ବିଶୋଧନ ହେଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ…

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟକୁ ବିଶୋଧନ କରାଯାଇଛି । ସୂଚନା ଅନୁଯାୟୀ ଗତକାଲି ଛତ୍ରପୁର ସରକାରୀ ଉପଖଣ୍ଡ ଚିକିତ୍ସାଳୟକୁ ଗଞ୍ଜାମ ବ୍ଲକର ମଲାଡ଼ ଗ୍ରାମର ଜୈନିକ ମହିଳାକୁ ୧୦୮ ଆମ୍ବୁଲାନ୍ସରେ ଧରି ଆସୁଥିବା ବେଳେ ବାଟରେ ମହିଳାଙ୍କ ମୃତ୍ୟୁ ହୋଇଯାଇଥିଲା । ଏହାପରେ ସେହି ମହିଳାଙ୍କ ଶବ ବ୍ୟବଚ୍ଛେଦ ନିମନ୍ତେ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟକୁ ଅଣାଯାଇଥିଲା । ସେଠାରେ ଚିକିତ୍ସାଳୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ମୃତ ମହିଳାଙ୍କ ଆଣ୍ଟିଜେନ୍ ଟେଷ୍ଟ୍ କରାଯାଇଥିଲା । ଏହାପରେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବାରୁ ଚିକିତ୍ସାଳୟ ଓ ଆଖପାଖ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଯାଇଛି । ଶନିବାର ଛତ୍ରପୁର ଫାୟାର କର୍ମଚାରୀମାନଙ୍କ ଦ୍ୱାରା ମେଡ଼ିକାଲ ପରିସରରେ ଶବ ରହିବା କକ୍ଷଠୁ ଆରମ୍ଭ କରି ସମସ୍ତ କକ୍ଷକୁ ବିଶୋଧନ କରାଯାଇଛି । ଏହାସହ କୌଣସି ରୋଗୀଙ୍କ ଅବସ୍ଥା ଗୁରୁତର ନ ଥିଲେ ଉପଖଣ୍ଡ ଚିକିତ୍ସାଳୟକୁ ଆସିବାକୁ ବାରଣ କରାଯାଇଛି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା