ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବିଭିନ୍ନ ସମସ୍ୟା ସମ୍ପର୍କ ନେଇ କଂଗ୍ରେସ ପକ୍ଷରୁ ବ୍ରହ୍ମପୁର ମହାନଗର କମିଶନରଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । କରୋନା ଭୁତାଣୁ ସଂକ୍ରମଣର ଆଶଙ୍କା କରି ବ୍ରହ୍ମପୁର ସହରର ଖାଉଟିମାନଙ୍କୁ ରେସନ୍ ସାମଗ୍ରୀ ବଣ୍ଟନ ହୋଇପାରି ନ ଥିବାରୁ କମିଟି ଉଦବେଗ ପ୍ରକାଶ କରିଛି । ଡିଲେର ପାଖରେ କ୍ଵିଣ୍ଟାଲ କ୍ଵିଣ୍ଟାଲ ଚାଉଳ, ଗହମ, ଡାଲି ଓ କିରାସିନି ମହଜୁଦ ରହିଥିଲେ ମଧ୍ୟ ଖାଉଟି ପାଇପାରୁ ନ ଥିବା କଂଗ୍ରେସ ଦାବି କରିଛି । କରୋନା ସଂକ୍ରମଣ ଯୋଗୁଁ ଲକ୍ ଡାଉନ୍ ଓ ସଟଡାଉନ୍ ରେ ଲୋକୋ ଜୀବିକା ହରାଇଛନ୍ତି । ସରକାରଙ୍କ ଚାଉଳ ଗହମ ଲୋକଙ୍କ ପାଖରେ ବଞ୍ଚିବା ପାଇଁ ଜରୁରୀ ହୋଇ ପଡିଛି । କିନ୍ତୁ ସରକାରଙ୍କ ନିୟମ ଅନୁସାରେ ବାଓମେଟ୍ରିକ ମେସିନରେ ଆଙ୍ଗୁଠି ଛପା ଦେଇ ଜିନିଷ ନେବା କଥା ଥିଲେ ମଧ୍ୟ ଆଙ୍ଗୁଠି ଛପା ଦେଲେ ସଂକ୍ରମଣ ଆଶଙ୍କା କରି ଡିଲାର ଜିନିଷ ଦେଉନାହାନ୍ତି । ଗତ ଏପ୍ରିଲରୁ ଜୁନ ମାସ ଯାଏଁ ମଞ୍ଜୁର ହୋଇଥିବା ଜିନିଷ ବଣ୍ଟନ ହୋଇନାହିଁ । ଏବେ ପୁଣି ଆଉ ତିନି ମାସର ରେଶନ ବଣ୍ଟନ ପାଇଁ ସରକାର ଘୋଷଣା କରିଛନ୍ତି । ଏହି ସମସ୍ୟା ନେଇ ବ୍ରହ୍ମପୁର ଫେୟାର ପ୍ରାଇସେ ରିଟେଲ ୱାଲ୍ଫର୍ ଆସୋସିଏସନ୍ ପକ୍ଷରୁ କମିଶନରଙ୍କୁ ସ୍ମାରକପତ୍ର ଦେଇଥିଲେ ସୁଦ୍ଧା ବିକଳ୍ପ ବ୍ୟବସ୍ଥା କରାଯାଇନାହିଁ । ଯୋଗାଣ ବିଭାଗ ମଧ୍ୟ ନୀରବଦ୍ରଷ୍ଟା ସାଜିଛି । ହିତାଧିକାରୀଙ୍କ ନିକଟରେ ରେଶନ୍ ପହଞ୍ଚାଇବା ଦାୟିତ୍ଵ ଯୋଗାଣ ବିଭାଗର । ଏଭଳି ସ୍ଥିତିରେ ସ୍ଥାନୀୟ ପ୍ରଶାସନ ଓ ଯୋଗାଣ ବିଭାଗ କୋଭିଡ ନିୟମ ଓ ବିପର୍ଯ୍ୟୟ ପ୍ରଶମନ ଆଇନ ଉଲଂଘନ କରୁଥିବା କଂଗ୍ରେସ କମିଟି ଅଭିଯୋଗ କରିଛି । ଖାଉଟିଙ୍କ ନିକଟରେ ରେସନ ପହଞ୍ଚାଇବା ଦିଗରେ ତ୍ୱରିତ ପଦକ୍ଷେପ ନେବାକୁ କଂଗ୍ରେସ କମିଟି ପକ୍ଷରୁ ଦାବି କରାଯାଇଛି । ଏ ସମ୍ପର୍କରେ କମିଶନରଙ୍କୁ ସ୍ମାରକ ପତ୍ର ଦିଆଯାଇଥିବା ବ୍ରହ୍ମପୁର ଗଞ୍ଜାମ ଜିଲ୍ଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ପୀତବାସ ପଣ୍ଡା(ଓକିଲ) ଜଣାଇଛନ୍ତି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା