ବ୍ରହ୍ମପୁର (ସମୃଦ୍ଧ ଓଡିଶା) ପୁରୀଜିଲ୍ଲା ମାଳତିପାଟପୁର ପରେ ଆଜି ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ପଡ଼ିଆରେ ଏକ ବିଶାଳ ଚାଷୀ ସମାବେଶରେ ଜିଲ୍ଲାର ଲକ୍ଷାଧିକ ଚାଷୀଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ଚାଷୀମାନଙ୍କୁ ‘କାଳିଆ’ ଯୋଜନାରେ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ପାଖରେ ଦେଖିବା ପାଇଁ ଏହି ସମାବେଶରେ ଜିଲ୍ଲାର ୨୨ଟି ବ୍ଲକର ଚାଷୀ ଓ ଜନସାଧାରଣ ଯୋଗ ଦେଇଥିଲେ । ପୂରା ପଡ଼ିଆ ଜନସମୁଦ୍ର ପାଲଟି ଯାଇଥିଲା । ଏପରିକି ଲୋକଙ୍କୁ ପାଦ ରଖିବାକୁ ମଧ୍ୟ ଜାଗା ନଥିଲା । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାବ ବିହଳ ହୋଇ ଚାଷୀ ଭାଇ ଭଉଣୀମାନଙ୍କୁ ନମସ୍କାର ଜଣାଇବା ସହ ଆଜିର ଏହି ସୁନ୍ଦର କାର୍ଯ୍ୟକ୍ରମକୁ ସମସ୍ତଙ୍କୁ ସ୍ୱାଗତ ବୋଲି କହି ଥିଲେ। ମୁଖ୍ୟମନ୍ତ୍ରୀ ଆଜି ୧୧୦୦ କୋଟି ଟଙ୍କାର ପ୍ରକଳ୍ପ ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି । ରଙ୍ଗେଇଲୁଣ୍ଡାରେ ୭୧୬ କୋଟି ଟଙ୍କାର ପ୍ରକଳ୍ପର ଉଦ୍ଘାଟନ ସହ ୨୯୬ କୋଟି ଟଙ୍କାର ପ୍ରକଳ୍ପ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ସମାବେଶରେ ଜିଲ୍ଲାର ୨୨ଟି ବ୍ଲକର ଚାଷୀ ଯୋଗଦେଇଥିଲେ । ଆଜି ବ୍ରହ୍ମପୁରରୁ ଫେରିବା ପରେ ଭୁବନେଶ୍ୱରରୁ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତ କରିବା କାର୍ଯ୍ୟକ୍ରମ ରହିଛି । ସୋମବାର ସକାଳେ ଦିଲ୍ଲୀର ଓଡ଼ିଶା ଭବନରେ ମୁଖ୍ୟମନ୍ତ୍ରୀ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିବେ ବୋଲି ଜଣାପଡ଼ିଛି ।
ରିପୋର୍ଟ: ଜିଲ୍ଳା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା