ବେଆଇନ୍ ଗୁଟ୍‌ଖା କାରଖାନା ଉପରେ ଚଢାଉ : ଦେଢ କୋଟିର ଗୁଟ୍‌ଖା ସାମଗ୍ରୀ ଜବତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଜିଲ୍ଲାରେ ଲକ୍‌ଡ଼ାଉନ୍ ସମୟରେ ବି ବେଆଇନ୍ କାରବାର ଜୋରସୋରରେ ଚାଲିଥିବା ଜଣାପଡିଛି । ଯାହାକୁ ନେଇ ପ୍ରଶାସନ ପକ୍ଷରୁ ଚଢଉ କରାଯାଇ ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଆଜି ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଧେ ଦାତାତ୍ରୟ ଭାଉସାହେବଙ୍କ ନେତୃତ୍ୱରେ ଏନ୍‌ଫୋର୍ସମେଣ୍ଟ ଟିମ୍ ଏକ ବେଆଇନ୍ ଗୁଟ୍‌ଖା କାରଖାନା ଉପରେ ଚଢାଉ କରି ବିପୁଳ ପରିମାଣର ଗୁଟ୍‌ଖା ସହ ପ୍ରାୟ ଏକ କୋଟି ଟଙ୍କାର କଞ୍ଚାମାଳ ଜବତ କରାଯାଇଥିବା ଜଣାପଡିଛି । ସୂଚନା ଅନୁଯାୟୀ, ଏନ୍‌ଫୋର୍ସମେଣ୍ଟ ଟିମ୍‌ର ପାଟ୍ରୋଲିଂ ସମୟରେ ଏକ କାରଖାନାରୁ ଗାଡ଼ି ବାହାରୁଥିବା ନେଇ ସନ୍ଦେହ ସୃଷ୍ଟି ହୋଇଥିଲା । ଯାହାକୁ ନେଇ ବ୍ରହ୍ମପୁର ଉପଜିଲ୍ଲାପାଳ ଓ ଏନ୍‌ଫୋର୍ସ ଟିମ୍ ମିଳିତ ଭାବେ ଚଢଉ କରିବା ପରେ ଦୁଇଟି ଜାଗାରେ ବେଆଇନ୍ ଭାବେ ଗୁଟ୍‌ଖା ପ୍ରସ୍ତୁତି ହେଉଥିବା ନେଇ ଜାଣିବାକୁ ପାଇଥିଲେ । ଏହାପରେ ଟିମ୍ କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ଗୁରୁଣ୍ଠି ଓ ହୁଗୁଳାପଟ୍ଟଠାରେ ଦୁଇଟି ବେଆଇନ୍ ଗୁଟ୍‌ଖା କାରଖାନା ଉପରେ ଚଢଉ କରି ପ୍ରାୟ ଦେଢ କୋଟି ଟଙ୍କାର ଗୁଟ୍‌ଖା ଓ ଗୁଟ୍‌ଖା ପ୍ରସ୍ତୁତକାରୀ ସାମଗ୍ରୀ ଜବତ କରି ସଦର ଥାନାକୁ ହସ୍ତାନ୍ତର କରାଯାଇଥିବା ଜଣାପଡିଛି l ଏହାସହ ଏହି ମାମଲାରେ ବର୍ତ୍ତମାନ ସୁଦ୍ଧା ୮ ଜଣଙ୍କୁ ଗିରଫ କରାଯାଇଥିବା ବ୍ରହ୍ମପୁର ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି । ଏହି ଚଢଉ ସମୟରେ କୁକୁଡ଼ାଖଣ୍ଡି ତହସିଲଦାର, ସଦର ଥାନାଧିକାରୀ ଉପସ୍ଥିତ ରହିଥିଲେ l

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା