ମାଆ ମଣିଷର ଆଦ୍ୟ ଉଚ୍ଚାରଣ । ଯିଏ ସବୁଠାରୁ ନିଜର । ଯିଏ ହାତ ଧରି ଚାଲିବା ଶିଖାଏ । ଯିଏ ନିଜେ ଜଳି ସନ୍ତାନକୁ ଆଲୋକ ଦେଖାଏ । ତ୍ୟାଗ ଓ ତପସ୍ୟାର ପ୍ରତୀକ ମାଆ । ଦଶ ମାସ ଦଶ ଦିନ ଗର୍ଭରେ ଧାରଣ କରି ଯିଏ ନିଜର ସବୁ ସୁଖକୁ ଉତ୍ସର୍ଗ କରି ଦିଏ ସନ୍ତାନ ଟିଏ ପାଇଁ । ମାଆ କେବଳ ଏକ ସମ୍ବୋଧନ ନୁହେଁ । ସେ ତ ଜନନୀ । ଯିଏ ଜୀବନ ଯୁଦ୍ଧରେ ବିଜୟୀ ହୋଇ ଫେରିବାର ମନ୍ତ୍ର ଶିଖାଏ । ସେ ପୁଣି ଶିଖାଏ ଶିଷ୍ଟାଚାର, ସଭ୍ୟ ହୋଇ ମଣିଷ ଭଳି ବଞ୍ଚିବାର କୌଶଳ । ମାଆ ହେଉଛି ମମତାମୟୀ, କରୁଣାମୟୀ ଯାହାର କାହାଣୀ ଯେତେ କହିଲେ ବି ସରିଵନି । ସେଥିପାଇଁ କୁହାଯାଇଛି “ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗIଦପି ଗରୀୟସି” ଅର୍ଥାତ୍ ମାଆ ଓ ମାତୃଭୂମି ସ୍ଵର୍ଗ ଠାରୁ ବଡ଼ ଓ ମହାନ୍ । ଧର୍ମ ଗ୍ରନ୍ଥର ଏହି ଗୋଟିଏ ପନ୍ଥି ବର୍ଣ୍ଣନା କରେ ମାଆର ମହାନତାକୁ । ମାଆର ଭଲ ପାଇବା ସନ୍ତାନ ପ୍ରତି ବାଶ୍ଚଳ ଓ ଅତୁଲନୀୟ ।ସନ୍ତାନର ଜନ୍ମ ଠାରୁ ଆରମ୍ଭ ହୁଏ ମାଆର ଯନ୍ତ୍ରଣା । ଶିଶୁର ଜନ୍ମ ଠାରୁ ଆରମ୍ଭ କରି ବଡ଼ ହେବା ପର୍ଯ୍ୟନ୍ତ ଲାଳନପାଳନ କରିଥାଏ ମାଆ । ହେଲେ ଏହି କଷ୍ଟରେ ସେ ଅନୁଭବ କରେ ଆନନ୍ଦ । ଏହି ଦୁନିଆରେ ମାଆ ଠାରୁ ମହାନ୍ କେହି ହେଇପାରିବ ନାହିଁ । ମାଆର ଆଉକିଛି ବିକଳ୍ପ ନାହିଁ ।
ସ୍ମୃତିମଞ୍ଜରୀ ପ୍ରଧାନ.
ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ, ସମ୍ବଲପୁର