ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକର ବିଭିନ୍ନ ପଞ୍ଚାୟତରେ ବର୍ତ୍ତମାନ ଟ୍ୟୁୱେଲ ଖୋଳା ଚାଲିଥିବା ବେଳେ ଦକ୍ଷିଣ ପ୍ରହରାଜପୁର ପଂଚାୟତର ୩ଟି ସ୍ଥାନରେ ବିନା ଅନୁମୋଦନରେ ଏପରି କାର୍ଯ୍ୟ ଚାଲୁ ରହିଛି ବୋଲି ଅଭିଯୋଗ ହୋଇଛି । ପ୍ରାପ୍ତ ସୂଚନା ଅନୁଯାୟୀ ଡିପିପୁର ପ୍ରାଥମିକ ବିଦ୍ୟାଳୟ ସମ୍ମୁଖ, ଗୁଆଗଡିଆ ହାଇସ୍କୁଲ ପରିସର ଓ ତପନ ବେସ୍ରା ଘର ସମ୍ମୁଖ ସ୍ଥାନରେ ୩ଟି ଟ୍ୟୁୱେଲ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲେ ସୁଦ୍ଧା ଅଦ୍ୟାବଧି ସଂପୂର୍ଣ୍ଣ ହୋଇନାହିଁ । ଡିପିପୁର ପ୍ରାଥମିକ ବିଦ୍ୟାଳୟ ସମ୍ମୁଖ ଓ ତପନ ବେସ୍ରାଙ୍କ ଘର ସମ୍ମୁଖରେ ଚାଲୁ ରହିଥିବା କାର୍ଯ୍ୟରେ ବ୍ୟବହୃତ ପାଇପ୍ ଗୁଡିକ ସରକାରଙ୍କ ନିୟମ ଅନୁଯାୟୀ ଏସ୍ସିଏଚ୍-୮୦ ଯାହାର ମିଟର ପ୍ରତି ମୂଲ୍ୟ ୫୭୨ଟଙ୍କା ଥିବା ବେଳେ ତା ବଦଳରେ ଏସ୍ସିଏଚ୍-୬୦ ଯାହାର ମିଟର ପ୍ରତି ମୂଲ୍ୟ ୩୦୮ଟଙ୍କା ଲାଗାଯାଇଥିବା ଅଭିଯୋଗ ହୋଇଛି । ଏପରିକି ଯେତିକି ପରିମାଣରେ ବୋରିଂ ହେବାକଥା ତାହାଠାରୁ ବହୁ କମ୍ ପରିମାଣରେ ବୋରିଂ କରାଯାଇଥିବା ଅଭିଯୋଗ ମଧ୍ୟ ହୋଇଛି । ଏହି ଅଭିଯୋଗ ସଂପର୍କରେ ପଂଚାୟତର ଭିଏଲ୍ଡବ୍ଲୁ ଅତୁଲ କୁମାର ପ୍ରଧାନଙ୍କ ଦୃଷ୍ଟି ଆକର୍ଷଣ କରାଯିବାରୁ ସେ ପଞ୍ଚାୟତର ବାର୍ଷିକ ଏକ୍ସନ ପ୍ଲାନ ୨୦୧୭-୧୮ ଓ ୨୦୧୮-୧୯ରେ ଏପରି କୌଣସି ଟ୍ୟୁୱେଲ ଖୋଳା ଯିବା ପାଇଁ ଅନୁମୋଦନ ହୋଇନାହିଁ ବୋଲି ପ୍ରକାଶ କରିଥିଲେ । ପଞ୍ଚାୟତର କନିଷ୍ଠ ଯନ୍ତ୍ରୀ ଇଂ ଶରତ ଚନ୍ଦ୍ର ଉପାଧ୍ୟାୟଙ୍କୁ ଯୋଗାଯୋଗ କରିବାରୁ ସେ ଏପରି ଖନନ କାର୍ଯ୍ୟ ସଂପର୍କରେ ଜାଣିନାହାନ୍ତି ବୋଲି ରୋକଠୋକ ମନା କରିଥିଲେ । ଆର୍ଡବ୍ଲୁ ଏସ୍ଏସ୍ ର କନିଷ୍ଠ ଯନ୍ତ୍ରୀ ଇଂ ଓମ୍ପ୍ରକାଶ ଜେନାଙ୍କୁ ପଚାରିବାରୁ ଏହା ତାଙ୍କ ବିଭାଗର କାମ ନୁହେଁ ବରଂ ପଞ୍ଚାୟତର କାମ ହୋଇଥିବାର ସେ କହିଥିଲେ । ମାତ୍ର ଏହି ଅଭିଯୋଗ ସଂପର୍କରେ ବିଭାଗୀୟ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ଅରୁଣ କୁମାର ବାରିକଙ୍କୁ ଯୋଗାଯୋଗ କରିବା ପାଇଁ ତାଙ୍କ କାର୍ଯ୍ୟାଳୟକୁ ବାରମ୍ବାର ଯାଇଥିଲେ ମଧ୍ୟ ସେ ଅନୁପସ୍ଥିତ ରହି କୌଣସି ଫୋନ ରିସିଭ୍ କରିନଥିଲେ । ଯଦି ଏଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ଅଧିକାରୀମାନେ ପଂଚାୟତବାସୀଙ୍କ ଅଭିଯୋଗକୁ ଅଣଦେଖା କରନ୍ତି ତେବେ ମୁଖ୍ୟମନ୍ତ୍ରୀଙ୍କ ୫ଟି ନିର୍ଦ୍ଦେଶ କିପରି କାର୍ଯ୍ୟକାରୀ ହେବ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ଜଳେଶ୍ୱର ବିଡିଓ ନିତ୍ୟାନନ୍ଦ ସାହୁ ଅଭିଯୋଗ ସଂପର୍କରେ ପଞ୍ଚାୟତ ଦାୟିତ୍ୱରେ ଥିବା ଭିଏଲ୍ଡବ୍ଲୁ ଅତୁଲ କୁମାର ପ୍ରଧାନଙ୍କୁ ଘଟଣା ସଂପର୍କରେ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେବା ସଂଗେ ସଂଗେ ବେଆଇନ୍ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଆଇନ୍ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହି ଅଭିଯୋଗର ଭିଜିଲାନ୍ସ ତଦନ୍ତ ଲାଗି ଗ୍ରାମବାସୀମାନେ ଦାବି କରିଛନ୍ତି ।
ରିପୋର୍ଟ : ଭୂପତି କୁମାର ପରିଡ଼ା