ବିଶ୍ୱାସ ହେଉଛି ଏ ଲୋକ ଏତେ ଲୁଟ କରିଥିବେ ବୋଲି : ସମ୍ପତ୍ତି ଦେଖି ଭିଜିଲାନ୍ସ ବି ତାଜୁବ୍

ଭୁବନେଶ୍ୱର(ସମୃଦ୍ଧ ଓଡିଶା)ବିଶ୍ୱାସ ହେଉଛି ଏ ଲୋକ ଏତେ ଲୁଟ କରିଥିବେ ବୋଲି I ଅଚଳାଚଳ ସମ୍ପତ୍ତି ଠୁଳ ଥିବା ଦେଖି ଭିଜିଲାନ୍ସ ବି ତାଜୁବ୍ ହୋଇଯାଇଛି I ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ଅଭିଯୋଗରେ ଆଜି ନୟାଗଡ଼ର ପୂର୍ବତନ ଯୋଗାଣ ଅଧିକାରୀ ବ୍ରଜେନ୍ଦ୍ର କୁମାର ନାୟକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି। ଚଢ଼ାଉ ବେଳେ ତାଙ୍କର ସଂପତ୍ତି ଦେଖି ଭିଜିଲାନ୍ସ ଅଧିକାରୀମାନେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ଏତେ ସମ୍ପତ୍ତି ଆସିଲା କୁଆଡୁ ? ଶ୍ରୀ ନାୟକ ଓ ତାଙ୍କ ପରିବାର ଲୋକଙ୍କ ନାଁରେ ଭୁବନେଶ୍ୱରରେ ୫ଟି କୋଠା ରହିଛି। ଭୀମଟାଙ୍ଗୀ ହାଉସିଂ କଲୋନୀରେ ତାଙ୍କର ଏକ ଦୁଇ ମହଲା କୋଠା ଥିବା ବେଳେ ରାଜାରାଣୀ କଲୋନୀ ପାଖରେ ଦୁଇଟି ତିନି ମହଲା କୋଠା ଏବଂ ଲୁଇସ ରୋଡ୍ ଓ ଶିଶୁପାଳଗଡ଼ରେ ଗୋଟିଏ ଲେଖାଏ କୋଠା ରହିଛି। ପୁରୀ ଜିଲ୍ଲା ନିମାପଡ଼ାର ସୁନୁଗୋରଡ଼ିରେ ତାଙ୍କର ଏକ ଫାର୍ମ ହାଉସ ମଧ୍ୟ ରହିଛି। ନିମାପଡ଼ାରେ ତାଙ୍କର ଏକ ମାର୍କେଟ କମ୍ପ୍ଲେକ୍ସ ଅଛି, ଯେଉଁଥିରେ ୧୦ଟି ଦୋକାନ ଅଛି। ସେଠାରେ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କକୁ ସେ ଏକ ହଲ୍ ଭଡ଼ାରେ ଦେଇଛନ୍ତି ଯାହା ୨୦୦୦ ବର୍ଗଫୁଟର ହେବ। ତାଙ୍କର ଏହି ସବୁ ଘର, ଫାର୍ମହାଉସ୍ ଓ ମାର୍କେଟ କମ୍ପ୍ଲେକ୍ସର ମୂଲ୍ୟ କେତେ ହେବ, ସେ ନେଇ ହିସାବ କରୁଛି ଭିଜିଲାନ୍ସ । ବ୍ୟାଙ୍କରେ ଶ୍ରୀ ନାୟକଙ୍କର ୬୦ ଲକ୍ଷ ଟଙ୍କା ଜମା ରହିଛି । ତାଙ୍କର ଗୋଟିଏ ଚାରି ଚକିଆ ଗାଡ଼ି ଓ ୨ଟି ଦୁଇ ଚକିଆ ଗାଡ଼ି ଅଛି । ଆଜି ସକାଳୁ ଏଯାଏଁ ଭିଜିଲାନ୍ସର ଚଢ଼ାଉ ଜାରି ରହିଛି। ତାଙ୍କର ଆହୁରି ଅନେକ ସଂପତ୍ତି ଥିବା ସନ୍ଦେହ କରାଯାଉଛି। ଭିଜିଲାନ୍ସର ୨ ଜଣ ଡିଏସ୍‌ପି, ୬ ଜଣ ଇନ୍ସପେକ୍ଟର ଓ ଅନ୍ୟ କର୍ମଚାରୀ ଏହି ଚଢ଼ାଉରେ ସାମିଲ ହୋଇଛନ୍ତି। ଭୁବନେଶ୍ୱର ଓ ପୁରୀର ମୋଟ ୫ଟି ସ୍ଥାନରେ ଏହି ଚଢ଼ାଉ କରାଯାଇଛି। ତେବେ ପୂର୍ବତନ ଯୋଗାଣ ଅଧିକାରୀ ବ୍ରଜେନ୍ଦ୍ର କୁମାର ନାୟକଙ୍କ ଘରେ ଏତେ ସମ୍ପତି ଆସିଲା କୁଆଡୁ ? କଣ ଚାକିରିକାଳ ମଧ୍ୟରେ ଯୋଗାଣ ବିଭାଗକୁ ଖୋଳ କରିଦେଇଥିଲେ କି ? ଏ ନେଇ ଏବେ ଚର୍ଚ୍ଚା ଧରିଛି ।