ବିଶ୍ୱ କପ ହକିର ଉଦଘାଟନୀ ମ୍ୟାଚ:ମୁଖ୍ୟମନ୍ତ୍ରୀଙ୍କୁ କୁଣ୍ଢାଇ ପକାଇଲେ ସଲ୍‌ମାନ ଖାଁ…

କଟକ (ସମୃଦ୍ଧ ଓଡିଶା) ବିଶ୍ୱ କପ ହକିର ଉଦଘାଟନୀ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ । କିନ୍ତୁ ଏହାର ସେଲିବ୍ରେସନ ହୋଇଥିଲା କଟକର ବାରବାଟୀ ଷ୍ଟାଡିୟମରେ । ବାରବାଟୀ ପଡିଆ ଆଉ ଗ୍ୟାଲେରିରେ ଜମି ଥିଲା ଦର୍ଶକଙ୍କ ଭିଡ । ସେଠାରେ ଦର୍ଶକଙ୍କ ଭରପୁର ମନୋରଂଜନ କରିଥିଲେ ସଂଗୀତ ଜାଦୁଗର ଏ.ଆର. ରହେମାନ ଆଉ ବଲିଉଡର ସୁଲତାନ ସଲମାନ ଖାଁ । ସନ୍ଧ୍ୟା ୮ଟା ୧୬ରେ ମଞ୍ଚକୁ ଏଣ୍ଟ୍ରି କରିଥିଲେ ବଲିଉଡ୍‌ ସୁପର‌୍‌ଷ୍ଟାର ସଲ୍‌ମାନ ଖାଁ । ମଞ୍ଚକୁ ପ୍ରଥମେ ଆସିବା ପରେ ଓଡ଼ିଆଙ୍କୁ ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଜଣାଇଥିଲେ । ପରେ ସଲ୍‌ମାନ ମୁଖ୍ୟମନ୍ତ୍ରୀଙ୍କ ହାତ ଧରି ମଞ୍ଚ ଉପରକୁ ଆଣିଥିଲେ । ମଞ୍ଚରେ ମୁଖ୍ୟମନ୍ତ୍ରୀ ହସ ହସ ମୁହଁରେ ସଲ୍‌ମାନଙ୍କୁ କୁଣ୍ଢେଇ ପକାଇଥିଲେ ଓ ସଲମାନ ମୁଖ୍ୟମନ୍ତ୍ରୀଙ୍କ ଖୁବ୍‌ ପ୍ରଶ˚ସା କରିଥିଲେ । ସଲମାନ କହିଥିଲେ, ଗଲା ୧୮ ବର୍ଷ ଧରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ରହି ଆସିଥିବା ନବୀନ ପଟ୍ଟନାୟକ ରାଜ୍ୟ ପାଇଁ ଯାହା କରିଛନ୍ତି, ହକି ବିଶ୍ୱ କପ ଆୟୋଜନ ତାହାର ଏକ ପ୍ରତିଫଳନ । ମୁଖ୍ୟମନ୍ତ୍ରୀଙ୍କର ମାତ୍ର ୪ ହଜ କୁର୍ତ୍ତା ପାଇଜାମା ଓ ଦୁଇ ହଳ କୋହ୍ଲାପୁରୀ ଚପଲ ଅଛି । ଏଭଳି ଜଣେ ବ୍ୟକ୍ତି ନିଆରା ବୋଲି ସଲମାନ କହିଥିଲେ । ପ୍ରଖ୍ୟାତ ସଂଗୀତଜ୍ଞ ସ୍ଵର ସମ୍ରାଟ୍‌ ଏ.ଆର୍. ରହେମାନ୍‌ଙ୍କ ସୋ ତା’ସାଂଗକୁ କାର୍ଯ୍ୟକ୍ରମ ମଧ୍ୟ ଭାଗରେ ବଲିଉଡ୍‌ର ସଲମାନ୍‌ ଖାଁଙ୍କ ମଞ୍ଚକୁ ଗ୍ରାଣ୍ଡ ‌ଏଣ୍ଟ୍ରି ଦର୍ଶକଙ୍କ ଉତ୍କଣ୍ଠାକୁ ଆହୁରି ବଢ଼ାଇ ଦେଇଥିଲା । ସଲମାନ୍‌…ସଲମାନ୍‌… ନାରାରେ ଦର୍ଶକମାନେ ଦବଙ୍ଗ ଖାନଙ୍କୁ ସ୍ୱାଗତ କରିବା ସହ ମୋବାଇଲ୍ ଫ୍ଲାସ୍‌ ଲାଇଟ୍‌ ଜ‌ଳାଇ ଶୁଭେଚ୍ଛା ଜଣାଇଥିଲେ । ସଲମାନ ଓଡ଼ିଆରେ ସ‌ମ୍ବୋଧନା ଜଣାଇ କହିଥିଲେ – ଓଡ଼ିଶାବାସୀଙ୍କୁ ମୋର ନମସ୍କାର ! ଜୟ ଜଗନ୍ନାଥ ! ବାଲିଯାତ୍ରା କେମିତି ଚାଲିଛି ? ଏଠାକାର ଆଳୁଦମ୍‌ ଦହିବରା ଖାଇବି । ମୁଁ ତୁମକୁ ଭଲ ପାଏ…। ବଲିଉଡ୍‌ ସୁପରଷ୍ଟାର ସଲ୍‌ମାନ ଖାଁଙ୍କ ଓଡ଼ିଆରେ ଏଇ କଥା ପଦକରେ କମ୍ପି ଉଠିଥିଲା ବାରବାଟି ଷ୍ଟାଡିୟମ୍‌ । ଦର୍ଶକଙ୍କୁ ମନୋରଞ୍ଜନ କରିବାକୁ ଗାଇଥିଲେ, ପେହେଲ୍‌ ବାର‌୍‌ ମିଲେ ହେଁ… ମିଲତି ହେଁ..। ସଲ୍‌ମାନ ସଲ୍‌ମାନରେ ଷ୍ଟାଡିୟମ୍‌ କମ୍ପି ଉଠିଥିଲା । ଜୟ ଜଗନ୍ନ‌ାଥ…, ନମସ୍ତେ ଭଲରେ ଥାନ୍ତୁ ସମସ୍ତେ….କହି ଅପରାହ୍ନ ୪ଟା ୫୦ରେ ସଲମାନ ଖାନ୍‌ ଓ ଏ.ଆର.ରହମାନଙ୍କ କାର୍ଯ୍ୟକ୍ରମକୁ ଶୁଭ ଆରମ୍ଭ କରିଥିଲେ ଅଭିନେତା କୁନା ତ୍ରପାଠୀ । ମଞ୍ଚ ପରିଚାଳନା କରିବାକୁ କୁନା ତ୍ରିପାଠୀଙ୍କ ସହିତ ସାଙ୍ଗରେ ଥିଲେ ସୁଲଗ୍ନା ରାଉତରାୟ । ଏହାପରେ ସ୍ବରାଜ ବାରିକ ଓ ତମନା ଫାଷ୍ଟ ଟାଇମ୍‌ ଗୋଟେ ଝିଅକୁ..ଗୀତରେ ନାଚିଥିଲେ । ପରେ ପରେ ଏଲିନା ଇସ୍କ ତୁ ହି ତୁ.., ଆଶୁତୋଷ ଓ ଦୀପ୍ତି ରହିଯା ରଘୁଆ ଖାଇକି ଯିବୁ ଓ ବୋଉ ମାରିବ ଗୀତରେ ନାଚି ଦର୍ଶକଙ୍କୁ ଉତ୍ସାହିତ କରିଥିଲେ । ଏହାପରେ ଭୂମିକା, ଜ୍ୟୋତି, ଶିବାନୀ ପ୍ରମୁଖ ଓଡ଼ିଆ ଗୀତରେ ନାଚିଥିଲେ । ଶେଷରେ ସୋନମ ଦାଶ ରଙ୍ଗବତୀ ଓ ପୁଚୁକି ଗାଲି ଗୀତ ଗାଇଥିଲେ । ଫଳରେ ବାରବାଟୀ ଷ୍ଟାଡିୟମ ମୋବାଇଲ୍ ଫ୍ଲାସ୍‌ ଲାଇଟ୍‌ରେ ଚମକି ଉଠିଥିଲା ପୂରା ପରିବେଶ । ଶେଷରେ ୧୯୭୫ ହକି ବିଶ୍ୱକପ୍ ବିଜେତାଙ୍କୁ ସମ୍ବର୍ଧନା ଦିଆଗଲା ବେଳେ ସରିଗଲା ଟ୍ରଫି । କିଛି ଖେଳାଳି ଉତ୍ତରୀୟ ନେଇ ସନ୍ତୁଷ୍ଟ ହେଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଞ୍ଚରେ ଜଣ ଜଣ କରି ସବୁ ଖେଳାଳିଙ୍କୁ ସମ୍ବର୍ଧିତ କରୁଥିଲେ । ହେଲେ ଶେଷ ଚାରି ପାଞ୍ଚ ଜଣ ଖେଳାଳିଙ୍କୁ ସମ୍ବର୍ଦ୍ଧନା ଦେଲା ବେଳକୁ ଟ୍ରଫି ସରି ଯାଇଥିଲା । ସେମାନଙ୍କୁ କେବଳ ଉତ୍ତରୀୟ ଦିଆଯାଇଥିଲା । ମୁଖ୍ୟମନ୍ତ୍ରୀ ଏହାପରେ ଚେୟାର୍‌ ବସି ପଡ଼ିଥିଲେ । ଅବଶ୍ୟ ପରେ ଦୁଇଟି ଟ୍ରଫି ଆସି ଖେଳାଳିଙ୍କୁ ଦିଆଯାଇଥିବା ଦେଖିବାକୁ ମିଳିଥିଲା ।

ରିପୋର୍ଟ : ଶରତ ବେହେରା