ବ୍ରହ୍ମପୁର (ସମୃଦ୍ଧ ଓଡିଶା) ତୈଳଜାତ ସାମଗ୍ରୀ ଉପରୁ ଅତ୍ୟଧିକ ଚଢ଼ା ଅବକାରୀ ଶୁକ୍ଳ ହ୍ରାସ କାରି ପେଟ୍ରୋଲ, ଡିଜେଲର ଦର କମାଅ ଏବଂ ଅବକାରୀ ଶୁକ୍ଳ ବ୍ୟବସ୍ଥା ଲୋପ କରି ଜିଏସଟି ଭୁକ୍ତ କର । ରାଜ୍ୟ ସରକାର ଭାଟ ପରିମାଣ ସାର୍ଵ ନିମ୍ନ ଲିଟର ପିଛା ୧୦ଟଙ୍କା କମ କର । ଖାଇବା ତେଲ, ଡାଲି ଇତ୍ୟାଦି ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଦରବୃଦ୍ଧି ବନ୍ଦ କର । କଳା ବଜାରୀ, ମହଜୁଦ କାରୀଙ୍କୁ ସରକାରୀ ପ୍ରୋତ୍ସାହନ ବନ୍ଦ କରି କଠୋର ଦଣ୍ଡବିଧାନ କର । ସର୍ବ ବ୍ୟାପି ମହାମାରୀ କୋଭିଡ ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ସମସ୍ତ ପରିବାରକୁ ମୁଣ୍ଡପିଛା ୧୦କେଜି ହାରରେ ଚାଉଳ/ଗହମ ମାଗଣାରେ ଯୋଗାଅ । ଆୟକର ଦେଉ ନଥିବା ସବୁ ପରିବାରକୁ ମାସିକ ୭୫୦୦ ଟଙ୍କା ନଗଦ ଦିଆଯାଉ । ପ୍ରତ୍ୟେକ ପରିବାରକୁ ଚାଉଳ, ତେଲ, ଡାଲି, ଚିନି, ଚା ଆଦି ରାସନ କୀଟ ମାଗଣାରେ ବଣ୍ଟନ କର ଏହି ଦାବିକୁ ଭିତ୍ତିକରି ସିପିଆଇ(ଏମ), ସିପିଆଇ, ସିପିଆଇ(ଏମଏଲ) ଲିବେରେସନ, ଅଲ ଇଣ୍ଡିଆ ଫୋରୱାର୍ଡ଼ ବ୍ଲକ ଓଡିଶା ରାଜ୍ୟ କମିଟି ପକ୍ଷରୁ ଜୁଲାଇ ୧୫, ସକାଳ ୬ଟାରୁ ୧୨ଟା ପର୍ଯ୍ୟନ୍ତ ୬ ଘଣ୍ଟା ଓଡିଶା ବନ୍ଦ ପାଇଁ ଆହ୍ୱାନ ଦିଆଯାଇଛି । ଏହି ବନ୍ଦ ଆନ୍ଦୋଳନକୁ ବ୍ରହ୍ମପୁର ସମେତ ଗଞ୍ଜାମ ଜିଲ୍ଲାରେ ସର୍ବତ୍ର ସଫଳ କରିବା ନିମନ୍ତେ ଆଜି ବାମପନ୍ଥୀ ଦଳ ମାନଙ୍କର ଏକ ମିଳିତ ପ୍ରସ୍ତୁତି ବୈଠକ ପାର୍କ ସାହିସ୍ଥିତ ସିପିଆଇ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଦିନ ସକାଳ ୬ ଘଣ୍ଟା ଠାରୁ ପୂର୍ବାହ୍ନ ୧୨ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ଆନ୍ଦୋଳନକୁ ସଫଳ କରିବା ନିମନ୍ତେ ଜନସାଧାରଣ ସମସ୍ତ ପ୍ରକାରର ସହଯୋଗ, ସମର୍ଥନ ଦେବାକୁ ଅନୁରୋଧ କରାଯାଇଛି । ଆଜିର ଏ ବୈଠକରେ ସିପିଆଇ(ଏମ) ପକ୍ଷରୁ ଜିଲ୍ଲା ସମ୍ପାଦକ କୈଳାସ ଷଡ଼ଙ୍ଗୀ, ବସନ୍ତ ନନ୍ଦ, ପି. ହରିକୃଷ୍ଣ ରେଡି ଏବଂ ସିପିଆଇ ପକ୍ଷରୁ ଜିଲ୍ଲା ସମ୍ପାଦକ ପ୍ରକାଶ ପାତ୍ର, ନୀଳକଣ୍ଠ ଦାସ, ଦୁର୍ଯ୍ୟୋଧନ ସ୍ୱାଇଁ, କାମଦେବ ନାହାକ, ସିମାଞ୍ଚଳ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ ।
ରିପୋର୍ଟ : ଗଞ୍ଜାମ ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା