ଢେଙ୍କାନାଳ (ସମୃଦ୍ଧ ଓଡିଶା) ଓଡିଶା ଭୂମିହୀନ ପ୍ରଜା ସମିତି ପକ୍ଷରୁ ରାଜ୍ୟ ସଭାପତି ଇଂ. ଦେବାଶିଷ ହୋତାଙ୍କ ନେତୃତ୍ୱରେ ଏକ ବିଶାଳ ଆନ୍ଦୋଳନ ଅନୁଷ୍ଠିତ କରାଯାଇଛି । ଜିଲ୍ଲାପାଳ ନିଖିଳ ପବନ କଲ୍ୟାଣ ଇଂ.ହୋତାଙ୍କ ସହିତ ବ୍ୟକ୍ତିଗତ ଭାବେ ଆଲୋଚନା କରି ସମସ୍ତ ୮ ଗୋଟି ଦାବିକୁ ପୂରଣ କରି ଚିଠି ମାଧ୍ୟମରେ ଜଣାଇବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।
ମାତ୍ର ଜିଲ୍ଲାପାଳ ନିଜର ପ୍ରତିଶ୍ରୁତି ପୂରଣ ନ କରିବାରୁ ଆଜି ସକାଳ ୧୧ଟା ବେଳେ ଦକ୍ଷିଣକାଳୀ ଅଫିସଠାରୁ ଇଂ. ଦେବାଶିଷ ହୋତାଙ୍କ ନେତୃତ୍ୱରେ ୨୦ ହଜାରରୁ ଉର୍ଦ୍ଧ୍ୱ ସମର୍ଥକ ଏକ ବିରାଟ ରାଲିରେ ବାହାରି ଢେଙ୍କାନାଳ ଜିଲ୍ଲାପାଳଙ୍କ ଅଫିସକୁ ଘେରାଉ କରିଥିଲେ । ସମସ୍ତ ୮ ଗୋଟି ଦାବିକୁ ପୂରଣ ନ କରିବା ଯାଏ ସେମାନେ ବସି ରହିବେ ବୋଲି ଅଡ଼ିବସିବାରୁ ପ୍ରଶାସନ ହରଡ଼ଘଣାରେ ପଡିଯାଇଥିଲେ । ଅତିରିକ୍ତ ଜିଲ୍ଲାପାଳ ପୂର୍ଣ୍ଣଚନ୍ଦ୍ର ମିଶ୍ର ଜିଲ୍ଲପାଳ ଭୂମେଶ ଚନ୍ଦ୍ର ବେହେରାଙ୍କ ନିର୍ଦ୍ଦେଶରେ ଇଂ. ହୋତାଙ୍କ ସହିତ ବ୍ୟକ୍ତିଗତ ଭାବେ ୧ ଘଣ୍ଟା ଧରି ଆଲୋଚନା କରି ଦାବି ପୂରଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ପୂର୍ବ ଜିଲ୍ଲାପାଳ ଶ୍ରୀ କଲ୍ୟାଣଙ୍କ ଭଳି କଥାଦେଇ ଠକି ଦେଇ ପାରନ୍ତି ବୋଲି ସନ୍ଦେହ କରିବାରୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମିଶ୍ର ଫୋନ ଯୋଗେ ଜିଲ୍ଲାପାଳ ଶ୍ରୀ ବେହେରାଙ୍କ ସହିତ କଥା ହୋଇଥିଲେ । ସେହି ଅନୁଯାୟୀ ଆଗାମୀ ୨ ଅଗଷ୍ଟ ଦିନ ଜିଲ୍ଲାପାଳ ଶ୍ରୀ ବେହେରା ଏବଂ ଇଂ.ହୋତାଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମିଶ୍ରଙ୍କ ସମେତ ସମସ୍ତ ଉପଜିଲ୍ଲାପାଳ ଏବଂ ତହସିଲଦାରମାନେ ଉପସ୍ଥିତ ରହିବେ । ଏହି ବୈଠକର ଚିଠିକୁ ୨୦ ହଜାର ଆନ୍ଦୋଳନକାରୀଙ୍କ ସାମନାରେ ଇଂ.ହୋତାଙ୍କୁ ପ୍ରଦାନ କରାଯିବ ପରେ ଆଜିର ଘେରାଉକୁ ସ୍ଥଗିତ ରଖାଗଲା ।ଇଂ.ହୋତା ଉଠାଇଥିବା ଦାବି ଗୁଡିକ ହେଲା – ଓଡିଶା ରାଜ୍ୟ ସରକାରଙ୍କ ଏସ.ଟି ଏବଂ ଏସ.ସି ଉନ୍ନୟନ ବିଭାଗର ଚିଠି ଅନୁଯାୟୀ ଜମିପଟ୍ଟାମାନଙ୍କରେ ସରକାରୀ କର୍ମଚାରୀମାନଙ୍କର ଭୁଲ ଯୋଗୁଁ ଜାତି ସ୍ଥାନରେ ଲେଖାଯାଉଥିବା ସ୍ତରକୁ ସଂଶୋଧନ କରାଯାଇ ଶବର ଲେଖାଯାଉ, ଢେଙ୍କାନାଳ ଜିଲ୍ଲାପାଳଙ୍କ ଚିଠି ଅନୁଯାୟୀ ଜମିପଟ୍ଟାମାନଙ୍କରେ ସରକାରୀ କର୍ମଚାରୀମାନଙ୍କର ଭୁଲ ଯୋଗୁଁ ଜାତି ସ୍ଥାନରେ ଲେଖାଯାଇଥିବା କାପଡ଼ିଆକୁ ସଂଶୋଧନ କରାଯାଇ କାପୁଡ଼ିଆ ଲେଖାଯାଉ, ଏଫଆରଏ-୨୦୦୫ ଅନୁଯାୟୀ ସମସ୍ତ ଏସ.ସି ଏବଂ ଏସ.ଟି ଗରିବ ଲୋକଙ୍କୁ ଜଙ୍ଗଲ ଜମି ଅଧିକାର ପଟ୍ଟା ପ୍ରଦାନ କରାଯାଉ, ନିଜର ବନ୍ଧୁ ତତକାଳୀନ ଢେଙ୍କାନାଳ ଅତିରିକ୍ତ ତହସିଲଦାର ସରୋଜ ପଣ୍ଡାଙ୍କ ସହାୟତାରେ ଗୋଟିଏ ବେଆଇନ କନଷ୍ଟ୍ରକସନ କମ୍ପାନୀ ମାଧ୍ୟମରେ ଇ-ଟେକ ରେସିଡେନସିଆଲ କଲେଜ ତଥା ବିଦ୍ୟନିକେତନ ଚ୍ୟାରି ଟେବୁଲ ଟ୍ରଷ୍ଟର ସମ୍ପାଦିକା ସାଗରବାଳା ହୋତା ମୋଟାରି, ମଙ୍ଗଳପୁର ଏବଂ ଆହୁରି ଅନେକ ମୌଜାରେ କିଣିଥିବା କୋଟି କୋଟି ଟଙ୍କାର ଜମିକୁ ଅନୈତିକ ଉପାୟରେ ରେଗୁଲାରାଇଜ କରିଥିବାରୁ ଉପରୋକ୍ତ ସଂସ୍ଥାର ସମସ୍ତ ଦସ୍ତାବିଜକୁ ବାତିଲ କରାଯାଇ କ୍ରାଇମ ବ୍ରାଞ୍ଚକୁ ତଦନ୍ତ ଭାର ପ୍ରଦାନ କରାଯାଉ, ସୋଗରପଶି ପଞ୍ଚାୟତର ଏସ.ସି ବହୁଳ ପାରିଖେଦା ଗାଁରେ ବେଆଇନ ଭାବେ କୁକୁଡା ଅଣ୍ଡା ଓ ଚିଆଁ ପ୍ରଡକ୍ସନ ପାଇଁ ବିରାଟ କମ୍ପାନୀ କରିଥିବା ହାଇଟେକ ହ୍ୟାଚ ଫ୍ରେଶ ପ୍ରା.ଲି. ରେ ସମସ୍ତ କର୍ମଚାରୀ ପାରିଖେଦା ଗାଁରୁ ରଖାଯାଉ, କାମାକ୍ଷାନଗର ବ୍ଲକ ଓ ଏନ.ଏ.ସି, ଜିରାଳ ଅଞ୍ଚଳ, କଙ୍କଡ଼ାହାଡ଼ ବ୍ଲକ ଏବଂ ପରଜଙ୍ଗ ବ୍ଲକର ଲକ୍ଷାଧିକ ବାସିନ୍ଦାଙ୍କ ସୁବିଧା ପାଇଁ ଗେଙ୍ଗୁଟିଆ ପଞ୍ଚାୟତର ରଣପଶି ଲେବଲ କ୍ରସିଂକୁ ପରସେଞ୍ଜର ହଲଟରେ ରୂପାନ୍ତରିତ କରାଯାଉ ତଥା ଅସୁରବନ୍ଧ ମାଇନସ ମାଲିକ ରିଅଲ ଇଣ୍ଡିଆ କନସଲଟାନସିର ଡାଇରେକ୍ଟର ଅଭିଶେକ ରଥ ନିଜର ଅର୍ଥ ଏବଂ କ୍ଷମତା ବଳରେ ପୋଲିସ ପ୍ରଶାସନକୁ ପ୍ରଭାବିତ କରି ଗରିବ ଚାଷୀ କୃପାସିନ୍ଧୁ ମାଝୀଙ୍କ ନାମରେ ଭୁବନ ଥାନାରେ ମିଛ କେସ କରିଥିଲେ ବୋଲି ଜଜ ନିଜ ଜଜମେଣ୍ଟରେ ସନ୍ଦେହ ବ୍ୟକ୍ତ କରିଥିବାରୁ ଉକ୍ତ ଚାଷୀଙ୍କୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯାଉ ଏବଂ ଖଶି ମାଲିକ ଶ୍ରୀ ରଥଙ୍କୁ ଗିରଫ କରାଯାଉ ।
ରିପୋର୍ଟ : ଶୁଭମ କୁମାର ପାଣି