ଛତ୍ରପୁର (ସମୃଦ୍ଧ ଓଡିଶା) ଗତକାଲି ମାଁ ଉଜଳେଶ୍ୱରୀ ଡ଼ାଲା ଅଟୋ ଓ ଟାଟା ଏସି ସଂଘ ପକ୍ଷରୁ ବିଭିନ୍ନ ଦାବି ନେଇ ସଂଘର ସଦସ୍ୟମାନେ ଶତାଧିକ ଡ଼ାଲା ଅଟୋରେ ବିଶାଳ ସମାବେଶରେ ଛତ୍ରପୁର ସହର ପରିକ୍ରମା କରି ଆରଟିଓ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ଗଞ୍ଜାମ ଆରଟିଓଙ୍କୁ ସାକ୍ଷାତ କରିଛନ୍ତି । ସେମାନେ କହିଛନ୍ତି ସରକାରଙ୍କ ନିୟମ ଅନୁସାରେ ଆମେ ସମସ୍ତ ପ୍ରକାର ବୀମା, ଟେକ୍ସ, ବିଭିନ୍ନ ବାବଦରେ ଟଙ୍କା ପୈଠ କରି ଆସୁଛୁ । ମାତ୍ର ଗତ କିଛି ମାସ ହେଲା ଓଏମବିଡ଼ି ତରଫରୁ ବିନା କାରଣ ନଥାଇ ଆମ ଗାଡ଼ିଗୁଡ଼ିକର ତୁହାକୁ ତୁହା ଭିସିଆର୍ କାଟି ଅଯଥାରେ ଆମକୁ ହଇରାଣ କରୁଛନ୍ତି । ଆମେ ବିଭିନ୍ନ ବ୍ୟାଙ୍କରୁ ଋଣ ଆଣି ଗାଡ଼ି ଚଳାଇ ଗୁଜରାଣ ମେଣ୍ଟାଉଥିବା ବେଳେ ଆମକୁ ଉଦ୍ଦେଶ୍ୟମୂଳକ ଭାବେ ବିଭାଗୀୟ ଅଧିକାରୀମାନେ ହଇରାଣ କରି ଆମର ଡିଏଲ୍ ଛଡ଼ାଇ ନେଇ ରଦ୍ଦ କରୁଛନ୍ତି । ଯାହା ଫଳରେ ଆମେ ଆର୍ଥିକ କ୍ଷତିଗ୍ରସ୍ତ ହେବା ସହ ପରିବାର ଗୁଜରାଣ ମେଣ୍ଟାଇବାରେ ବାଧା ସୃଷ୍ଟି ହେଉଛି । ଆଗାମୀ ଦିନରେ ବିଭାଗୀୟ ପକ୍ଷରୁ ଏପରି କାର୍ଯ୍ୟ କରାଯାଏ ତାହା ହେଲେ ସଂଘ ପକ୍ଷରୁ ବ୍ୟାପକ ଭାବେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ସଂଘର ସଭାପତି କିଶୋର ଚନ୍ଦ୍ର ସେନାପତି, ଉପସଭାପତି ସୁଧୀର କୁମାର ବେହେରା, ପ୍ରମୋଦ ଚନ୍ଦ୍ର ବେହେରା, ଇ. ପ୍ରମୋଦ କୁମାର, ଏ. ମୁରଲି ପାତ୍ର, ଟୁଲୁ ସାହୁଙ୍କ ସମେତ ଶତାଧିକ ସଦସ୍ୟମାନେ ଅଂଶ ଗ୍ରହଣ କରିଛନ୍ତି ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା