
ଭୁବନେଶ୍ୱର(ସମୃଦ୍ଧ ଓଡ଼ିଶା)ସାଧାରଣ ନିର୍ବାଚନ ପୂର୍ବରୁ ବ୍ରଜ କିଶୋର ତ୍ରିପାଠୀଙ୍କ ସମତା କ୍ରାନ୍ତି ଦଳ ଓ ଖାରବେଳ ସ୍ୱାଇଁଙ୍କ ଉକ୍ରଳ ଭାରତ ଏକାଠି ହୋଇଛନ୍ତି। ‘ଓଡ଼ିଶା ଗଣତାନ୍ତ୍ରିକ ସାମ୍ମୁଖ୍ୟ’ ନାଁରେ ସେମାନେ ଏକ ନୂଆ ମେଣ୍ଟ ଗଠନ କରିଛନ୍ତି ଯାହା ଆଗାମୀ ନିର୍ବାଚନରେ ମିଳିତ ଭାବେ ପ୍ରାର୍ଥୀ ଦେବ। ବିଜେଡିକୁ ରାଜ୍ୟରୁ କ୍ଷମତାରୁ ବେଦଖଲ କରିବା ପାଇଁ ଏହି ସାମ୍ମୁଖ୍ୟ ଆତ୍ମପ୍ରକାଶ କରିଛି ବୋଲି ଉଭୟ ନେତା କହିଛନ୍ତି।ଆଜି ଏକ ମିଳିତ ସାମ୍ବାଦିକ ସମ୍ମିଳନୀ କରି ଶ୍ରୀ ତ୍ରିପାଠୀ ଓ ଶ୍ରୀ ସ୍ୱାଇଁ କହିଛନ୍ତି ଯେ, ଦୀର୍ଘ ୧୮ବର୍ଷ ଧରି ରାଜ୍ୟରେ ଶାସନ କରୁଥିବା ଅପାରଗ ଓ ଦୁର୍ନୀତିଗ୍ରସ୍ତ ବିଜେଡି ସରକାରକୁ ଗାଦିଚ୍ୟୁତ କରିବା ଏହି ସାମ୍ମୁଖ୍ୟର ମୂଳ ଲକ୍ଷ୍ୟ ହେବ। ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶା ଦରିଦ୍ରରୁ ଅତି ଦରିଦ୍ର୍ୟ ହୋଇଛି। ରାଜ୍ୟରେ ଭିତ୍ତିଭୂମି କ୍ଷେତ୍ରରେ ସୁଧାର ସହ ନିଯୁକ୍ତି ସୁଯୋଗ ସୃଷ୍ଟି ଓ ଦୁର୍ନୀତି ହଟାଇବା ଉପରେ ନବୀନ ପଟ୍ଟନାୟକ ସରକାର ଗୁରୁତ୍ୱ ନଦେଇ କେବଳ ଭୋଟ ଲୋଭରେ ଲୋକଙ୍କୁ ରାଜକୋଷ ଅର୍ଥ ବାଣ୍ଟିବାରେ ଲାଗିଛନ୍ତି। ଲୋକଙ୍କ ଜୀବନଧାରଣର ମାନରେ ପରିବର୍ତ୍ତନ ଆସୁନି ବରଂ ଲକ୍ଷ ଲକ୍ଷ ଲୋକ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି। ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଏସବୁ ସମସ୍ୟାକୁ ଦୃଷ୍ଟିରେ ରଖି ଏହି କାରଣରୁ ଓଡ଼ିଶା ଗଣତାନ୍ତ୍ରିକ ସାମ୍ମୁଖ୍ୟ ଗଠନ ହୋଇଛି। ଅନ୍ୟ ରାଜ୍ୟରେ ଏଭଳି ସାମ୍ମୁଖ୍ୟ ଗଠନ ସଫଳ ହୋଇଛି। ତେଣୁ ଓଡ଼ିଶାରେ ‘ମାଟି’କୁ ଭଲ ପାଉଥିବା ସମଭାବାପନ୍ନ ଦଳମାନେ ଏହି ସାମ୍ମୁଖ୍ୟରେ ସାମିଲ ହେବେ ବୋଲି ଉଭୟ ନେତା ଆଶାବ୍ୟକ୍ତ କରିଛନ୍ତି। ବରିଷ୍ଠ ନେତା ବିଜୟ ମହାପାତ୍ର, ବୈଜୟନ୍ତ ପଣ୍ଡା, ଡାକ୍ତର ଦାମୋଦର ରାଉତ, ଦିଲ୍ଲୀପ ରାୟ, ପଞ୍ଚାନନ କାନୁନଗୋ ଆଦି ସମସ୍ତଙ୍କୁ ଏହି ସାମ୍ମୁଖ୍ୟରେ ସାମିଲ ହେବାକୁ ଆହ୍ୱାନ କରାଯାଇଛି ବୋଲି ସେମାନେ କହିଛନ୍ତି।ଆଗାମୀ ଦିନରେ ସାମ୍ମୁଖ୍ୟର କଳେବର ବୃଦ୍ଧି କରାଯିବା ପାଇଁ ପଦକ୍ଷେପ ନିଆଯାଉଛି। ଏହି ସାମ୍ବାଦିକ ସମ୍ମିଳନୀରେ ସମତାକ୍ରାନ୍ତି ଦଳର ସଭାପତି ପ୍ରଶାନ୍ତ କୁମାର ମିଶ୍ର, ଉକ୍ରଳ ଭାରତର ରାଜ୍ୟ ସଭାପତି ଦିଲ୍ଲୀପ ମଲ୍ଲିକ, ଉପସଭାପତି ଲୋକନାଥ ଷଡ଼ଙ୍ଗୀ, ସମତାକ୍ରାନ୍ତି ଦଳର ଯୁବ ସଭାପତି ଶାରଦାପ୍ରସନ୍ନ ସ୍ୱାଇଁ ଆଦି ନେତାମାନେ ଉପସ୍ଥିତ ଥିଲେ।ସୂଚନା ଅନୁସାରେ ଏହି ସାମ୍ମୁଖ୍ୟ ଏବେ ଅଣକଂଗ୍ରେସ ଓ ଅଣବିଜେଡି ନେତାମାନଙ୍କୁ ଏକଜୁଟ କରି ସମଭାବାପନ୍ନ ନେତାମାନଙ୍କୁ ନିର୍ବାଚନ ମଇଦାନରେ ଓହ୍ଲାଇ ବିଜେଡିକୁ କଡ଼ା ଟକ୍କର ଦେବାକୁ ରଣନୀତି ପ୍ରସ୍ତୁତ କରିଛି।