ବିଶ୍ୱ ସ୍ତନ୍ୟପାନ ସପ୍ତାହ ଶୁଭାରମ୍ଭ : ସବୁ ଅଙ୍ଗନବାଡ଼ି କେନ୍ଦ୍ରରେ ଲାଗିବ ସ୍ତନ୍ୟପାନ ସଚେତନତା ବ୍ୟାନର

ଭୁବନେଶ୍ୱର(ସମୃଦ୍ଧଓଡିଶା) ଆଜି ଭୁବନେଶ୍ୱରସ୍ଥିତ ରାଜ୍ୟ ସମାଜ କଲ୍ୟାଣ ବୋର୍ଡରେ ମହିଳା ଓ ଶିଶୁ ବିକାଶ ବିଭାଗ ଆନୁକୂଲ୍ୟରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ଶୁଭାରମ୍ଭ କରାଯାଇଛି । ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି, ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଭୟ ମା’ ଓ ଶିଶୁ ପାଇଁ ସ୍ତନ୍ୟପାନର ଉପଯୋଗିତା ବିଷୟରେ ଆଲୋକପାତ କରିଥିଲେ । ଚଳିତ ବର୍ଷ ‘ପ୍ରତିବନ୍ଧକ ଦୂର କରିବା, ସ୍ତନ୍ୟପାନକୁ ପ୍ରୋତ୍ସାହିତ କରିବା’ ଶୀର୍ଷକ ବିଷୟବସ୍ତୁକୁ ଗୁରୁତ୍ୱ ଦେଇ ସେ କହିଥିଲେ ଯେ ମା’ର କ୍ଷୀରରେ ଶିଶୁର ଏକଚାଟିଆ ଅଧିକାର ରହିଛି । ଶିଶୁର ଏହି ଅଧିକାରକୁ ସାବ୍ୟସ୍ତ କରିବା ପାଇଁ ଆମେ ସମସ୍ତ ବ୍ୟବସ୍ଥାକୁ ସମାଜ ଅନୁକୂଳ କରିବା ସହିତ ସବୁ କାର୍ଯ୍ୟାଳୟରେ କର୍ମଜୀବୀ ମା’ମାନଙ୍କ ପାଇଁ କ୍ରେଚ୍‌ ସହ ସ୍ତନ୍ୟପାନ ଗୃହର ସୁବିଧା ଯୋଗାଇ ଦେବାର ବ୍ୟବସ୍ଥା କରିବା ପାଇଁ ସେ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ଜନସାଧାରଣ ସ୍ଥାନରେ ଶୌଚାଳୟର ଯେତିକି ଆବଶ୍ୟକତା ରହିଛି, ସ୍ତନ୍ୟପାନ ଗୃହର ମଧ୍ୟ ସେତିକି ଆବଶ୍ୟକତା ରହିଛି । ବିଶ୍ୱ ସ୍ତନ୍ୟପାନ ସପ୍ତାହର ବ୍ୟାନର ରାଜ୍ୟର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରରେ ପ୍ରଦର୍ଶିତ କରି ସ୍ତନ୍ୟପାନର ଉପକାରିତା ଏବଂ ଆବଶ୍ୟକତା ସଂପର୍କରେ ବ୍ୟାପକ ଜନସଚେତନତା ସୃଷ୍ଟି କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ତୃଣମୂଳ ସ୍ତରରେ ସ୍ତନ୍ୟପାନ ଉପରେ ସଚେତନତା ସୃଷ୍ଟି ଦିଗରେ ଅଙ୍ଗନବାଡ଼ି କର୍ମୀ, ସହାୟିକା ଓ ମା’ମାନଙ୍କ ପରିବାର ସଦସ୍ୟଗଣ ସହଯୋଗର ହାତ ବଢ଼ାଇବାକୁ ମନ୍ତ୍ରୀ ଶ୍ରୀମତୀ ପରିଡ଼ା ଅନୁରୋଧ କରିଛନ୍ତି । ଏହି ଅବସରରେ ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା ଶିଶୁମାନଙ୍କ ଶାରୀରିକ ଓ ମାନସିକ ବିକାଶ ନିମନ୍ତେ ସ୍ତନ୍ୟପାନର ଗୁରୁତ୍ୱ ଉପରେ ଆଲୋକପାତ କରି କହିଲେ ଯେ ଶିଶୁର ବିକାଶ ପାଇଁ ଆବଶ୍ୟକ ହେଉଥିବା ସମସ୍ତ ପୁଷ୍ଟିସାର ଓ ଭିଟାମିନ୍‌ ଆଦି ମା’କ୍ଷୀରରେ ପର୍ଯ୍ୟାପ୍ତ ପରିମାଣରେ ରହିଛି । ଏହାର କୌଣସି ବିକଳ୍ପ ନାହିଁ । କୁପୋଷଣ ଦୂର କରିବାରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ । ଏଣୁ ସ୍ତନ୍ୟପାନ ଏକ ସୁସ୍ଥ ଶିଶୁ ପାଇଁ ଅତ୍ୟନ୍ତ ଜରୁରୀ । ସ୍ତନ୍ୟପାନ ଉପରେ ଜନସଚେତନତା ସୃଷ୍ଟି ପାଇଁ ଶ୍ରୀମତୀ ଶର୍ମା ମିଶନ ଶକ୍ତି ବିଭାଗ ଅନ୍ତର୍ଗତ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କର ସହଯୋଗ କାମନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଜାତୀୟ ସ୍ୱାସ୍ଥ୍ୟ ମିଶନର ଅତିରିକ୍ତ ନିର୍ଦ୍ଦେଶକ (ଶିଶୁ ସ୍ୱାସ୍ଥ୍ୟ) ଡ. ଆଦିତ୍ୟ ମହାପାତ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ ସ୍ତନ୍ୟପାନ ଦ୍ୱାରା ଆମେ ଶିଶୁ ମୃତୁ୍ୟହାର ହ୍ରାସ କରିବାରେ ସମର୍ଥ ହୋଇପାରିବା ବୋଲି ମତବ୍ୟକ୍ତ କରିଥିଲେ । ସେ କହିଥିଲେ ଯେ ଶିଶୁର ମସ୍ତିଷ୍କ ବିକାଶ ପାଇଁ ସଠିକ୍‌ ମାତ୍ରାରେ ମା’କ୍ଷୀର, ଉତ୍ତାପ ଓ ପରିଷ୍କାର, ପରିଚ୍ଛନ୍ନତାର ଗୁରୁତ୍ୱପୂର୍ଣ୍ଣ । ଶିଶୁ ଜନ୍ମ ହେବାର ଏକ ଘଣ୍ଟା ମଧ୍ୟରେ ତାକୁ ମା’କ୍ଷୀର ପିଆଇବା ନିହାତି ଜରୁରୀ । ଜନ୍ମରୁ ୬ ମାସ ପର୍ଯ୍ୟନ୍ତ ଶିଶୁକୁ କେବଳ ମା’କ୍ଷୀର ଦେବା ଉଚିତ । ଏହା ଶିଶୁର ରୋଗପ୍ରତିଷେଧକ ଶକ୍ତି ବଢ଼ାଇବା ସହ ଶରୀରକୁ ପୋଷକ ତତ୍ତ୍ୱ ଯୋଗାଇଥାଏ । ମା’କୁ ସ୍ତନ୍ୟପାନ କରାଇବା ନିମନ୍ତେ ଏକାନ୍ତ ଓ ଅନୁକୂଳ ପରିବେଶ ନିହାତି ଆବଶ୍ୟକ । ଡେଲାଙ୍ଗ ବ୍ଲକ୍‌ ଅଧିନସ୍ଥ ବଙ୍ଗ୍‌ ଅଙ୍ଗନବାଡ଼ି କେନ୍ଦ୍ରର କର୍ମୀ ବନ୍ଦିତା ଜୟଦେବ ସ୍ତନ୍ୟପାନ ସଂପର୍କରେ ଅଙ୍ଗନବାଡ଼ି ତରଫରୁ ସଚେତନତା ସୃଷ୍ଟି ବାବଦରେ ନିଜର ଅଭିଜ୍ଞତା ଓ ଅନୁଭବ ବର୍ଣ୍ଣନା କରିଥିଲେ । ଘର ଘର ବୁଲି ମା’ମାନଙ୍କୁ ସ୍ତନ୍ୟପାନ ସମୟରେ ଜରୁରୀ ସତର୍କତା ଅବଲମ୍ବନର ଗୁରୁତ୍ୱ ଏବଂ ପରିବାର ଲୋକଙ୍କ ଭୂମିକା ବିଷୟରେ ଅବଗତ କରାଇଥିଲେ । ଏହି ଅବସରରେ ସୁସ୍ଥ ଶିଶୁ ନିମନ୍ତେ ଭୁବନେଶ୍ୱରର ଗାୟତ୍ରୀ କର (୯ ମାସ), ଋତିକ୍‌ କୁମାର ସାହୁ (୧୧ ମାସ) ଓ ହିମାଂଶୁ ଶେଖର ପରିଡ଼ା (୨ ବର୍ଷ ୧୧ ମାସ)ଙ୍କୁ ପୁରସ୍କୃତ କରାଯାଇଥିଲା । ସମାଜ କଲ୍ୟାଣ ବୋର୍ଡ ତଥା ସମନ୍ୱୟ ଶିଶୁ ବିକାଶ ପ୍ରକଳ୍ପର ନିର୍ଦ୍ଦେଶିକା ଶ୍ରୀମତୀ ମନୀଷା ବାନାର୍ଜୀ ସ୍ୱାଗତ ଅଭିଭାଷଣ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ୟୁନିସେଫ୍‌ର ରାଜ୍ୟ ମୁଖ୍ୟଙ୍କ ସମତେ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ମନ୍ଦାକିନୀ କର, ମହିଳା ବିକାଶ ସମବାୟ ନିଗମର ଅଧ୍ୟକ୍ଷା ସ୍ୱାଧୀନବାଳା ଦାସ, ସମାଜ କଲ୍ୟାଣ ବୋର୍ଡର କର୍ମକର୍ତ୍ତା, ମହିଳା ଓ ଶିଶୁ ବିକାଶ ବିଭାଗର ବରିଷ୍ଠ ଅଧିକାରୀ, ବିଭିନ୍ନ ଜିଲ୍ଲାରୁ ଆସିଥିବା ସିଡିପିଓ ଏବଂ ଅଙ୍ଗନବାଡ଼ି କର୍ମୀମାନେ ଯୋଗଦେଇଥିଲେ । ମହିଳା ଓ ଶିଶୁ ବିକାଶ ବିଭାଗର ଅତିରିକ୍ତ ସଚିବ ଏନ୍‌.ସି. ଜ୍ୟୋତିରଞ୍ଜନ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

ରିପୋର୍ଟ  : ରଜତ ମହାପାତ୍ର