ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକର ବିଭିନ୍ନ ପଂଚାୟତରେ ଗତ ଲଘୁଚାପଜନୀତ ବର୍ଷା (ବୁଲବୁଲ)ରେ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ସହାୟତା ପ୍ରଦାନ ପାଇଁ ବିଜେପି ପକ୍ଷରୁ ଜଳେଶ୍ୱର ବ୍ଲକ ସମ୍ମୁଖରେ ଏକ ଗଣଧାରଣା ଆଜି ପୂର୍ବାହ୍ନରେ ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲା ଉପସଭାପତି ଅରୁଣ କୁମାର ବେଜଙ୍କ ପୌରହିତ୍ୱରେ ଅନୁଷ୍ଠିତ ପଥପ୍ରାନ୍ତ ସଭାରେ ବିଜେପି ନେତା ବାଣିଦାସ ମହାପାତ୍ର, ପ୍ରଦୀପ କୁମାର ମହାନ୍ତି, ଗଦାଧର ସିଂ, ଲକ୍ଷ୍ମୀନାରାୟ ପ୍ରଧାନ, ପରେଶ ଚନ୍ଦ୍ର ଘୋଷ, ସୁଶୀଲ କୁମାର ପ୍ରଧାନ, ବିଜୟ ହେମ୍ବ୍ରମ, ଅରୁଣ ମହାନ୍ତି, ରମେଶ ଚନ୍ଦ୍ର ଧଳ, ଦିନବନ୍ଧୁ ମଲ୍ଲିକ, ସଂଜୟ ଦାସ ପ୍ରମୁଖ ନେତୃବୃନ୍ଦ ଉଦବୋଧନ ଦେଇ ଜଳେଶ୍ୱର ବ୍ଲକକୁ କେନ୍ଦ୍ରୀୟ ଅନୁଧ୍ୟାନ ଟିମ୍ ନ ଆସିବା କ୍ଷେତ୍ରରେ ରାଜ୍ୟ ସରକାରଙ୍କର ଟାଳଟୁଳ ନିତୀକୁ ସମାଲୋଚନା କରିଥିଲେ । ରାଜ୍ୟ ସରକାର ବାର୍ଦ୍ଧକ୍ୟ, ବିଧବା, କଳାକାର ପ୍ରଭୃତି ଭତ୍ତା ପ୍ରଦାନ କରୁଥିବା ବେଳେ କୃଷକ ଭତ୍ତା ପ୍ରଦାନ କରିବା ପାଇଁ ସେମାନେ ଦାବି କରିଥିଲେ । ପରେ ସେମାନେ ଜିଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ବିଡିଓ ନିତ୍ୟାନନ୍ଦ ସାହୁଙ୍କ ଜରିଆରେ ପ୍ରଦାନ କରିଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା