ଗରିବ, ଖଟିଖିଆ, ମଜଦୁର ଆଜି ବେସାହାରା । ନାଚାର ଆଜି ଦେଶର ସିଷ୍ଟମ । ୫ ଟ୍ରିଲିୟନ ଡଲାର ସ୍ୱପ୍ନ ଦେଖୁଥିବା ଭାରତ ଆଜି ମଜଦୁରମାନଙ୍କୁ ଓଳିଏ ଖାଇବା ଦେବା ପାଇଁ ଅକ୍ଷମ ଅନୁମାନ କରାଯାଉଛି । ଯେଉଁ ମଜଦୁରମାନେ ଦେଶ ନିର୍ମାଣର ମୁଖ୍ୟ ଭାଗିଦାରୀ ସେମାନେ ଜୀବନ ବିକଳରେ ଘର ମୁହାଁ ହେଉଛନ୍ତି । ଅସହ୍ୟ ଭୋକର ଯନ୍ତ୍ରଣା ଓ ସରକାରର ଅସହାୟତାକୁ ସହି ନ ପାରି ରାଜରାସ୍ତାରେ ହଜାର ହଜାର ପିଲାଛୁଆଙ୍କୁ ଧରି ସହରରୁ ଗାଁ’କୁ ପଳାୟନ କରୁଛନ୍ତି । ଏକ ଭାଇରସ ସମଗ୍ର ବିଶ୍ୱକୁ କବଳିତ କରି ଦେଇଛି । ଏ ମହାମାରିରୁ ରକ୍ଷା ପାଇଁ ଲକଡାଉନ ଓ ସୋସିଆଲ ଡିଷ୍ଟେସିଂ ଅତ୍ୟନ୍ତ ଆବଶ୍ୟକ । ଜୀବନକୁ ବଞ୍ଚେଇବା ପାଇଁ ଏହା ହେଉଛି ମହୋଷଧି କହିଲେ ଅତ୍ୟୁକ୍ତି ହେବ ନାହିଁ । ସରକାରଙ୍କର ପଦକ୍ଷେପକୁ ଦେଶବାସୀ ସ୍ୱାଗତ ଜଣାଇ ସମସ୍ତେ ପାଳନ କରୁଛନ୍ତି । କିନ୍ତୁ ଏଠି ଗୋଟିଏ କଥା ସରକାରଙ୍କୁ ଚିନ୍ତା କରିବାର ଆବଶ୍ୟକ ଅଛି । ଯେଉଁମାନେ ଦିନରେ ଖଟିଲେ ରାତିରେ ଚୁଲି ଜଳେ, ସେମାନଙ୍କ ଅବସ୍ଥା କଣ ହେବ । କେତେ ଦିନ ସେମାନେ ଘରେ ବସି ରହିବେ ? ସେମାନଙ୍କ ଖାଇବା ବ୍ୟବସ୍ଥା କିପରି ହେବ ? ଏହା ସରକାରଙ୍କର ପ୍ରାଥମିକତା ହେବା ଆବଶ୍ୟକ । ଯିଏ ଯେଉଁଠି ଅଛ ଘରେ ରୁହ । ସରକାରଙ୍କର ଏ ପରି ପରାମର୍ଶ ଠିକ କିନ୍ତୁ ପେଟରେ ଜଳୁ ଥିବା ଭୋକର ଯନ୍ତ୍ରଣାକୁ ବୁଝିବା ଦରକାର । କେତେ ଦିନ ଗରିବ ମଜଦୁର ଭୋକ ପେଟରେ ଚୁପ ହୋଇ ରହିବେ । ସରକାର ଅନେକ ଘୋଷଣା କରିଛନ୍ତି କିନ୍ତୁ ଏମାନେ କୌଣସି ସାହାଯ୍ୟ ପାଇ ପାରୁ ନାହାଁନ୍ତି । ଭରଷା ଓ ବିଶ୍ୱାସ ସରକାରଙ୍କ ଉପରୁ ଉଠି ଯିବା ସ୍ୱାଭାବିକ । ଆଜି ରାଜରାସ୍ତାରେ ହଜାର ହଜାର ଶ୍ରମିକ, ମଜଦୁର, ଗରିବ ଜନତା ନିରୁପାୟ ହୋଇ ଚାଲି ଚାଲି ଗାଁ ଅଭିମୁଖେ ପଳାୟନ କରୁଛନ୍ତି । ବୃଦ୍ଧ, ମହିଳା ଛୋଟ ପିଲାଙ୍କ ଦହନିୟ ଅବସ୍ଥା ଦେଖିଲେ ଆଖିରୁ ଲୁହ ଆସି ଯାଏ । କିଏ ଚାଲି ଚାଲି ରାସ୍ତାରେ ମୃତ୍ୟୁ ବରଣ କରୁଛି ତ କିଏ ପ୍ରସବ ବେଦନା ସହି ନ ପାରି ରାସ୍ତାରେ ପିଲା ଜନ୍ମ କରୁଛି । ଦେଶ ପାଇଁ ବହୁତ ଦୁଃଖଦ ଓ ସର୍ମର କଥା । ଭାରତ ବିଶ୍ୱଗରୁ ହେବାକୁ ଯାଉଛି । ଦେଶର ଅର୍ଥ ନୀତି ଖୁବ ଉନ୍ନତ, ମେକ ଇନ ଇଣ୍ଡିଆର ନାରା ଟିଭିରେ ଖୁବ ପ୍ରଚାର । ଅନ୍ୟ ଦେଶର ସିଷ୍ଟମ ଠାରୁ ଆମ ଦେଶର ଅବସ୍ଥା ବହୁତ ଭଲ । କଣ ଏହା ପ୍ରହସନ ? ଆଜି ଦେଶ ଗରିବଙ୍କୁ ଦି ଓଳି ଖାଇବା ଦେବାକୁ କାହିଁକି ଅସମର୍ଥ ? ବିଭିନ୍ନ ସହରରେ ଥିବା ମଜଦୁରମାନଙ୍କୁ କଣ ପାଇଁ ଠିକ ଥଇଥାନ କରା ଯାଇ ପାରି ନାହିଁ ? ଯଦି ଏମାନଙ୍କୁ ଠିକ ବ୍ୟବସ୍ଥା କରାଯାଇ ଥାନ୍ତା ଆଜି ରେଳ ପଟରୀରେ ପ୍ରାଣ ହରାଇ ନ ଥାନ୍ତେ । ହଜାର ହଜାର ଲୋକ ଚାଲି ଚାଲି ଘରକୁ ଯାଇ ନ ଥାନ୍ତେ । ଆଜି ଦେଶର ଗରିବ, ଖଟିଖିଆ, ମଜଦୁର ସିଷ୍ଟମ ଦ୍ୱାରା ପରାଜିତ କି ନା ଦେଶର ସିଷ୍ଟମ ଫେଲ୍ ହୋଇ ଯାଇଛି ? ଋ ପ୍ରଶ୍ନ ଆଜି ସମସ୍ତଙ୍କ ମନରେ । ଟିଭିରେ ପ୍ରଚାର ସର୍ବସ୍ୱ ହୋଇ ଯାଇଛି ସରକାର । ଲୋକମାନଙ୍କ ପଳାୟନ ନ ହେବା ପାଇଁ କୌଣସି ବିହିତ ପଦକ୍ଷେପ ନାହିଁ । ସର୍ବ ପ୍ରଥମେ ରାଜ ରାସ୍ତାରେ ଯେଉଁ ମାନେ ଯାଉଛନ୍ତି ସେମାନଙ୍କର ଖାଇବା ପିଇବା ରହିବା ବ୍ୟବସ୍ଥା କରାଯାଉ । ସହରରେ ଥିବା ମଜଦୁର ମାନଙ୍କୁ ଖାଇବା ପିଇବାର ବ୍ୟବସ୍ଥା କରାଯାଉ । ଏବେ ବି ସମୟ ଅଛି ସରକାର ଉଚିତ ପଦକ୍ଷେପ ନେଲେ ଭୋକରେ ହନ୍ତସନ୍ତ ହେଉଥିବା ଲୋକଙ୍କ ଜୀବନ ବଞ୍ଚି ଯାଇ ପାରିବେ । ବିଶ୍ୱାସର ସହ ସେମାନେ ଗୋଟିଏ ସ୍ଥାନରେ ରହିବା ସହ ଆଉ ପଳାୟନ କରିବେ ନାହିଁ ।
ଲେଖକ – ହରିହର ମାଝୀ
ସରଦଙ୍ଗା, ଖୈର ଅନଦୈଲ, ବାଲେଶ୍ଵର
ଫୋନ – ୯୭୧୭୫୧୭୪୧୯