

ଭୁବନେଶ୍ୱର/ବିଜୟୱାଡା(ସମୃଦ୍ଧ ଓଡ଼ିଶା)ଓଡିଶା ରାଜ୍ୟର ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ଭାବେ ରାଷ୍ଟ୍ରପତି ନିଯୁକ୍ତ କରିଛନ୍ତି। ଆଜି ସଂଧ୍ୟାରେ ରାଷ୍ଟ୍ରପତି ଭବନରୁ ପ୍ରକାଶିତ ବିଜ୍ଞପ୍ତିରେ ହରିଚନ୍ଦନଙ୍କ ସହିତ ସୁଶ୍ରୀ ଅନସୂୟା ଉକେଇଙ୍କୁ ମଧ୍ୟ ଛତିଶଗଡ଼ ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି। ଓଡିଶା ରାଜ୍ୟର ୮୫ ବର୍ଷୀୟ ବର୍ଷିଆନ ନେତା ବିଶ୍ୱଭୂଷଣ ହରିଚନ୍ଦନ ବିଜେପି ଦଳର ଜଣେ ଲୋକପ୍ରିୟ ବୟୋଜ୍ୟେଷ୍ଟ ନେତା ହିସାବରେ ସମସ୍ତଙ୍କ ପୂଜ୍ୟ ହୋଇ ଆସୁଥିଲେ ଓ ସେ ଦୀର୍ଘବର୍ଷ ଧରି ଜନସଂଘ,ଜନତା ଦଳ ଓ ବିଜେପିର ବିଭିନ୍ନ ପଦ ପଦପିରେ ରହି ଆସିଥିଲେ। ସେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ସରକାରରେ ୧୯୯୦ରୁ ୧୯୯୩ ମସିହା ପର୍ଯ୍ୟନ୍ତ ଏବଂ ନବୀନ ପଟ୍ଟନାୟକଙ୍କ ସରକାରରେ ୨୦୦୦ରୁ ୨୦୦୯ ମସିହା ପର୍ଯ୍ୟନ୍ତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ।୧୯୩୪ ମସିହା ଅଗଷ୍ଟ ୩ ତାରିଖରେ ଜନ୍ମିତ ଏହି ମହାନ ବ୍ୟକ୍ତି ଶ୍ରୀଯୁକ୍ତ ହରିଚନ୍ଦନ ୧୯୭୧ ମସିହାରେ ଭାରତୀୟ ଜନସଂଘରେ ସାମିଲ ହୋଇଥିଲେ। ଏଥିପୂର୍ବରୁ ସେ ଓକିଲାତି କିଛି ବର୍ଷ କରିଥିଲେ । ୧୯୭୭ ମସିହାରେ ସେ ଜନତା ପାର୍ଟି ଗଠନ ହେବା ପର୍ଯ୍ୟନ୍ତ ସେ ଜନସଂଘର ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ରାଜ୍ୟ ସାଧାରଣ ସମ୍ପାଦକ ଭାବେ କାର୍ଯ୍ୟ କରିଥିଲେ। ୧୯୭୫ ମସିହାରେ ସେ ମିସା ଆଇନରେ ଗିରଫ ହୋଇ ଜେଲ ମଧ୍ୟ ଯାଇଥିଲେ । ସେ ୧୯୮୦ରୁ ୧୯୮୮ ମସିହା ପର୍ଯ୍ୟନ୍ତ ବିଜେପିର ରାଜ୍ୟ ସଭାପତି ହୋଇଥିଲେ। ପରେ ସେ ବିଜେପି ଛାଡ଼ି ଜନତା ଦଳରେ ସାମିଲ ହୋଇ ବିଜୁ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ସରକାରରେ ମନ୍ତ୍ରୀ ହୋଇ ଥିଲେ । ପରେ ପୁଣି ଥରେ ୧୯୯୬ ଏପ୍ରିଲ ମାସରେ ବିଜେପିକୁ ଫେରିଥିଲେ। ସେବେଠୁ ସେ ରାଜ୍ୟ ବିଜେପିର ବରିଷ୍ଠ ନେତା ଭାବେ ପରିଗଣିତ ହୋଇ ଆସୁ ଛନ୍ତି । ବାଲ୍ୟାବସ୍ଥାରୁ ପର୍ଯ୍ୟାଲୋଚନା କଲେ ବିଶ୍ୱଭୂଷଣ ବାବୁ ଏକାଧାରରେ ଜଣେ ଆଇନ ଜୀବୀ , ଉତ୍ତମ ରାଜନେତା, ସମାଜସେବୀ ,ବାସ୍ତବବାଦୀ ,ନିଃଷ୍କପଟ ନେତା ,ପରୋପକାରୀ ,ସ୍ପଷ୍ଟବାଦୀ,କବି,ଲେଖକ ଓ ସଂଗଠକ ତଥା ଲୋକଙ୍କୁ ଭଲପାଉଥିବା ଜଣେ ମହାନ ପୁରୁଷ । ସେ ଲେଖିଥିବା ବିଭିନ୍ନ ବହି ମଧରେ ‘ମାତୃଭାଷା, ଶେଷ ଝଲକ, ରାଣାପ୍ରତାପ, ଅସ୍ତଶିଖା,ମାନସୀ ବିଶେଷ ଆଦୃତ ହୋଇଛି । ୧୯୭୧ ମସିହାରେ ସେ ଭାରତୀୟ ଜନସଂଘରୁ କ୍ୟାରିଅର ଆରମ୍ଭ କରିଥିଲେ। ସେ ଏହି ଦଳର ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ଦାୟିତ୍ୱ ତୁଲାଇଥିଲେ। ୧୯୭୭ରେ ଜନତା ପାର୍ଟି ଗଠନ ଯାଏ ସେ ରାଜ୍ୟ ସାଧାରଣ ସମ୍ପାଦକ ମଧ୍ୟ ଥିଲେ। ଏପରିକି ୧୯୭୫ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ଜରୁରୀକାଳୀନ ଶାସନ ଜାରି କରିଥିବା ସମୟରେ ସେ ମିସା ଆଇନ୍ ବଳରେ ଜେଲ୍ ଯାଇଥିଲେ। ଓଡ଼ିଶାରେ ବିଜେପି ସଂଗଠନ ଆରମ୍ଭ କରିବା ସମୟରେ ବିଶ୍ୱଭୂଷଣ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସେ ୧୯୮୦ରୁ ୧୯୮୮ ଯାଏ ବିଜେପିର ରାଜ୍ୟ ସଭାପତି ଥିଲେ । ୧୯୮୮ରେ ସେ ଜନତା ପାର୍ଟିରେ ଯୋଗ ଦେଇ ରାଜ୍ୟ ଉପସଭାପତି ଦାୟିତ୍ୱ ତୁଲାଇ ଥିଲେ। ଏହାପରେ ୧୯୯୬ ମସିହା ଏପ୍ରିଲ ୪ରେ ପୁଣି ଥରେ ବିଜେପିରେ ଯୋଗଦେଇ ବର୍ତ୍ତମାନ ସୁଦ୍ଧା ସକ୍ରିୟ ସଦସ୍ୟ ଭାବେ କାର୍ଯ୍ୟ କରି ଆସୁ ଛନ୍ତି। ସେ ଚିଲିକା ତିନି ଥର ଏବଂ ଭୁବନେଶ୍ୱରରୁ ୨ ଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ସେ ୨ ଥର ଜନତା ଦଳରୁ ଏବଂ ୩ ଥର ବିଜେପିରୁ ନିର୍ବାଚିତ ହୋଇଛନ୍ତି। ଏହି ବରିଷ୍ଠ ବିଜେପି ନେତା ୨୦୦୪ ମସିହାରେ ବିଜେପି-ବିଜେଡି ମେଣ୍ଟ ସରକାରରେ କ୍ୟାବିନେଟ୍ ମନ୍ତ୍ରୀ ଥିଲେ। ସେ ରାଜସ୍ୱ ଆଇନ, ଶିଳ୍ପ ଏବଂ ଗ୍ରାମ୍ୟ ଉନ୍ନୟନ ଆଦି ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇ ଥିଲେ । ରାଜନୀତି ବ୍ୟତୀତ ଲେଖାଲେଖିରେ ରୁଚି ରଖିଥିବା ବିଶ୍ୱଭୂଷଣ ପାଇକ ଆନ୍ଦୋଳନର ୨୦୦ ବର୍ଷ ପୂର୍ତ୍ତି ପାଳନ ପାଇଁ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଗତ କିଛି ଦିନ ତଳେ ସେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ତାଙ୍କ ଆତ୍ମଜୀବନୀ ‘ସଂଗ୍ରାମ ସରି ନାହିଁ’ ଅର୍ପଣ କରିଥିଲେ।ଏହି ସମୟରେ ସେ ରାଜ୍ୟପାଳ ପଦବୀ ପାଇବେ ବୋଲି ଆଭାସ ପାଇଥିଲେ । ଏହି ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ଆଜି ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଭାବେ ନିଯୁକ୍ତି ଦେଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ସେ ଗତ ମାସ ୩୦ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବା ପରେ ରାଜ୍ୟପାଳ ହେବା ସମ୍ଭାବନା ଥିବା ସେ ଜାଣି ସାରିଥିଲେ । ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା ବେଳେ ସେ ସେମିତି କିଛି ଘଟିବ ବୋଲି ଆଶା କରୁଥିଲେ। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ଗୃହମନ୍ତ୍ରୀ ଅମିତ ଶାହଙ୍କୁ ମଧ୍ୟ ଭେଟି ଆଲୋଚନା କରିଥିଲେ। ଏଥିରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବଡ଼ ଭୂମିକା ରହିଥିବା ସେ କହିଛନ୍ତି। ଆଜି ସନ୍ଧ୍ୟାରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ତାଙ୍କୁ ପ୍ରଥମେ ଅଭିନନ୍ଦନ ଜଣାଇବା ପରେ ସେ ତାଙ୍କ ନୂଆ ନିଯୁକ୍ତି ବିଷୟରେ ଜାଣିବାକୁ ପାଇଥିଲେ ବୋଲି କହିଛନ୍ତି। । ତେବେ ପୂର୍ବରୁ ରାଜ୍ୟର ଆଇନମନ୍ତ୍ରୀ ଭାବେ ସିଧାସଳଖ ଆନ୍ଧ୍ର-ଓଡ଼ିଶା ମଧ୍ୟରେ ଥିବା ବିବାଦ କ୍ଷେତ୍ରରେ ରାଜ୍ୟର ସ୍ୱାର୍ଥ ପାଇଁ ଲଢ଼େଇ କରିଥିବାରୁ ଏହି ଦାୟିତ୍ୱରେ ମିଳିବା ପରେ ସମାଧାନ ପାଇଁ ସହଜ ହୋଇଯିବ ବୋଲି ସାମ୍ବାଦିକ ମାନଙ୍କୁ କହିଛନ୍ତି। ଦୁଇ ରାଜ୍ୟର ସମ୍ପର୍କ କିଭଳି ବଢ଼ିବ ଏବଂ ବିଭିନ୍ନ ସମସ୍ୟାର କିଭଳି ସମାଧାନ ହେବ, ସେଥିପ୍ରତି ସେ ଦୃଷ୍ଟି ଦେବେ। ପୋଲାଭରମ୍ ପରି ପ୍ରସଙ୍ଗରେ ଓଡ଼ିଶାର ସ୍ୱାର୍ଥକୁ ଯଥା ସମ୍ଭବ ମଧ୍ୟ ଗୁରୁତ୍ୱ ଦେବେ ବୋଲି ସେ କହିଛନ୍ତି। ତେବେ ସବୁ ରାଜ୍ୟ ନିଜ ନିଜ ସ୍ୱାର୍ଥକୁ ଗୁରୁତ୍ୱ ଦେବାକୁ ନିଶ୍ଚୟ ପ୍ରୟାସ କରିବେ ବୋଲି ସେ କହିଛନ୍ତି। ଆନ୍ଧ୍ରପ୍ରଦେଶ ଭଳି ଏକ ବଡ଼ ରାଜ୍ୟର ରାଜ୍ୟପାଳ ଭାବେ ଦାୟିତ୍ୱ ମିଳିଥିବାରୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଓଡ଼ିଶା ଏବଂ ଆନ୍ଧ୍ର ପଡ଼ୋଶୀ ରାଜ୍ୟ ହୋଇଥିବାରୁ ବହୁତ କିଛି କରିବାର ସୁଯୋଗ ରହିଛି ବୋଲି ସେ କହିଛନ୍ତି। ରାଜ୍ୟପାଳ ଭାବେ ତାଙ୍କ ନିଯୁକ୍ତି ଜାତୀୟ ସ୍ତରରେ ଓଡ଼ିଶାକୁ ଗୁରୁତ୍ୱ ଦିଆଯାଉଥିବାର ପ୍ରମାଣ ବୋଲି ସେ କହିଛନ୍ତି। ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଓଡ଼ିଶାକୁ ଗୁରୁତ୍ୱ ଦିଆଯାଉଥିବା କଥା କହି ଆସିଛନ୍ତି। ତେବେ ଏହା କେବଳ ଭାଷଣ କିମ୍ବା ଘୋଷଣା ନୁହେଁ, ବାରମ୍ବାର କାର୍ଯ୍ୟରେ ପ୍ରତିଫଳିତ ହୋଇଛି ବୋଲି ସେ କହିଛନ୍ତି। ଭଗବାନ ଜଗନ୍ନାଥ ଙ୍କ ପ୍ରତି ତାଙ୍କର ପ୍ରଘାଡ଼ ଭକ୍ତି ଶ୍ରଦ୍ଧା ଓ ବିଶ୍ୱାସ ରହିଛି ବୋଲି ଜଗନ୍ନାଥଙ୍କ ରାଜ୍ୟ ଉପରେ ତାଙ୍କର ସ୍ୱତନ୍ତ୍ର ଦୃଷ୍ଟି ରହିଛି ବୋଲି ସେ କହିଛନ୍ତି ।
ରିପୋର୍ଟ : ଭ୍ରାମ୍ୟମାଣ ସ୍ୱତନ୍ତ୍ର ପ୍ରତିନିଧି ନିମାଇଁଚରଣ ପଣ୍ଡା
