ବିଭିନ୍ନ ଦାବି ନେଇ ମାନବ ଅଧିକାର ସୁରକ୍ଷା ମଂଚ ପକ୍ଷରୁ ଭିଜିଲାନ୍ସ ଏସପିଙ୍କୁ ସ୍ମାରକପତ୍ର …

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଏମକେସିଜି ଓ ସିଟି ହସପିଟାଲରୁ ଘରୋଇ ନର୍ସିଂ ହୋମକୁ ରୋଗୀ ଚାଲାଣ କରୁଥିବା ଓ ଔଷଧ କମ୍ପାନୀର ଦଲାଲଗିରି କରି ଘରୋଇ ଔଷଧ କିଣିବା ପାଇଁ ପରାମର୍ଶ ଦେଉଥିବା କିଛି ଅସାଧୁ ଡ଼ାକ୍ତରଙ୍କ ସମ୍ପତି ଓ ମହୁଡ଼ା ଫାର୍ମାସୀ କଲେଜରେ ଘଟିଥିବା ବେନିୟମତାର ଭିଜିଲାନ୍ସ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଦାବି କରି ବ୍ରହ୍ମପୁର ସ୍ଥିତ ଦୁର୍ନୀତି ନିବାରଣ କାର୍ଯ୍ୟାଳୟ ପରିସରରେ ୬୮ ତମ ଘଣ୍ଟ ବଜାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏମକେସିଜି ଓ ସିଟି ହସପିଟାଲରେ ଉଭୟ ନିରାମୟ ଓ ନିଦାନ ଯୋଜନା କାର୍ଯ୍ୟକାରୀ ହେଉଥିଲେ ବି ଅଧିକାଂଶ ବିଭାଗରେ ଡ଼ାକ୍ତରମାନେ ଏହି ଦୁଇ ଯୋଜନାକୁ ଆଦୌ ଅନୁସରଣ କରୁନଥିବା ଦୃଷ୍ଟିଗୋଚର ହେଉଛି । ନିରାମୟ ଯୋଜନା ଅନୁଯାୟୀ ସମସ୍ତ ଔଷଧ ହସପିଟାଲରେ ମାଗଣାରେ ଉପଲବ୍ଧ ହେଉଥିବା ବେଳେ ବାହାର ଦୋକାନରୁ ଔଷଧ କିଣିବା ପାଇଁ କିଛି ଅସାଧୁ ଡ଼ାକ୍ତର ପରାମର୍ଶ ଦେଉଛନ୍ତି ଓ ବିଭିନ୍ନ ଔଷଧ କମ୍ପାନୀର ଦଲାଲମାନେ ଅବାଧରେ ମେଡ଼ିକାଲ ପରିସରରେ ଡ଼ାକ୍ତରମାନଙ୍କ ସହ ସଲାସୁତରା କରୁଛନ୍ତି । ସେହିପରି ନିଦାନ ଯୋଜନା ମାଧ୍ୟମରେ ସମସ୍ତ ପରୀକ୍ଷା ସମେତ ଏମଆରଆଇ, ସିଟି ସ୍କାନ୍, ଡ଼ିଜିଟାଲ ଏକ୍ସରେ, ଏକ୍ସରେ, ଅଲଟ୍ରାସାଉଂଡ ମାଗଣାରେ ଉପଲବ୍ଧ ଥିବାବେଳେ କିଛି ଡ଼ାକତର ନିର୍ଦ୍ଧିଷ୍ଟ କିଛି ଘରୋଇ କେନ୍ଦ୍ରକୁ ପରୀକ୍ଷା ନିମନ୍ତେ ପଠାଉଥିବା ଆଦି ଅଭିଯୋଗ କରି ଏନେଇ ଭିଜିଲାନ୍ସସ୍ତରୀୟ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଭିଜିଲାନ୍ସ ଏସପିଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ ।  ଏଥିରେ ମାନବ ଅଧିକାରୀ ସୁରକ୍ଷା ମଂଚର ଆବାହକ ଅବନୀ କୁମାର ଗୟାଙ୍କ ସମେତ ଲକ୍ଷ୍ମୀ ନାରାୟଣ ରାଉ, ପ୍ରଭାତ ନାହାକ, ଆର୍. ସତ୍ୟ ନାରାୟଣ ରାଓ, ମାଗୁଣୀ ନାହାକ, ରମେଶ ଚନ୍ଦ୍ର ବେହେରା, ମନୋଜ କୁମାର ତରାଇ ପ୍ରମୁଖ ଏହି ଘଣ୍ଟା ଯାତ୍ରାରେ ଉପସ୍ଥିତ ଥିଲେ । 

ରିପୋର୍ଟ : ନିମାଇଁ ଚରଣ ପଣ୍ଡା