

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ସୋରଡା ବ୍ଲକ ଅନ୍ତର୍ଗତ ଗୋଚ୍ଛା ପଞ୍ଚାୟତର ମାଲିପଙ୍କା ଗ୍ରାମବାସୀ ଦୀର୍ଘ ୧୫ ବର୍ଷ ଧରି ସଡକ ସୁବିଧା ଅଭାବରୁ ଅତି ଦୟନୀୟ ଅବସ୍ଥାରେ ଜୀବନ ବିତାଉଛନ୍ତି । ଏହି ସମ୍ପର୍କରେ ସ୍ଥାନୀୟ ବିଧାୟକଙ୍କୁ ଅଭିଯୋଗ କରାଯାଇଥିଲେ ମଧ୍ୟ ସେ ଏଥିପ୍ରତି କୌଣସି ପଦକ୍ଷେପ ଗ୍ରହଣ କରି ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଖାଲି ଏତିକି ନୁହେଁ ବିଦ୍ୟୁତ ସମସ୍ୟାରେ ମଧ୍ୟ ପୀଡ଼ିତ ଅଛନ୍ତି । ଏହାସହ ପାନୀୟ ଜଳର ସୁବିଧା ନଥିବାରୁ ଦୀର୍ଘ ୨ କିମି ଦୁରରେ ଅବସ୍ଥିତ ଏକ ନାଳରୁ ପାଣି ଆଣି ନିଜର ତୃଷ୍ଣା ନିବାରଣ କରୁଛନ୍ତି ମାଲିପଙ୍କା ଗ୍ରାମବାସୀ ମାନେ । ଏହି ସମସ୍ୟା ସମ୍ପର୍କରେ ବହୁ ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନେଇ ନାହାନ୍ତି ସ୍ଥାନୀୟ ବିଧାୟକ ବୋଲି ଗ୍ରାମବାସୀ କହିଛନ୍ତି । ସରକାରଙ୍କ ଅନେକ ସୁବିଧା ସୁଯୋଗରୁ ବଞ୍ଚିତ ଅଛନ୍ତି ଏହି ଗ୍ରାମବାସୀ । ଯଥା, ଇନ୍ଦିରା ଆବାସ ଯୋଜନା, ମୋ କୁଡିଆ ଯୋଜନା, ବିଜୁ ପକ୍କା ଘର ଯୋଜନା, ପାନୀୟ ଜଳ ଯୋଗାଣ, ରାସାନ କାର୍ଡ ଇତ୍ୟାଦି । ତେଣୁ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ସବୁ ସମସ୍ୟାର ସମାଧାନ ଯଥାଶୀଘ୍ର ପୂରଣ କରିବା ନିମନ୍ତେ ଦାବି କରିଛନ୍ତି ଗ୍ରାମବାସୀ ।
ରିପୋର୍ଟ : ଆଶୁତୋଷ ପଟ୍ଟନାୟକ

