ବିଭିନ୍ନ ବିଭାଗ ପକ୍ଷରୁ ଆନ୍ତର୍ଜାତିକ ଦିବ୍ୟାଙ୍ଗ ଦିବସ ପାଳିତ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଆଜି ଜିଲ୍ଲା ସ୍ତରୀୟ ଆନ୍ତର୍ଜାତିକ ଦିବ୍ୟାଙ୍ଗ ଦିବସ ଜିଲ୍ଲା ସାମାଜିକ ସୁରକ୍ଷା, ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଓ ସମଗ୍ର ଶିକ୍ଷା, ଢେଙ୍କାନାଳର ମିଳିତ ସହଯୋଗରେ ଟାଉନ ହଲ ଠାରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସ୍ଵତନ୍ତ୍ର ବିଦ୍ୟାଳୟ ଓ ଢେଙ୍କାନାଳର ବିଭିନ୍ନ ସରକାରୀ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ୩୦୦ ଭିନ୍ନକ୍ଷମ ଛାତ୍ରଛାତ୍ରୀ, ବଧିର ସଂସ୍ଥାର କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ । ପ୍ରାରମ୍ଭିକ କାର୍ଯ୍ୟକ୍ରମରେ ଏକ ସ୍ଵତନ୍ତ୍ର ରାଲିର ଆୟୋଜନ କରାଯାଇଥିଲା । ଏହାକୁ ଜିଲ୍ଲାପାଳ ଭୁମେଶ ଚନ୍ଦ୍ର ବେହେରା ପତାକା ଦେଖାଇ ଉଦଘାଟନ କରିଥିଲେ । ଟାଉନ ହଲ ଠାରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବକୃତା, ସଙ୍ଗୀତ ଓ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମ ସମ୍ପର୍କିତ ସଭାରେ ଜିଲ୍ଲାପାଳ ଭୁମେଶ ଚନ୍ଦ୍ର ବେହେରା, ଅତିରିକ୍ତ ଜିଲ୍ଲାପାଳ ଭବେଶ କୁମାର ନାୟକ, ସମ୍ପାଦକ, ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଅରୁଣ କୁମାର ପଟ୍ଟନାୟକ, ପ୍ରକଳ୍ପ ନିର୍ଦ୍ଦେଶକ, ଗ୍ରାମ୍ୟ ଉନ୍ନୟନ ସଂସ୍ଥା, ନରୋତ୍ତମ ବେହେରା, ଜିଲ୍ଲା ଶିକ୍ଷା ଅଧିକାରୀ, ସୁଧାନନ୍ଦ ପରିଡା, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଶ୍ରୀମତୀ ଜୟନ୍ତୀ ବେହେରା ଓ ସାମାଜିକ ସୁରକ୍ଷା ଅଧିକାରୀ, ପ୍ରସନ୍ନ କୁମାର ମଲ୍ଲିକ, ଗୋଷ୍ଠୀ ଶିକ୍ଷା ଅଧିକାରୀ, ସଦର ବ୍ଲକ ଇତ୍ୟାଦି ବରେଣ୍ୟ ଅତିଥିମାନେ ଯୋଗଦେଇ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ଉପସ୍ଥିତ ଅତିଥିମାନେ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରିବା ସହିତ ୧୦ ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ହୁଇଲ ଚେୟାର ପ୍ରଦାନ କରିଥିଲେ । ଜିଲ୍ଲାପାଳ ତାଙ୍କ ଅଭିଭାଷଣରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବା ସହ ସେମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ସରକାରୀ, ବେସରକାରୀ ଅନୁଷ୍ଠାନମାନଙ୍କ ଦ୍ଵାରା ଯୋଗାଇ ଦିଆ ଯାଉଥିବା ସୁବିଧା ସୁଯୋଗ ସୁଚାରରୂପେ ଯୋଗାଇ ଦେବା ପାଇଁ ଅନୁରୋଧ କରିଥିଲେ । ଜିଲ୍ଲା ଶିକ୍ଷା ଅଧିକାରୀ ଶିକ୍ଷା କ୍ଷେତ୍ରରେ ଯେପରି ସମସ୍ତ ବର୍ଗର ଭିନ୍ନକ୍ଷମ ଛାତ୍ରଛାତ୍ରୀ ମାଗଣାରେ ସଂପୂର୍ଣ୍ଣ ସୁବିଧା ସୁଯୋଗ ପାଇ ପାରିବେ ସେ ଦିଗ ଉପରେ ଧ୍ୟାନ ଦେବା ପାଇଁ କର୍ମଚାରୀମାନଙ୍କୁ ଆହ୍ଵାନ ଦେଇଥିଲେ ।

ରିପୋର୍ଟ : ଶୁଭମ କୁମାର ପାଣି