ବିଡ଼ିଏ କିରାଣୀ ଵାଣିଶ୍ରୀ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଦ୍ୱାରା ଟଙ୍କା ଜବତ ଓ ସେ ଗିରଫ …

ବ୍ରହ୍ମପୁର(ସମୃଦ୍ଧ ଓଡିଶା) ଘରର ନକସା ଅନୁମୋଦନ ଫାଇଲ୍ ପ୍ରୋସେସିଂ ପାଇଁ ୧୨ହଜାର ଟଙ୍କା ଲାଞ୍ଚ ନେଉ ଥିବା ବେଳେ ବ୍ରହ୍ମପୁର ଭିଜିଲାନ୍ସ ହାତରେ ଧରାପଡି ବ୍ରହ୍ମପୁର ଉନ୍ନୟନ ସଂସ୍ଥା (ବିଡ଼ିଏ)ର ଡ଼ିଲିଙ୍ଗ୍ କିରାଣୀ ସି.ଏଚ୍ ବାଣିଶ୍ରୀ ଗିରଫ ହୋଇଛନ୍ତି । ଉଲ୍ଲେଖ ଯୋଗ୍ୟ ଯେ, ଅନୀସ୍ ବେଗ୍ ନାମକ ଜଣେ ମହିଳାଙ୍କ ଘରର ନକସା ଅନୁମୋଦନ ସଂକ୍ରାନ୍ତୀୟ ଫାଇଲ୍ ପ୍ରୋସେସିଂ ପାଇଁ ବାଣିଶ୍ରୀ ୧୨ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ । ଅନୀସ୍ ୧୦ ହଜାର ଟଙ୍କା ଦେବା ପାଇଁ କହିଥିଲେ ମଧ୍ୟ ବାଣିଶ୍ରୀ ମାନି ନ ଥିଲେ । ଯାହାଫଳରେ ମହିଳା ଜଣକ ଏ ସଂପର୍କରେ ଭିଜିଲାନ୍ସ ଏସପିଙ୍କୁ ଜଣାଇଥିଲେ ।  ଭିଜିଲାନ୍ସ କାର୍ଯ୍ୟାଳୟ ପକ୍ଷରୁ ଆଜି ପୂର୍ବ ଯୋଜନା ଅନୁଯାୟୀ ବିଡ଼ିଏ କାର୍ଯ୍ୟାଳୟ ପରିସରରେ ଭିଜିଲାନ୍ସ କର୍ମଚାରୀମାନେ ଛକି ରହିଥିଲେ । ଅନୀସ୍ ୧୨ ହଜାର ଟଙ୍କା ଲାଞ୍ଚ ଦେବାପରେ ବିଡ଼ିଏ କାର୍ଯ୍ୟାଳୟର ଡ଼ିଲିଂ କିରାଣୀ ବାଣିଶ୍ରୀ ଲାଞ୍ଚ ଟଙ୍କା ନେଇ ନିଜ ଭ୍ୟାନିଟି ବ୍ୟାଗରେ ରଖିଥିଲେ । ଏହି ସମୟରେ ଛକି ରହିଥିବା ଭିଜିଲାନ୍ସ ଅଧିକାରୀମାନେ କାର୍ଯ୍ୟାଳୟରେ ପ୍ରବେଶ କରି ଵାଣିଶ୍ରୀଙ୍କ ଭ୍ୟାନିଟି ବ୍ୟାଗକୁ ଜବତ କରି ନୋଟଗୁଡିକର ରାସାୟନିକ ପ୍ରକ୍ରିୟାରେ ପରୀକ୍ଷା କରିବା ସହ ଅଭିଯୁକ୍ତ ସି.ଏଚ୍ ବାଣିଶ୍ରୀଙ୍କୁ ଗିରଫ କରି ଭିଜିଲାନ୍ସ କାର୍ଯ୍ୟାଳୟକୁ ନେଇ ଆସିଥିଲେ 
। ଭିଜିଲାନ୍ସ ଏସପି ମାୟାଧର ସ୍ୱାଇଁ ତାଙ୍କୁ ଜେରା କରିବା ପରେ ସିଏଚ୍ ବାଣିଶ୍ରୀଙ୍କ ବ୍ରହ୍ମପୁରରେ ଥିବା ବାସଭବନ ଉପରେ ମଧ୍ୟ ଭିଜିଲାନ୍ସ କାର୍ଯ୍ୟ।।ଳୟ ପକ୍ଷରୁ ଚଢ଼ାଉ କରାଯାଇଥିଲା । ଚଢ଼ାଉ ଜାରି ରହିଥିବାରୁ ତାଙ୍କର ସମ୍ପତ୍ତି ଆକଳନ ତଥ୍ୟ ହସ୍ତଗତ ହୋଇନାହିଁ ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା