ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାରେ ଅଟୋ, ବସ୍ କିମ୍ବା ଅନ୍ୟ ଯାନବାହାନରେ ଯାତ୍ରା କରୁଥିବା ଯାତ୍ରୀ ମାସ୍କ ପିନ୍ଧି ନ ଥିଲେ ସଂପୃକ୍ତ ଗାଡିର ମାଲିକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ମଙ୍ଗଳବାର ସୂଚନା ଦେଇଛନ୍ତି । ଅନ୍ୟପଟେ ଗଞ୍ଜାମ ଜିଲ୍ଲାକୁ କରୋନା ମୁକ୍ତ କରିବା ପାଇଁ ଆଜିଠାରୁ ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ଜିଲ୍ଲାରେ ଅକ୍ସିଜେନ ଲେବଲ୍ ଯାଞ୍ଚ କ୍ୟାମ୍ପେନ ଆରମ୍ଭ ହୋଇଛି । ଜିଲ୍ଲାର ସମସ୍ତ ଘରକୁ ଟିମ୍ ଯାଇ ପରିବାର ସଦସ୍ୟଙ୍କ ଅକ୍ସିଜେନ ସ୍ତର ଯାଞ୍ଚ କରୁଛନ୍ତି । ଏହାଦ୍ୱାରା ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ଶୀଘ୍ର ଚି଼ହ୍ନଟ ସହ ଠିକ ସମୟରେ ଚିକିତ୍ସା କରାଯାଇପାରିବ ବୋଲି ଜିଲ୍ଲାପାଳ କହିଛନ୍ତି । ଡାକ୍ତରଙ୍କ ପରାମର୍ଶ ଅନୁସାରେ ରୋଗୀଙ୍କୁ ହସ୍ପିଟାଲକୁ ନେବା ପାଇଁ ଆମ୍ବୁଲାନ୍ସ ବ୍ୟବସ୍ଥା ରହିଛି ଏବଂ ତାଙ୍କର ଚିକିତ୍ସା କରାଯିବ ବିଶେଷକରି ଏହି ଯାଞ୍ଚ ଦ୍ଵାରା ଗର୍ଭବତୀ, ବରିଷ୍ଠ ନାଗରିକ ଏବଂ ବିଭିନ୍ନ ରୋଗରେ ପୀଡିତଙ୍କ ସୁବିଧା ହୋଇପାରିବ ବୋଲି କୁହାଯାଇଛି । ଉଲ୍ଲେଖଯୋଗ୍ୟ, ଗତକିଛି ଦିନ ହେବ ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମଣ ଗ୍ରାଫ ତଳକୁ ଖସୁଛି । ଗଞ୍ଜାମ ଜିଲ୍ଲାରୁ ଏ ପର୍ଯ୍ୟନ୍ତ ୧୮୭୪୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୭୮୧୮ ଜଣ ସୁସ୍ଥ ହୋଇଛନ୍ତି । ୭୧୦ ଜଣ ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହୋଉଛନ୍ତି ଏବଂ ୨୦୭ ଜଣଙ୍କର ମୃତ୍ୟୁ ହୋଇଛି । ଆଉ ୮ ଜଣଙ୍କ ମୃତ୍ୟୁ ହୋଇଥିବା ମଧ୍ୟ ତାଙ୍କ ମୃତ୍ୟୁର କାରଣ ଭିନ୍ନ ବୋଲି ସ୍ୱାସ୍ଥ୍ୟ ବିଭାଗ କହିଥିବା ଜଣାପଡିଛି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା