

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗତକାଲି ବ୍ରହ୍ମପୁର ସହରର ଗେଟ୍ ବଜାର ନିକଟରେ ଗଜପତି ସମବାୟ ଦୁଗ୍ଧ ଉତ୍ପାଦକ ସଂଘ ଲିମିଟେଡ଼ ପକ୍ଷରୁ ରାଜ୍ୟର ପ୍ରଥମ ଦୁଗ୍ଧ ବିଶୋଧିତ ଓ ଭିଟାମିନ ମିଶ୍ରିତ ଏଟିଏମ୍ କାଉଣ୍ଟର ଉଦଘାଟନ କରାଯାଇଛି । ଏହି କାଉଣ୍ଟରକୁ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ଓ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଳାଙ୍ଗେ ଉଦ୍ଘାଟନ କରିଛନ୍ତି । କାଉଣ୍ଟରରୁ କ୍ଷୀର କିଣିବାକୁ ହେଲେ ବୋତଲ ଏବଂ ୧୦ ଟଙ୍କିଆ କଏନ୍ କିମ୍ବା ୧୦ଟଙ୍କା ଓ ୨୦ ଟଙ୍କିଆ ନୋଟର ବ୍ୟବହାର କରିବାକୁ ହେବ । ଗୋଟିଏ ଲିଟର କ୍ଷୀର ନେବାକୁ ହେଲେ ୪୦ ଟଙ୍କା ଦେବାକୁ ପଡ଼ିବ । ଜଣେ ଗ୍ରାହକ ୫ ଲିଟର ପର୍ଯ୍ୟନ୍ତ କ୍ଷୀର କିଣିପାରିବେ । ପ୍ରଥମେ ପରୀକ୍ଷାମୂଳକ ଭାବେ ଗୋଟିଏ ଏଟିଏମ୍ରେ ଏହା ଆରମ୍ଭ କରାଯାଇଛି । ଆଗକୁ ସହରର ୯ଟି ସ୍ଥାନରେ ଏହି ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଯିବ ବୋଲି ଗଞ୍ଜାମ ଜିଲ୍ଲାପାଳ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ସଂଘର ସଭାପତି ରଜନୀକାନ୍ତ ମଣ୍ଡଳ, ଟାଟାଷ୍ଟିଲର ସିଏସଆର ମୁଖ୍ୟ ଅମ୍ବିକା ପ୍ରସାଦ ନନ୍ଦ, ରାଷ୍ଟ୍ରୀୟ ଗୋ-ବିକାଶ ବୋର୍ଡର ରାଜ୍ୟ ସମନ୍ଵୟକାରୀ ଧନରାଜ କ୍ଷେତ୍ରି, ଟାଟାଷ୍ଟିଲ ରୁରାଲ ଡେଭଲପମେଣ୍ଟ ସୋସାଇଟି ମୁଖ୍ୟ ରକି ମାର୍ଟିର ଏବଂ ସଂଘର ସାଧାରଣ ପରିଚାଳକ ଦିଲ୍ଲୀପ କୁମାର ପଟ୍ଟନାୟକ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା

