ବିଭିନ୍ନ ଦାବି ନେଇ ପେନସନଧାରୀଙ୍କ ଗଞ୍ଜାମ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ…

ଛତ୍ରପୁର (ସମୃଦ୍ଧ ଓଡିଶା) ଓଡ଼ିଶା ସେବା ନିବୃତ କର୍ମଚାରୀ ଓ ଶିକ୍ଷକ ବିକାଶ ମଂଚର ଆହ୍ୱାନ କ୍ରମେ ଗତ ସେପ୍ଟମ୍ବର ୨୫ରେ ମିଳିତ କନଭେନସନର ନିଷ୍ପତି କ୍ରମେ ରାଜ୍ୟର ଅବସରପ୍ରାପ୍ତ ପୁଲିସ କଲ୍ୟାଣ ସମିତି, ସଚିବାଳୟ ସଂଘ, ଡ଼ିପ୍ଲୋମା ଇଂଜିନିୟରିଂ ସଂଘ, ନିମ୍ନ ମାଧ୍ୟମିକ ସଂଘ, କଲେଜ ଶିକ୍ଷକ ସଂଘ, ବିଶ୍ୱ ବିଦ୍ୟାଳୟ କର୍ମକର୍ତା ସଂଘ, ପୌର କର୍ମଚାରୀ ସଂଘ, ସରକାରୀ କଲେଜ ଶିକ୍ଷକ ସଂଘ, ହାଇକୋର୍ଟ ଅଫିସର ସଂଘ, ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କ ଜରିଆରେ ଏକ ଲକ୍ଷ ଅବସରପ୍ରାପ୍ତ କର୍ମଚାରୀଙ୍କ ଦସ୍ତଖତ ସମ୍ମିଳିତ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କୁ ଦିଆଯିବା ପାଇଁ ନିଷ୍ପତି ଗ୍ରହଣ କରାଯାଇଥିଲା । ପ୍ରମୁଖ ଦାବି ଗୁଡ଼ିକ ମଧ୍ୟରେ ରାଜ୍ୟ ସରକାର କେନ୍ଦ୍ରୀୟ ବେତନ କମିଶନ ସୁପାରିଶ ଆଧାରରେ ଅବସରକାଳୀ ସୁବିଧା ଦେବାକୁ ନିଷ୍ପତି ନେଇଥିଲେ ମଧ୍ୟ ୨୦ ବର୍ଷରୁ ଉଦ୍ଧ୍ୱର୍ ସମୟ ଧରି ରାଜ୍ୟ ସରକାର ଚିକିତ୍ସା ଭତା ନଦେବା, ଫିଟମେଂଟ୍ କମିଟିର ୧ ନଂ, ଫର୍ମୁଲାକୁ ଗ୍ରହଣ ନକରିବା, ସର୍ବନିମ୍ନ ପେନସନ୍ ୯ ହଜାର ପରିବର୍ତ୍ତେ ୮୩୦୦ ଲାଗୁ କରି ସାଢେ ୨ଲକ୍ଷ ଅବସରପ୍ରାପ୍ତ କର୍ମଚାରୀଙ୍କୁ ମର୍ମାହତ କରିଛନ୍ତି, ୫ମ, ୬ଷ୍ଠ ଓ ୭ମ ବେତନ କମିଶନରେ ଥିବା ଅସଙ୍ଗତିଗୁଡ଼ିକୁ ସମାଧାନ ପାଇଁ ରାଜ୍ୟ ସଂଘ ମୁଖ୍ୟମନ୍ତ୍ରୀ, ମୁଖ ଶାସନ ସଚିବ, ଅର୍ଥ ସଚିବଙ୍କ ସହ  ବହୁବାର ଆଲୋଚନା ପରେ ବିଜ୍ଞପ୍ତି ପ୍ରକାଶ ପାଇଥିଲେ ମଧ୍ୟ ସରକାର କର୍ଣ୍ଣପାତ କରୁନଥିବା ଆଦି ଦାବି ନେଇ ମୁଖ୍ୟନ୍ତ୍ରୀଙ୍କୁ ଦେବା ପରେ ଆଲୋଚନା ମାଧ୍ୟମରେ ବହୁଦିନର ଦାବି ସରକାର ସମାଧାନ ଯଦି ନ କରନ୍ତି ତେବେ ଆଗାମୀ ଦିନରେ ତୀବ୍ର ଆନ୍ଦୋଳନ କରାଯିବ ବୋଲି ସଂଘର କର୍ମକର୍ତ୍ତାମାନେ କହିଛନ୍ତି । ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ବିଭାଗରୁ ଅବସର ନେଇଥିବା ବହୁ କର୍ମଚାରୀ ଆଜି ସ୍ଥାନୀୟ ଗେଟ୍ ବଜାର ଏନଜିଓ ହଲ ଠାରେ ଶୋଭାଯାତ୍ରାରେ ଛତ୍ରପୁର ଯାଇ ଗଞ୍ଜାମ ଜିଲ୍ଲାପାଳଙ୍କୁ ସ୍ୱାକ୍ଷର ସମ୍ବଳିତ ଦାବିଗୁଡ଼ିକ ପ୍ରଦାନ କରାଯାଇ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଇବାକୁ ଅନୁରୋଧ କରିଥିଲେ । ଏହି କାର୍ଯ୍ୟକ୍ରମରେ ରାଜ୍ୟ ଉପଦେଷ୍ଟା ଜଗନ ମୋହନ ସାହୁ, ସଂପାଦକ ଶ୍ୟାମ ସୁନ୍ଦର ଖାଡ଼ଙ୍ଗା, ଜିଲ୍ଲା ସଂପାଦକ ରାଜେନ୍ଦ୍ର କୁମାର ପଣ୍ଡା, ଜିଲ୍ଲା ସଭାପତି ରଜନୀକାନ୍ତ ମଣ୍ଡଳ, କାର୍ଯ୍ୟକାରୀ ସଭାପତି ପ୍ରଦୀପ କୁମାର ସାହୁ, ଉପସଭାପତି କେ. କୃଷ୍ଣମୃର୍ତି, ସୁବାସ ଚନ୍ଦ୍ର ମିଶ୍ର, ସମସ୍ତ ବ୍ଲକର କର୍ମକର୍ତ୍ତାଙ୍କ ସହ ପର୍ଶୁରାମ ଜେନା, କାମରାଜୁ ମହାରଣା, ପ୍ରକାଶ ପାତ୍ର, ଡ଼. ୟୁ.କେ ପାତ୍ର, ଇଂ. ବାଞ୍ଛାନିଧି ପାତ୍ର, ହରିକୃଷ୍ଣ ତରାଇ, ବିନୋଦ ମହପାତ୍ର, ମନୋହର ପାତ୍ର, ଅଶ୍ୱିନୀ ଚୌଧୁରୀ, ବିଜୟ କୁମାର ରାଉତ, ସୋମନାଥ ସାହୁ, ବାନାମ୍ବର ପୋଲାଇ, ରମେଶ ଚନ୍ଦ୍ର ପଟ୍ଟନାୟକ, ନବ ଜେନା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା