

ବୁଗୁଡା (ସମୃଦ୍ଧ ଓଡିଶା) ବୁଗୁଡା ଥାନା ଅନ୍ତର୍ଗତ କୁଆନଳା ଗ୍ରାମର ଜଣେ ମହିଳା ନାଳରେ ବୁଡି ମୃତ୍ୟୁ ବରଣ କରିଥିବା ବେଳେ ବି.କରଡ଼ାବାଡ଼ି ଗ୍ରାମର ରୋଡ଼କଡ଼ ବନ୍ଧରେ ବୁଡି ଜଣେ ପୁରୁଷ ମୃତ୍ୟୁ ବରଣ କରିଥିବା ଜଣାପଡିଛି । ସେହିପରି ଜେକ ଗ୍ରାମର ଜଣେ ବିବାହିତ ଯୁବତୀ ବିଷାକ୍ତ ଫଳ ମଞ୍ଜି ଖାଇ ମୃତ୍ୟୁ ବରଣ କରିଥିବା ଜଣାପଡିଛି । ରବିବାର ସକାଳେ କୁଆନଳା ଗ୍ରାମର ସୁଧୀର ସାହୁଙ୍କ ପତ୍ନୀ ନମିତା ସାହୁ (୩୮) ଗ୍ରାମ ନିକଟ କୁସୁମୀ ନାଳକୁ ସ୍ନାନ ପାଇଁ ଯାଇଥିବା ବେଳେ ପାଣିରେ ବୁଡି ଯାଇଥିଲେ । ଅନ୍ୟ ଜଣେ ମହିଳା ଦେଖି ପାଟି କରି ଡାକିବା ଯୋଗୁଁ ଗ୍ରାମଲୋକେ ଆସି ନମିତାଙ୍କୁ ନାଳରୁ ଉଦ୍ଧାର କରି ବୁଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିବା ବେଳେ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ । ସେହିପରି ବି.କରଡ଼ାବାଡ଼ି ଗ୍ରାମର ରମେଶ ନାୟକ(୪୧) ଓରଫ ବାବାଜୀ ଶନିବାର ଦିନ ରାତ୍ର ୯ଟା ସମୟରେ ମୁଖ୍ୟ ରାସ୍ତା କଡରେ ଥିବା ବନ୍ଧକୁ ସ୍ନାନ ପାଇଁ ଯାଇଥିବା ବେଳେ ଖସିପଡି ପାଣିରେ ବୁଡି ଯାଇଥିଲେ । ଗ୍ରାମଲୋକେ ଉଦ୍ଧାର କରି ବୁଗୁଡା ମେଡ଼ିକାଲକୁ ନେଇଥିବା ବେଳେ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ । ଅନ୍ୟ ଏକ ଘଟଣାରେ ଜେକ ଗ୍ରାମର ଟୁକୁନା ନାୟକଙ୍କ ପତ୍ନୀ ପପିନା ନାୟକ(୨୦) ରବିବାର ସକାଳେ ଘରର ସମସ୍ତ କାମ କରିଥିବା ବେଳେ ପ୍ରାୟ ୯ଟା ବେଳେ ବିଷାକ୍ତ କନିଆରୀ ଫଳ ଖାଇବା ଦ୍ୱାରା ଭିଷଣ ଭାବେ ବାନ୍ତି କରିଥିଲେ । ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସ ଡାକି ପପିନାଙ୍କୁ ତାଙ୍କ ସ୍ୱାମୀ ଓ ମା ବୁଗୁଡା ମେଡ଼ିକାଲକୁ ନେଇଥିଲେ । ହେଲେ ପପିନାଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ । ଗତ ୧୨ ଘଣ୍ଟା ମଧ୍ୟରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅଞ୍ଚଳରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।
ରିପୋର୍ଟ : ଡ଼ଃ କୁମୁଦ ଚନ୍ଦ୍ର ବେହେରା
