ବ୍ରହ୍ମପୁରରେ ଯଥାଶୀଘ୍ର ଏୟାର ସର୍ଭିସ ଆରମ୍ଭ କରିବାକୁ ଦାବି କଲେ ଭି ଚନ୍ଦ୍ରଶେଖର ନାଇଡୁ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ରଂଗେଇଲୁଣ୍ଡା ଏୟାରଷ୍ଟ୍ରିପରୁ ତୁରନ୍ତ ଏୟାର ସର୍ଭିସ ଆରମ୍ଭ କରିବାକୁ ଦାବୀ କରିଛନ୍ତି ବ୍ରହ୍ମପୁର ଲୋକସଭା ପ୍ରାର୍ଥି ତଥା ବରିଷ୍ଠ କଂଗ୍ରେସ ନେତା ଭି ଚନ୍ଦ୍ରଶେଖର ନାଇଡୁ । ଏନେଇ ସେ ମୁଖ୍ୟମନ୍ତ୍ରୀଙ୍କୁ ଏକ ପତ୍ର ମାଧ୍ୟମରେ ଦୃଷ୍ଟି ଆକର୍ଷଣ କରାଇଛନ୍ତି । ବର୍ତ୍ତମାନର ଭିତ୍ତିଭୂମିରେ ଅଗ୍ରାଧିକାର ଭିତ୍ତିରେ ଏହା ଆରମ୍ଭ କରିବାକୁ ସେ କହିଛନ୍ତି । ଦୀର୍ଘଦୀନରୁ ଏନେଇ ଦାବୀ ହୋଇ ଆସୁଥିଲେ ମଧ୍ୟ ସରକାର ପୂରା ଚୁପହୋଇ ବସି ରହିଛନ୍ତି । ସାମଗ୍ରିକ ଭାବେ ପଛୁଆ ଜିଲ୍ଲା ଭାବେ ପରିଗଣିତ ହେଉଥିବା ଗଜପତି ଓ ଗଂଜାମରେ ସ୍ୱାସ୍ଥ୍ୟ ଭଳି ସମ୍ବେଦନଶୀଳ ପ୍ରସଂଗରେ ରୋଗୀ ସଠିକ ସମୟରେ ସ୍ଥାନାନ୍ତରୀତ ନ ହୋଇ ପାରୁନଥିବାରୁ ଲୋକମାନେ ନିଜର ପ୍ରିୟଜନ ମାନଙ୍କୁ ହରାଉଛନ୍ତି । କୋଭିଡ ସମୟରେ ଏହିଭଳି ଅନେକ ଲୋକ ପ୍ରାଣ ହରାଇଥିବା ନଜର ରହିଛି । ସ୍ଥାନୀୟ ଲୋକମାନେ ଏୟାର ସର୍ଭିସ ପାଇଁ ଭୁବନେଶ୍ବର କିମ୍ବା ବିଶାଖାପାଟଣା ଉପରେ ନିର୍ଭରଶୀଳ ହେଉଛନ୍ତି । ଏଠାରେ ଏୟାର ସର୍ଭିସ ଆରମ୍ଭ ହେଲେ ପର୍ଯ୍ୟଟନ, ହସ୍ତଶିଳ୍ପ ପ୍ରଭୁତିର ବିକାଶ ହେବ ଯାହା ସ୍ଥାନୀୟ ଲୋକମାନଙ୍କର ଆର୍ଥିକ ବିକାଶରେ ବେଶ ସହାୟକ ହୋଇପାରିବ । ତେଣୁ ଏକ୍ଷେତ୍ରରେ ଆଉ ଅଧିକ ବିଳମ୍ବ ନ କରି ତୁରନ୍ତ ୬ ସିଟ, ୧୨ ସିଟ ବିଶିଷ୍ଟ ଛୋଟଛୋଟ ବିମାନ ସେବା ଆରମ୍ଭ କରନ୍ତୁ ବୋଲି ଶ୍ରୀ ନାଇଡୁ ଦାବୀ କରିଛନ୍ତି । ପୂର୍ବରୁ ରାଜନୈତିକ ଅଭିସନ୍ଧି ରଖି ଠିକ୍ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଘରୋଇ ବିମାନସେବା ସଂସ୍ଥାମାନଙ୍କୁ ନେଇ ପଶ୍ଚିମ ଓଡିଶାର ଝାରସୁଗୁଡାରେ ଘରୋଇ ଓ ରାଜ୍ୟ ବାହାରକୁ ମଧ୍ୟ ବିମାନସେବା ବିଜେପି ନେତୃତ୍ବାଧିନ କେନ୍ଦ୍ର ସରକାର ଆରମ୍ଭ କରିଥିଲେ । ହେଲେ ଦୀର୍ଘଦିନରୁ ଦକ୍ଷିଣ ଓଡିଶା ପାଇଁ ଦାବୀ ହୋଇ ଆସୁଥିଲେ ମଧ୍ୟ ସମାନ ସୁବିଧା କାହିଁକି ନୁହଁ ବୋଲି ଶ୍ରୀ ନାଇଡୁ ପ୍ରଶ୍ନ କରିଛନ୍ତି । କେନ୍ଦ୍ର ବେସାମରିକ ବିମାନଚଳାଚଳ ମନ୍ତ୍ରାଣାଳୟର ଯୁଗ୍ମ ସଚିବ ଇତିମଧ୍ୟରେ ଏ ପ୍ରସଂଗରେ ସମୀକ୍ଷା କରି ଜମି ଅଧିଗ୍ରହଣ ଭଳି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଅଟକି ରହିଛି ବୋଲି କହିଥିଲେ । ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ମଧ୍ୟ ଏ ନେଇ କାର୍ଯ୍ୟ ତ୍ୱରାନ୍ୱିତ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ତେବେ ଅଟକି ରହିଥିବା କାର୍ଯ୍ୟ କେଉଁଠି ଓ କିଭଳି ବିନା ବାଧାରେ ଆଗକୁ ବଢିବ ସେନେଇ ମୁଖ୍ୟମନ୍ତ୍ରୀ ବ୍ୟକ୍ତିଗତ ଭାବେ ତଦାରଖ କରନ୍ତୁ ବୋଲି ଶ୍ରୀ ନାଇଡୁ ପରାମର୍ଶ ଦେଇଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ପୂର୍ବରୁ ଶ୍ରୀ ନାଇଡୁ ଏ ପ୍ରସଂଗରେ ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆର ପୂର୍ବତନ ଅଧ୍ୟକ୍ଷ ଗୁରୁପ୍ରସାଦ ମହାପାତ୍ରଙ୍କ ସହ ଏକାଧିକବାର ଆଲୋଚନା କରିଥିଲେ ।