ବେଙ୍ଗଲୁରରେ ଚିଟଫଣ୍ଡ ଖେଳକରି ତିହିଡିର ମାଷ୍ଟର ମାଇଣ୍ଡ ଗିରଫ:୯୦ ଲକ୍ଷଟଙ୍କା ହଡପ

ବାଙ୍ଗାଲୁରୁ : କର୍ଣ୍ଣାଟକର ବେଙ୍ଗଲୁର ସ୍ଥିତ କାମାକ୍ଷାପାଲିଆରେ ରହୁଥିବା ଏହି ଜିଲାର ତିହିଡି ଓ ନାୟାକାଣୀଡିହି ଥାନା ଅଧୀନସ୍ଥ ଚାରିଜଣ ଯୁବକ ସେଠାରେ କେତେକ ଓଡ଼ିଆ ଓ ସ୍ଥାନୀୟ ଲୋକଙ୍କୁ ଭେରି ଭଳି ଏକ ଚିଟଫଣ୍ଡ ଖେଳ ମାଧ୍ୟମରେ ପ୍ରାୟ ୯୦ ଲକ୍ଷ ଟଙ୍କା ଲୁଟି ଆଣିଥିବା ଅଭିଯୋଗରେ ଆଜି ସେଠାକାର ପୁଲିସ୍ ମାଷ୍ଟର ମାଇଣ୍ଡ କୁହାଯାଉଥିବା ଜଣକୁ ଗିରଫ କରିଛି । ତେବେ ଅନ୍ୟ ତିନିଜଣ ଫେରାର ହୋଇଯାଇଥିବାର ଜଣାପଡିଛି । ପ୍ରାପ୍ତ ଖବରରୁ ଯାହା ଜଣାଯାଏ, ତିହିଡି ଥାନା ଅଧୀନସ୍ଥ ନରେନ୍ଦ୍ରପୁର ଗ୍ରାମନିବାସୀ ନିରାକାର ମଲ୍ଲିକଙ୍କ ପୁତ୍ର ସୁବାସ ଓ ତାର ସାନଭାଇ ମାନସ ସେମାନଙ୍କର ଦୁଇଜଣ ମାମୁଁ ପୁଅ ଭାଇଙ୍କ ସହ ବେଙ୍ଗଲୁରର କାମାକ୍ଷା ପାଲିଅରେ ରହି ଘରୋଇ କଂପାନୀରେ ଚାକିରୀ କରନ୍ତି । ଇତିମଧ୍ୟରେ ସୁବାସ ଏମାନଙ୍କ ସହ ମିଶି ସେଠାରେ କାର୍ଯ୍ୟ କରୁଥିବା କେତେକ ଓଡ଼ିଆ ଓ ସ୍ଥାନୀୟ ଲୋକଙ୍କୁ ଭେରି ଭଳି ଏକ ଚିଟଫଣ୍ଡ ଖେଳ ମାଧ୍ୟମରେ ସେମାନଙ୍କ ଠାରୁ ପ୍ରାୟ ୯୦ ଲକ୍ଷ ଟଙ୍କା ଲୁଟିନେଇ ନିଜ ଗ୍ରାମକୁ ପଳାଇ ଆସିଥିଲେ ।ଏହି ଘଟଣା ଲୋକଲୋଚନକୁ ଆସିବା ପରେ କ୍ଷତିଗ୍ରସ୍ତ ହୋଇଥିବା ଓଡ଼ିଆ ଓ ସ୍ଥାନୀୟ ଲୋକେ କାମାକ୍ଷାପାଲିଆ ଥାନାରେ ସେମାନଙ୍କ ନାମରେ ଥାନା କେଶ୍ ନଂ ୪୫୫/୧୮, ଦଫା ୪୨୦ / ୪୦୬ ମୂଳେ ଏକ ମାମଲା ରୁଜୁ କରିବା ପରେ ସେଠାକାର ପୁଲିସ୍ ଓଡ଼ିଶା ଆସି ଆଜି ଭଦ୍ରକର ତିହିଡି ଓ ନାୟକାଣୀଡିହି ଥାନା ପୁଲିସ୍ ସହାୟତାରେ ଦୁଇଟି ଟିମ୍ ସହ ବାସୁଦେବପୁର ନିର୍ବାଚନ ମଣ୍ଡଳୀର ନାୟକାଣୀଡିହି ଥାନା ଅଧୀନସ୍ଥ କିସ୍ମତ କୃଷ୍ଣପୁର ଗ୍ରାମରେ ରହୁଥିବା ମାଷ୍ଟର ମାଇଣ୍ଡ ସୁବାଷର ଦୁଇଜଣ ମାମୁଁ ପୁଅ ଭାଇଙ୍କ ଘର ଉପରେ ଚଢାଉ କରିଥିଲେ । ମାତ୍ର ସେମାନେ କୌଣସି ସୂତ୍ରରୁ ଖବର ପାଇ ଫେରାର ହୋଇଯାଇଥିଲେ । ସେହିଭଳି ତିହିଡି ଥାନାଧିକାରୀ ପ୍ରଭାଂଶୁ ମିଶ୍ରଙ୍କ ସହାୟତାରେ ନରେନ୍ଦ୍ରପୁର ଗ୍ରାମର ସୁବାଷଙ୍କ ଘର ଉପରେ ଚଢାଉ କରି ତାକୁ ଗିରଫ କରିଥିବାବେଳେ ତାର ସାନଭାଇ ମାନସ ଫେରାର ହୋଇଯିବାରେ ସକ୍ଷମ ହୋଇଥିଲା । ଆଜି କାମାକ୍ଷାପାଲିଆ ପୁଲିସ୍ ସୁବାଷକୁ ଭଦ୍ରକ କୋର୍ଟରେ ହାଜର କରାଇ ରିମାଣ୍ଡରେ ନିଜ ଥାନାକୁ ନେଇଯାଇଥିବାର ଜଣାପଡିଛି ।