର ସମେତ ବ୍ଳକ ଏବଂ ଆଖପାଖ ଅଞ୍ଚଳରେ ଏବେ ଗଢି ଉଠିଛି ଶତାଧିକ ଘରୋଇ କ୍ଳିନିକ୍ ଆଉ ଔଷଧ ଦୋକାନ । ଔଷଧ ଦୋକାନ ଆଳରେ ଘରୋଇ କ୍ୱାକ୍ ମାନେ ଏଠାରେ ସର୍ଭିସ୍ ଦେଉଥିବା ଜଣାପଡିଛି । ଅନବିଜ୍ଞ ବ୍ୟକ୍ତିବିଶେଷ ମାନେ ରୋଗୀମାନଙ୍କୁ ସେବା ସୁଶ୍ରୁଷା ସହିତ ଚିକିତ୍ସା କରୁଥିବା ବେଳେ ବିନା ଅଗ୍ନି ନିରାପତ୍ତା ବ୍ୟବସ୍ଥାରେ ଏ ସବୁ ଚାଲିଥିବା ଜଣାପଡିଛି । ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ଶତାଧିକ ପାଥଲୋଜି କ୍ଲିନିକ୍ ରହିଛି । ସେହିମାନେ ହିଁ ନିର୍ଦ୍ଦିଷ୍ଟ ଡାକ୍ତରମାନଙ୍କ ସହିତ ଯୋଗାଯୋଗ କରି କ୍ଳିନିକ୍ ସ୍ଥାପନ କରିଛନ୍ତି । ଡାକ୍ତରମାନେ ନିଜ ନିଜର ନିର୍ଦ୍ଦିଷ୍ଟ ସମୟାନୁଯାୟୀ ସେଗୁଡିକରେ ପାଦ ଦେଇ ରୋଗୀ ସେବା ଯୋଗାଇଦେଇ ଫେରିଯାଉଥିବା ବେଳେ ବେଧଡକ ଭାବେ ବେଆଇନ କାରବାର ଚାଲିଥିବା ଦେଖିବାକୁ ମିଳିଛି । ସେପଟେ ଡ୍ରଗ୍ସ୍ ଇନ୍ସପେକ୍ଟର କିମ୍ବା ଅନ୍ୟାନ୍ୟ ବିଭାଗୀୟ ଉଚ୍ଚକର୍ତ୍ତୃପକ୍ଷମାନଙ୍କର କେବେ ହେଲେ ଦିଗପହଣ୍ଡି ଏନଏସି କିମ୍ବା ବ୍ଳକ ଅଞ୍ଚଳରେ ଚଢାଉ କାର୍ଯ୍ୟକ୍ରମ କରୁନଥିବାରୁ ଖୋଲାଖୋଲି ଭାବେ ଆଇନକୁ ଉଲଂଘନ କରାଯାଇ ଘରୋଇ କ୍ଳିନିକ୍ ମାନ ଚାଲିଥିବା ଜଣାପଡିଛି । କେବଳ ସେତେକି ନୁହଁ ଏସବୁରେ ସୁରକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ଢିଲା ରହିଥିବା ବେଳେ ଆବର୍ଜନା ନିଷ୍କାସନ ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା ନଥିବା ପ୍ରକାଶ ପାଇଛି । ଗମନାଗମନ ଦୃଷ୍ଟିରୁ ସବୁଦିନିଆ ଯୋଗାଯୋଗର ସୁବିଧା ସୁଯୋଗ ରହିଥିବାରୁ ରୋଗୀ ମାନେ ଦୂରଦୂରାନ୍ତରୁ ଦିଗପହଣ୍ଡି ସହରକୁ ଆସି ଚିକିତ୍ସା କରିଥାନ୍ତି । ସରକାରୀ ଡାକ୍ତରଖାନାରେ ସେତେଟା ବ୍ୟବସ୍ଥା ନଥିବାରୁ କୌଣସି ଅସ୍ତ୍ରୋପଚାର କିମ୍ବା ଅନ୍ୟାନ୍ୟ ଦୁଃସାଧ୍ୟ ରୋଗ ହେଲେ ରୋଗୀ ତଥା ତାଙ୍କ ସମ୍ପର୍କିୟ ମାନେ ଦିଗପହଣ୍ଡି ସହର କିମ୍ବା ଆଖପାଖରେ ଖ୍ୟାତି ଅର୍ଜନ କରିଥିବା ବିଭିନ୍ନ ଘରୋଇ କ୍ଳିନିକ୍ ମାନଙ୍କରେ ଭର୍ତ୍ତି ହୋଇ ନିଜ ନିଜର ଚିକିତ୍ସା କରିଥାନ୍ତି । ଉକ୍ତ ଘରୋଇ କ୍ଳିନିକ୍ ମାନଙ୍କର କ୍ଳିନିକାଲ୍ ନକ୍ସା ନଥିବା ବେଳେ କୌଣସି ପ୍ରକାର ଏନଓସି ନଥିବା ଜଣାପଡିଛି । ଜନଗହଳି ପୂର୍ଣ୍ଣ ଅଞ୍ଚଳ ଗୁଡିକରେ ଏହି କ୍ଳିନିକ୍ ମାନ ରହିଥିବା ବେଳେ ସର୍ବଦା ଏଗୁଡିକରୁ ବାହାରୁଥିବା ବର୍ଜ୍ୟବସ୍ତୁକୁ ନେଇ ବିଭିନ୍ନ ସମୟରେ ଜନଅସନ୍ତୋଷ ଦେଖାଦେଉଛି । ସେହିପରି କ୍ଳିନିକ୍ ମାନଙ୍କରେ ଆକସ୍ମିକ ବିଦ୍ୟୁତ୍ ସଟ୍ ସର୍କିଟ୍ ହୋଇ କୌଣସି ଅଘଟଣ ଘଟିଲେ ସେଥିପ୍ରତି କୌଣସି ପ୍ରକାର ନିଘା ନଥିବା ଜଣାପଡିଛି । ଦିଗପହଣ୍ଡି ସହର ଏବଂ ଆଖପାଖ ଅଞ୍ଚଳରେ ରହିଥିବା ସମସ୍ତ ଘରୋଇ କ୍ଳିନିକ୍, ପାଥଲୋଜି ଲ୍ୟାବ୍ ସେଣ୍ଟର ଏବଂ ସମ୍ବେଦନଶୀଳ ସ୍ଥାନମାନଙ୍କରେ ରହିଥିବା ଔଷଧ ଦୋକାନ ଓ ଗୋଦାମ ଗୁଡିକ ବିନା ଏନଓସିରେ ଚଳାଉଛନ୍ତି ବୋଲି ଦିଗପହଣ୍ଡି ଫାୟର ଅଫିସର୍ ବିଜୟ କୁମାର ନାୟକ କହିଛନ୍ତି । ସମସ୍ତଙ୍କୁ ତାଗିଦ୍ ପୂର୍ବକ ଦିଗପହଣ୍ଡି ଅଗ୍ନିଶମ ବିଭାଗ କାର୍ଯ୍ୟାଳୟରେ ଏନଓସି ପାଇଁ ଆବେଦନ କରିବା ପାଇଁ ସଚେତନ କରାଯାଉଥିଲେ ହେଁ ସମସ୍ତେ ବେଫିକର ରହୁଛନ୍ତି ଆସନ୍ତା ଦିନରେ ଆଇନତଃ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି । ସାଧାରଣତଃ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ସମେତ ଧନଜୀବନକୁ ନେଇ ବ୍ୟବସାୟ କରୁଥିବା ବ୍ୟବସାୟୀ ମାନେ ଅନ୍ତତଃ ପକ୍ଷେ ଅଗ୍ନି ନିରାପତ୍ତା ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ ସୁରକ୍ଷା ବ୍ୟବସ୍ଥା ପ୍ରତି ସଜାଗ ହେବା ପାଇଁ ସାଧାରଣରେ ଦାବୀ ହୋଇଛି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା