ବ୍ରହ୍ମପୁରରେ ମହମ୍ମଦ ଜୟନ୍ତୀ ପାଳନ ଅବସରରେ ବିଧାୟକ ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ହେଉଛି ଭାଇଚାରାର ସହର । ସହରବାସୀଙ୍କ ମଧ୍ୟରେ ଥିବା ନମ୍ରତା ଓ ସହିଷ୍ଣୁତା ହିଁ ଆଜି ହିନ୍ଦୁ, ମୁସଲିମ ଓ ଖ୍ରୀଷ୍ଟିୟାନ ସହ ଅନ୍ୟ ସମ୍ପ୍ରଦାୟର ଲୋକଙ୍କ ମଧ୍ୟରେ ଭାତୃତ୍ୱଭାବ ବଜାୟ ରହିଛି । ଗତକାଲି ଖାଜା ସାହିରେ ଇଦ ମିଲାଦୁନ ନବି ପରିଚାଳନା କମିଟି ପକ୍ଷରୁ ମହାପୁରୁଷ ମହମ୍ମଦଙ୍କ ୧୪୪୯ ତମ ଜନ୍ମ ଜୟନ୍ତୀ ପାଳନ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟବକ୍ତା ଭାବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁ , ରାଜ୍ୟ ଅନୁସୂଚିତ ଜାତି, ଜନଜାତି ଓ ସଂଖ୍ୟାଲଘୁ ସମ୍ପ୍ରଦାୟ ମନ୍ତ୍ରୀ ରମେଶ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବିଜେଡିର ଏସସି ଏସଟି, ମାଇନରିଟି ସେଲର ଅଧ୍ୟକ୍ଷ ମୁନ୍ନା ଖାନ, ସମ୍ପାଦକ ଡ.ପଲବ ଲିମା, ଯୁବ ସଙ୍ଗଠନର ରାଜ୍ୟ ସଭାପତି ଅମରିଶ ପତ୍ରି, ବ୍ରହ୍ମପୁର ବିଧାୟକ ଡା. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ବିଡିଏ ଅଧ୍ୟକ୍ଷ ସୁବାସ ମହାରଣା, ପୂର୍ବତନ ବିଧାୟକ ଶିବ ସାହାଣି, ବିଜେଡି ଯୁବ ନେତା ବିକ୍ରମ ପଣ୍ଡା, ଧନଞ୍ଜୟ ରାଓ, ମମତା ବିଷୋୟୀ ପ୍ରମୁଖ ଅତିଥି ଭାବେ ଅଂଶ ଗ୍ରହଣ କରିଥିଲେ । ଏଥିରେ ପରିଚାଳନା କମିଟି ସଭାପତି ଗାଉନ ବେଗ ଓ ସମ୍ପାଦକ ଫଉଜଲା ଖାନଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଶିକ୍ଷାବିତ ତଥା କମିଟି ସଦସ୍ୟ ଇବ୍ରାହିମ ଖାନା ସଂଯୋଜନା କରିଥିଲେ । ରାଜ୍ୟ ସରକାର ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ବିକାଶ ପାଇଁ ଅନେକ କାର୍ଯ୍ୟକ୍ରମ ଗ୍ରହଣ କରିସାରିଥିବା ବେଳେ ଖୁବଶୀଘ୍ର ଏକାଧିକ ନୂତନ ଯୋଜନା ଆଣୁଥିବା ମନ୍ତ୍ରୀ ରମେଶ ମାଝି ନିଜ ବକ୍ତବ୍ୟରେ କହିଛନ୍ତି । ଏହା ସହ ସଂଖ୍ୟାଲଘୁ ସମ୍ପ୍ରଦାୟର ଛାତ୍ରଛାତ୍ରୀଙ୍କ ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ୧୦୦ଟି ହଷ୍ଟେଲ ନିର୍ମାଣ ପାଇଁ ସରକାର ଉଦ୍ୟମ କରୁଛନ୍ତି ବୋଲି କହିଛନ୍ତି । ଏହି ଅବସରେ ଏକ ଶୋଭାଯାତ୍ରା ଜାମିଆ ମସଜିତରୁ ବାହାରି ଦଳୁଆ ସାହି, ପୁରୁଣା ବସଷ୍ଟାଣ୍ଡ, ଅନ୍ନପୂର୍ଣ୍ଣା ମାର୍କେଟ, ଗିରିଜା ଛକ, ଆସିକା ରୋଡ଼ ହୋଇ ଖାଜା ସାହିରେ ପହଞ୍ଚିଥିଲା ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା