ବିଭିନ୍ନ ଦାବୀ ନେଇ ବ୍ରହ୍ମପୁର ଶ୍ରମ କାର୍ଯ୍ୟାଳୟକୁ ଘେରାଉ କଲେ ବିଭିନ୍ନ ଶ୍ରମ ସଙ୍ଗଠନ….

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ନିର୍ମାଣ ଶ୍ରମିକ ଓ ଅସଂଗଠିତ ଶ୍ରମିକ ୟୁନିଅନ ଗଞ୍ଜାମ ଜିଲ୍ଲା ପକ୍ଷରୁ ଏକ ବିରାଟ ଶ୍ରମିକ ଶୋଭାଯାତ୍ରା ଅନୁଷ୍ଠିତ କରାଯାଇଛି । ଏହି ଶୋଭାଯାତ୍ରା ଗଞ୍ଜାମ କଲାପରିଷଦ ଠାରୁ ବାହାରି ବ୍ରହ୍ମପୁର ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ପହଞ୍ଚି ବ୍ରହ୍ମପୁର ଜିଲ୍ଲା ଶ୍ରମ କାର୍ଯ୍ୟାଳୟକୁ ୧୨ ଦଫା ଦାବୀ ଉପସ୍ଥାପନ କରି ଶ୍ରମିକମାନେ ଘେରାଉ କରିଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ ଏଆଇଟିୟୁସି, ଟିୟୁସିଆଇ, ଏଚଏମଏସ, ଆଇଏନଟିୟୁସି, ଇଫଟୁୟୁ, ବିଏମଏସ ଆଦି କେନ୍ଦ୍ରୀୟ ଶ୍ରମିକ ସଂଗଠନ ସହ ଜିଲ୍ଲାରେ କାମ କରୁଥିବା ସ୍ୱାଧୀନ ୟୁନିଅନମାନେ ମିଳିତ ହୋଇ ଏହି ଘେରାଉ କାର୍ଯ୍ୟକ୍ରମର ନେତୃତ୍ୱ ନେଇଥିଲେ । ଏଥିରେ କେନ୍ଦ୍ର ସରକାର ଶ୍ରମ ଆଇନରେ ସଂସ୍କାର ଆଣି ୪୪ ଟି ଶ୍ରମ ଆଇନକୁ ୪ଟି କୋଡରେ ପରିଣତ କରୁଥିବାରୁ ଯାହାଫଳରେ ଅସଂଗଠିତ ଶ୍ରମିକଙ୍କ ଭବିଷ୍ୟତ ସମ୍ପୂର୍ଣ୍ଣ ଅନ୍ଧକାରମୟ ହୋଇଯିବ ବୋଲି ଅଭିଯୋଗ କରି ଏ ସମସ୍ତ ନୀତିକୁ ପ୍ରତିବାଦ କରିବା ସହିତ ବ୍ରହ୍ମପୁର ଜିଲ୍ଲା ଶ୍ରମ କାର୍ଯ୍ୟାଳୟକୁ ଘେରାଉ କରାଯାଇଛି ବୋଲି ଜଣାପଡିଛି । ଏହି ଘେରାଉ କାର୍ଯ୍ୟକ୍ରମରେ ଶହ ଶହ ଶ୍ରମିକ ସାମିଲ ହୋଇଥିଲେ । ୧୨ ଦଫା ଦାବି ସମ୍ବଳିତ ସ୍ମାରକପତ୍ର ଶ୍ରମ କମିଶନରଙ୍କ ଉଦ୍ଦେଶ୍ୟରେ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ପ୍ରଦାନ କରାଯାଇଥିଲା । ଏଥିରେ ଏଆଇଟିୟୁସିର ରାଜ୍ୟ ନେତା ସୁର ଜେନା, ପ୍ରବୀଣ ଦାସ, ଆଇଏଫଟିୟୁର ଲାଭଚନ୍ଦ୍ର ଷଡ଼ଙ୍ଗୀ, ଟିୟୁସିଆଇର ଶଙ୍କର ସାହୁ, ଓଡିଶା ନିର୍ମାଣ ଶ୍ରମିକ ୟୁନିଅନର ରାମଚନ୍ଦ୍ର ବାଡ଼ତ୍ୟା ପ୍ରମୁଖ ସାମିଲ ହୋଇଥିଲେ ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା