ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜମଜିଲ୍ଲା ରମ୍ଭା ଥାନା ଅନ୍ତର୍ଗତ ବିରୁଳିଗଡ଼ ରାସ୍ତା ପଣସପଡିଆ ସାହୁକାର ପୋଖରୀ ନିକଟରେ ଏକ ମୃତଦେହ ଉଦ୍ଧାର ହୋଇଛି । ସୂଚନା ଅନୁଯାୟୀ ପଣସପଡିଆ ସାହୁକାର ପୋଖରୀ ନିକଟରେ ଏକ ମୃତଦେହ ପଡିଥିବାର କିଛି ଲୋକ ଦେଖିବାକୁ ପାଇଥିଲେ । ଏହାପରେ ପୋଲିସକୁ ଖବର ଦେଇଥିଲେ । ଏହି ଖବର ପୋଲିସ ପାଇଲା ପରେ ଛତ୍ରପୁର ଏସଡିପିଓ ଉତ୍କଳ କେଶରୀ ଦାସ, ଛତ୍ରପୁର ଆଇଆଇସି ପ୍ରିୟସ ରଞ୍ଜନ ଛୋଟରାୟ ଓ ରମ୍ଭା ପୋଲିସ ଘଟଣାସ୍ଥଳରେ ଯାଇ ପହଞ୍ଚିଥିଲେ । ଏହାପରେ ମୃତ୍ଦେହକୁ ଉଦ୍ଧାର କରି ଛାନବିନ କରିଥିଲେ । ଏହାପରେ ମୃତକ ଜଣକ ଖଲ୍ଲିକୋଟ ଥାନା କୁସିଡେପା ଗ୍ରାମର ଅଶ୍ୱିନୀ କୁମାର ମିଶ୍ର ବୋଲି ଜଣାପଡିଥିଲା । ସେ ରମ୍ଭା ଜଗନ୍ନାଥ ମହାବିଦ୍ୟାଳୟର ଜଣେ ଡେମୋନଷ୍ଟ୍ରେଟର ଥିଲେ । ମୃତଦେହ ନିକଟରେ ଏକ କଳା ରଙ୍ଗର ବୁଲେଟ ପଡିଥିବାବେଳେ ମୃତକ ଅଶ୍ବିନୀଙ୍କ ମୁଣ୍ଡରେ ଗଭୀର କ୍ଷତ ଚିହ୍ନ ଥିବା ଦେଖିବାକୁ ମିଳିଥିଲା । ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ମୃତକଙ୍କ ବଡଭାଇଙ୍କ ଏତଲା କ୍ରମେ ପୋଲିସ କେଶ ନମ୍ବର ୨୭/୧୯ରେ ଏକ ମାମଲା ରୁଜୁ କରିଛି ଏବଂ ଏହାର ତଦନ୍ତ ଚାଲୁ ରଖିଛି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା