ବ୍ରହ୍ମପୁର (ସମୃଦ୍ଧ ଓଡିଶା) ସଂଯୁକ୍ତ କୃଷକ ମୋର୍ଚ୍ଚା ଓ ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ୱୟ ସମିତି-ଓଡିଶା ପକ୍ଷରୁ କୃଷକର ଅଧିକାର ସଂଘର୍ଷକୁ ଆଗକୁ ନେବା ପାଇଁ ୧୨ ମାର୍ଚ୍ଚ ୨୦୨୧ରେ ଭୂବନେଶ୍ୱର ମହାତ୍ମାଗାନ୍ଧୀ ପାର୍କରେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରି କୃଷକ ଅଧିକାର ଯାତ୍ରା ଅଭିଯାତ୍ରୀ ମାନେ ବାହାରି ଥିଲେ । ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ଭବ୍ୟ ସମ୍ବର୍ଦ୍ଧନା ପାଇ ଆଙ୍କୁଳି ବାଇପାସ ଦେଇ ବ୍ରହ୍ମପୁରରେ ସନ୍ଧ୍ୟା ୭ ଘଟିକାରେ ପ୍ରବେଶ କରିଥିଲେ । ଏହି ଯାତ୍ରାକୁ ସ୍ୱାଗତ ସମ୍ବର୍ଦ୍ଧନା, ବାଇକ ଶୋଭାଯାତ୍ରା ସହ ଯାତ୍ରାକୁ ସହର ପରିକ୍ରମା କରାଇ ରାମଲିଙ୍ଗମ ପାର୍କ ସମ୍ମୁଖରେ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ କ୍ରାନ୍ତିକାରୀ କୃଷକ ସଭାର ଜିଲ୍ଲା କମିଟି ସଦସ୍ୟା ପି.ପାର୍ବତୀ, ଓଡିଶା କୃଷକ ସଭାର ଗୋପାଳ ପାଣିଗ୍ରାହୀ, ଅଲ ଇଣ୍ଡିଆ କିଷାନ ସଭାର ସୁଦର୍ଶନ ସ୍ୱାଇଁ ଏବଂ ଏଆଇକେଏମ୍ ଏସ୍ ର ପ୍ରତାପ ନାୟକଙ୍କ ସଭାପତି ମଣ୍ଡଳୀରେ ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବର୍ଷିୟାନ କୃଷକ ନେତା ଶ୍ରୀହର୍ଷ ରଥ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ଜିଲ୍ଲା ଆବାହକ ବସନ୍ତ ନନ୍ଦ ଅତିଥି ପରିଚୟ ପ୍ରଦାନ କରିବା ପରେ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଅଭିଯାତ୍ରୀ ଦଳ କୃଷକ ଅଧିକାର ଯାତ୍ରା ସମ୍ପର୍କରେ ସବିଶେଷ ତଥ୍ୟ ସହ ଦାବି ସମୂହ ଉପସ୍ଥାପନ କରିଥିଲେ । କେନ୍ଦ୍ର ସରକାର ପ୍ରଣୟନ କରିଥିବା କୃଷକ ବିରୋଧୀ ତିନୋଟି କଳା କୃଷି ଆଇନ ପ୍ରାଇଭେଟ ମଣ୍ଡି ଆଇନ, ଚୁକ୍ତି ଚାଷ ଆଇନ, ଅତ୍ୟାବଶ୍ୟକୀୟ ସାମଗ୍ରୀ ( ସଂଶୋଧନ) ଆଇନ-୨୦୨୦କୁ ରଦ୍ଦ କରିବା, କୃଷିଜାତ ଦ୍ରବ୍ୟର ଏମଏସପିକୁ ଆଇନଗତ ମାନ୍ୟତା, ଟୋକନ ପାଇଥିବା ସମସ୍ତ ଚାଷୀର ଧାନକୁ ଏମଏସପି ପ୍ରଦାନ କରି ତୁରନ୍ତ ସଂଗ୍ରହ କରିବା, ଧାନ କୁଇଣ୍ଟାଲ ପ୍ରତି ୩୦୦୦ ଟଙ୍କା ଏମଏସପି ଧାର୍ଯ୍ୟ କରିବା, ମଣ୍ଡି ବ୍ୟବସ୍ଥାକୁ ସୁଦୃଢ, ସୁରକ୍ଷିତ ଏବଂ ବ୍ୟବସ୍ଥିତ କରିବା, ଭଗଚାଷୀଙ୍କୁ ଚାଷୀର ମାନ୍ୟତା ଓ ସୁରକ୍ଷା ଆଇନ, ଆଦିବାସୀ ଓ ପାରମ୍ପାରିକ ବନବାସୀ ମାନଙ୍କର ଉତ୍ପାଦିତ ଏବଂ ସଂଗୃହିତ ସମସ୍ତ କୃଷିଜାତ ସାମଗ୍ରୀ ଏବଂ ଲଘୁ ବନଜାତ ସାମଗ୍ରୀ ଗୁଡିକୁ ସର୍ବନିମ୍ନ ସହାୟକ ମୂଲ୍ୟରେ ସଂଗ୍ରହ କରିବା ଦାବିରେ ସମସ୍ତେ ଏକ ହୋଇ ସଂଘର୍ଷ କରିବା ପାଇଁ ଆହ୍ୱାନ ଦେଇଥିଲେ । ଏଥିରେ ବ୍ୟତିକ୍ରମ ହେଲେ କର୍ପୋରେଟ୍ କମ୍ପାନୀର ଦାଶ ହୋଇ ଖଟିବା ବୋଲି ବକ୍ତା ମାନେ ମତପୋଷଣ କରିଥିଲେ । ନ୍ୟାସନାଲ ଆଲିଆନସ୍ ଅଫ ପିପୁଲସ୍ ମୁଭମେଣ୍ଟର ପ୍ରଫୁଲ୍ଲ ସାମନ୍ତରା, ଅଖିଳ ଭାରତ କୃଷକ ସଭା ଶଶୀ ଭୂଷଣ ସ୍ୱାଇଁ, ପଶ୍ଚିମ ଓଡିଶା କୃଷକ ସଂଗଠନ ସମନ୍ୱୟ ସମିତିର ଲିଙ୍ଗରାଜ, ଓଡିଶା କୃଷକ ସଭାର ସୁରେଶ ପାଣିଗ୍ରାହୀ, ଅଲ ଇଣ୍ଡିଆ କ୍ରାନ୍ତିକାରୀ କିଷାନ ସଭା ଶଙ୍କର ସାହୁ, ଏଆଇକେଏମକେଏସର ଶ୍ରୀକାନ୍ତ ମହାନ୍ତି, ଇଣ୍ଡିଆନ ସୋସିଆଲ ଆକ୍ସନ ଫୋରମ୍ ନରେନ୍ଦ୍ର ମହାନ୍ତି, ଅଲ ଇଣ୍ଡିଆ କୃଷକ କ୍ଷେତ ମଜଦୂର ସଂଗଠନର ସୋମନାଥ ବେହେରା, ନିରଞ୍ଜନ ମହାନ୍ତି, ଅଖିଳ ଭାରତ କୃଷକ ମହାସଭାଳ ସର୍ବେଶ୍ୱର ଭାରତ ଆଦି ନେତୃତ୍ବ ବକ୍ତବ୍ୟ ରଖିଥିଲେ । ଏତଦ୍ ବ୍ୟତୀତ ଓଡିଶା କୃଷକ ସଭାର ଯମେଶ୍ୱର ସାମନ୍ତରାୟ ଓ ଅଭିରାମ ବେହେରା, ଏଆଇକେଏମକେଏସର ନିରାକାର ନାୟକ, ଏଆଇକେଏମଏସ କୃଶନାଥ ପ୍ରଧାନ, ଏଆଇକେଏସ ରାମଚନ୍ଦ୍ର ମୁଦୁଲି, ସିଏମଏସଏସପି ରବିଚନ୍ଦ୍ର ପ୍ରଧାନ ଆଦି ଏହି ଯାଥାରେ ସାମିଲ ହୋଇଛନ୍ତି । ଏହି ଯାତ୍ରା ଲକ୍ଷ୍ମଣ ନାୟକ କମ୍ୟୁନିଟି ହଲରେ ରାତ୍ରୀ ଯାପନ କରିଥିବା ବେଳେ ୧୩ ତାରିଖ ପୂର୍ବାହ୍ନ ୯ ଘଟିକାରେ ରେ ଗଜପତି ଜିଲ୍ଲା ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ ।