



ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଦରଦାମ ବୃଦ୍ଧି ଓ କେନ୍ଦ୍ରୀୟ ଶ୍ରମ ଆଇନ ସଂଶୋଧନ ପ୍ରତିବାଦ ଏବଂ ଅନ୍ୟାନ୍ୟ ୧୨ ଦଫା ଦାବି ନେଇ ଆଜି ବିଭିନ୍ନ ଶ୍ରମିକ ସଂଗଠନ ଏବଂ କଂଗ୍ରେସ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଥିଲା । ଏନେଇ ଆଜି ବ୍ରହ୍ମପୁର ଠାରେ ମଧ୍ୟ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନ କରାଯାଇଥିଲା । ସକାଳୁ କର୍ମୀମାନେ ରେଳଷ୍ଟେସନ ଠାରେ ରେଳରୋକ କରିବା ସହ ସହରର ବିଭିନ୍ନ ଦୋକାନ ବଜାର, ଶିକ୍ଷାନୁଷ୍ଠାନ, ସରକାରୀ ଅଫିସ ବ୍ୟାଙ୍କ, ପୋଷ୍ଟ ଅଫିସ, ବସଷ୍ଟାଣ୍ଡ କୋର୍ଟ ଆଦି ବନ୍ଦ ରହିଥିଲା । ଫଳରେ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇଥିଲା । ସକାଳ ୭ଟାରୁ ୯ଟା ପର୍ଯ୍ୟନ୍ତ ଦୁଇ ଘଣ୍ଟା ଧରି ବିଭିନ୍ନ ସଂଗଠନ ପକ୍ଷରୁ ରେଳରୋକ କରାଯାଇଥିଲା । ଏଆଇଟିୟୁସି ପକ୍ଷରୁ ଜାତୀୟ ରାଜପଥ ଅବରୋଧ କରିବା ସହ ବିଭିନ୍ନ ଦୋକାନ ବଜାର ବନ୍ଦ କରାଯାଇଥିଲା । ସେହିପରି ଅନ୍ୟାନ୍ୟ ରାଷ୍ଟ୍ରୀୟତ ବ୍ୟାଙ୍କ ଗୁଡିକ ମଧ୍ୟ ଏହାକୁ ସମର୍ଥନ ଜଣାଇବା ସହ ପିକେଟିଂ କରିଥିଲେ । ଏହି ଅବସରରେ ସିପିଆଇଏମ ନେତା ବସନ୍ତ ପଣ୍ଡା, ଡ଼ିଏସଓ ଜିଲ୍ଲା ସଭାପତି ଶିବାନୀ ଶଙ୍କର ମିଶ୍ର, ସିଆଇଟିୟୁର ଜିଲ୍ଲା ସଭାପତି ପ୍ରତାପ ଚୌଧୁରୀ, ପ୍ରକାଶ ପାତ୍ର, ପ୍ରଦୀପ ସେଠି, ଯୁଧିଷ୍ଠିର ବେହେରା ଉପସ୍ଥିତ ରହିଥିଲେ । ଏହାସହ କଂଗ୍ରେସର ମହାନଗର ସଭାପତି ପ୍ରମୋଦ କୁମାର ଜେନା, ପୀତବାସ ପଣ୍ଡା, ଜିଲ୍ଲା ପରିଷଦ ସଭ୍ୟ ବୃନ୍ଦାବନ ଖଟେଇ, ଶିବରାମ ପାତ୍ର ପ୍ରମୁଖ ସାମିଲ ହୋଇଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା





