ବିଶ୍ୱ ଏଡ଼ସ ଦିବସ ପାଳନ ଅବସରରେ ସଚେତନତା ଅଭିଯାନ…

ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାରେ ଏଡ଼ସ ଆକ୍ରାନ୍ତଙ୍କ ସଂଖ୍ୟା କମୁଥିଲେ ମଧ୍ୟ ସ୍ଥିତି ସଙ୍ଗୀନ ରହିଛି । ରାଜ୍ୟର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଦେଖିଲେ, ସେଥିରୁ ଏକ ତୃତୀୟାଂଶ ଆକ୍ରାନ୍ତ କେବଳ ଗଞ୍ଜାମ ଜିଲ୍ଲାରେ ରହିଛନ୍ତି । ୪୯,୬୬୧ ଜଣ ଆକ୍ରାନ୍ତ ସାରା ରାଜ୍ୟରେ ଥିବା ବେଳେ ସେଥିରୁ କେବଳ ଗଞ୍ଜାମ ଜିଲ୍ଲାରେ ରହିଛନ୍ତି ୧୬୦୧୧ ଜଣ ଆକ୍ରାନ୍ତ । ରାଜ୍ୟରେ ୨୭୨୯ ଗର୍ଭବତୀ ଏଡ଼ସ ଦ୍ୱାରା ଆକ୍ରାନ୍ତ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରେ ୮୮୭ ଗର୍ଭବତୀ ଏଡ଼ସରେ ଆକ୍ରାନ୍ତ ହୋଇଛନ୍ତି । ଏ ଜିଲ୍ଲାରୁ ରାଜ୍ୟ ସରକାରଙ୍କ ତରଫରୁ ସର୍ବାଧିକ ଫୋକସ ଦିଆଯାଉଥିଲେ ମଧ୍ୟ ସ୍ଥିତି ଚିନ୍ତାଜନକ ରହିଛି । ତେବେ ଏଡ଼ସ ନିୟନ୍ତ୍ରଣରେ ଗଞ୍ଜାମ ଜିଲ୍ଲାକୁ ଅନେକ ସଫଳତା ମିଳିଛି । କାରଣ ୨୦୦୦ରେ ଯେତିକି ନମୁନା ପରୀକ୍ଷା କରାଯାଉଥିଲା, ସେଥିରୁ ୨୬.୨୨ ପ୍ରତିଶତ ନମୁନାରେ ଏଚଆଇଭି ଚିହ୍ନଟ ହେଉଥିଲା । ୨୦୧୯ରେ ଏହି ସଂଖ୍ୟା ମାତ୍ର ୦.୪୨ ପ୍ରତିଶତ ରହିଛି । ଏଡ଼ସ ନିବାରଣ ଓ ନିୟନ୍ତ୍ରଣ କମିଟି (ଡ଼ିଏପିସିୟୁ) କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ ୨୦୦୦ରୁ ଜିଲ୍ଲାରେ ଏଚଆଇଭି ଚିହ୍ନଟ ଆରମ୍ଭ ହୋଇଥିଲା । ସେବେଠାରୁ ଅକ୍ଟୋବର ଶେଷ ସୁଦ୍ଧା ଜିଲ୍ଲାରେ ମୋଟ ୧୬୦୧୧ ଏଡ଼ସ ରୋଗୀ ଚିହ୍ନଟ ହୋଇଛନ୍ତି । ମୋଟା ୧୧ଲକ୍ଷ ୫୨ହଜାର ୨୬୩ ରକ୍ତ ନମୁନା ପରୀକ୍ଷା କରାଯାଇଛି । ପରୀକ୍ଷା ତୁଳନାରେ ଚିହ୍ନଟ ପ୍ରତିଶତ ମାତ୍ର ୧.୩୮ ପ୍ରତିଶତ ରହିଛି । ଚଳିତ ବର୍ଷ ମୋଟ ୧ଲକ୍ଷ ୧୭ ହଜାର ୫୨୯ ନମୁନା ପରୀକ୍ଷା କରାଯାଇଥିବା ବେଳେ ମାତ୍ର ୫୦୫ ନମୁନାରେ ଏଚଆଇଭି ମିଳିଛି । ୨୦୧୮ରେ ୧ଲକ୍ଷ ୨୬ ହଜାର ୨୩୯ ପରୀକ୍ଷା ହୋଇଥିବା ବେଳେ ୬୭୧ ନମୁନାରେ ଏଚଆଇଭି ମିଳିଥିଲା । ସେହିଭଳି ୨୦୧୭ରେ ୧ଲକ୍ଷ ୩୪ ହଜାର ୧୬ରୁ ୬୫୯, ୨୦୧୬ରେ ୧ଲକ୍ଷ ୪ ହଜାର ୨୦୫ରୁ ୮୧୦ ନମୁନାରେ ଏଚଆଇଭି ମିଳିଥିଲା । ତେବେ ୨୦୦୭ ରୁ ୨୦୧୪ରେ ସବୁ ବର୍ଷ ମୋଟା ଚିହ୍ନଟଙ୍କ ସଂଖ୍ୟା ୧ହଜାରରୁ ଅଧିକ ରହିଥିଲା । ବ୍ଲକ ଅନୁଯାୟୀ ଦେଖିଲେ, ୨୦୦୦ରୁ ପୋଲସରା ବ୍ଲକରେ ୧୩୪୮, ଆସିକାରେ ୧୨୧୫ ଓ ବେଗୁନିଆପଡା ବ୍ଲକରେ ୧୧୧୨ ଆକ୍ରାନ୍ତ ହୋଇଛନ୍ତି । ଏହି ୩ ବ୍ଲକରେ ସ୍ଥିତି ସଂଗୀନ ରହିଛି । ତାଲିକାରେ ସବୁଠୁ ତଳେ ରହିଛି । ଜଗନ୍ନାଥପରସାଦ ବ୍ଳକରେ ୧୧୬ ଜଣ ଚିହ୍ନଟ ହୋଇଥିବା ଜଣାପଡିଛି । ସେହିଭଳି ଗଞ୍ଜାମରେ ୨୮୧, ଚିକିଟିରେ ୨୮୫ ଏବଂ ପାତ୍ରପୁରରେ ୩୧୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିନ୍ତାଜନକ ବିଷୟ ଥିଲା ଗର୍ଭବତୀମାନେ ଏଡ଼ସରେ ଆକ୍ରାନ୍ତ ଏବଂ ସେମାନଙ୍କଠାରୁ ନବଜାତକଙ୍କୁ ସଂକ୍ରମିତ ହେବା । ତଥ୍ୟ କହୁଛି ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ମୋଟା ୮୮୭ ଗର୍ଭବତୀ ଏଡ଼ସରେ ଆକ୍ରାନ୍ତ ହୋଇଛନ୍ତି । ଗତ କିଛି ବର୍ଷ ତୁଳନାରେ ୨୦୧୮ ଏବଂ ୨୦୧୯ରେ ଆକ୍ରାନ୍ତ ଗର୍ଭବତୀଙ୍କ ସଂଖ୍ୟା ଖୁବ କମ ରହିଛି । ଗତ ବର୍ଷ ୨୮ ଏବଂ ଚଳିତ ବର୍ଷ ମାତ୍ର ୨୬ ଚିହ୍ନଟ ହୋଇଛନ୍ତି । ଏପରିକି ଗତ ୨ବର୍ଷ ହେଲା ଗର୍ଭବତୀଙ୍କ ଠାରୁ ନବଜାତ ଶିଶୁଙ୍କୁ ସଂକ୍ରମଣରୁ ରୋକାଯାଇ ପାରିଛି । ଫଳରେ ନବଜାତ ଶିଶୁମାନଙ୍କ ଜୀବନ ରକ୍ଷା କରାଯାଇଛି । ଗର୍ଭଧାରଣ ସମୟରେ ଏଚଆଇଭି ପରୀକ୍ଷା କରିବା ବାଧ୍ୟତାମୂଳକ କରି ଦିଆଯାଇଛି । ଏହାସହ ଗର୍ଭଧାରଣ ସମୟରେ ଯଦି ନମୁନା ପଜିଟିଭ ବାହାରେ ତେବେ, ନିୟମିତ ଔଷଧ ଦିଆଯାଉଛି । ନବଜାତ ଶିଶୁଙ୍କୁ ୧୮ ମାସ ପର୍ଯ୍ୟନ୍ତ ନିୟମିତ ଫୋଲଅପ କରାଯାଉଛି । ପ୍ରସ୍ତୁତି ଏବଂ ଶିଶୁମାନଙ୍କ ଯତ୍ନ ଦିଗରେ ପଦକ୍ଷେପ ନିଆଯାଉଛି । ସମସ୍ତ ପ୍ରକାର ଚିକିତ୍ସା ସୁବିଧା ପ୍ରଦାନ କରାଯାଉଥିବା ଡିଏପିସିୟୁର ଜିଲ୍ଲା ପ୍ରକଳ୍ପ ପରିଚାଳକ ହେମନ୍ତ କୁମାର ଦାସ ସୂଚନା ଦେଇଛନ୍ତି । ସେହିଭଳି ଆକ୍ରାନ୍ତମାନଙ୍କୁ ନିୟମିତ ମାଗଣା ଔଷଧ ପ୍ରଦାନ କରାଯାଉଛି । ମଧୁବାବୁ ପେନସନ ଯୋଜନାରେ ୧୨,୧୯୫ ମାସିକ ୫ଶହ ଟଙ୍କା ଲେଖାଏଁ ପାଉଛନ୍ତି । ଜିଲ୍ଲାବାସୀଙ୍କୁ ଏଡ଼ସ ସମ୍ପର୍କରେ ସଚେତନ କରିବା ପାଇଁ ଅନେକ ପ୍ରକାର କାର୍ଯ୍ୟକ୍ରମ ଆୟୋଜିତ ହେଉଛି । ଦାସକାଠିଆ ଏବଂ ପାଲା ସହ କଲେଜ ଗୁଡିକରେ ଛାତ୍ରଛାତ୍ରୀଙ୍କୁ ଏଡସର କାରଣ ଏବଂ ନିରାକରଣ ସମ୍ପର୍କରେ ସଚେତନ କରାଯାଉଛି ବୋଲି ଡିପିଏମ ଦାସ ପ୍ରକାଶ କରିଛନ୍ତି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା