

ଛତ୍ରପୁର (ସମୃଦ୍ଧ ଓଡିଶା) ଆଜି ଠାରୁ ଆରମ୍ଭ ହୋଇଛି ମାର୍ଗଶିର ମାସ । ବ୍ରହ୍ମପୁରର ସ୍ଵେଚ୍ଛାସେବୀ ସଙ୍ଗଠନ ଟିମ କ୍ଲିନ ସିଟି ପକ୍ଷରୁ ଜାରି ରହିଥିବା ସ୍ୱଚ୍ଛତା ଅଭିଯାନ ବ୍ରହ୍ମପୁରରୁ ଛତ୍ରପୁରରେ ପହଞ୍ଚିଛନ୍ତି । ଆସନ୍ତାକାଲି ଗୁରୁବାର ଦିନରେ ଛତ୍ରପୁର ଠାରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପାଇଁ ଅନୁଧ୍ୟାନ କରିବାକୁ ଟିମର ଦୁଇ ସଦସ୍ୟ ଆଜି ଛତ୍ରପୁର ଆସିଥିବା ବେଳେ ଜିଲ୍ଲା ଅବକାରୀ କାର୍ଯ୍ୟାଳୟ ନିକଟରେ ଜଣେ ପାଗଳ ବ୍ୟକ୍ତିଙ୍କୁ ଦେଖିଥିଲେ । ତୁରନ୍ତ ତାଙ୍କ ସହ ଆଲୋଚନା କରିବା ସହ ତାଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରିବାକୁ ଉଦ୍ୟମ କରିଥିଲେ । କିନ୍ତୁ ସେ କିଛି କହିପାରୁନଥିଲେ ହେଁ ସଫାସୁତୁରା କରିବା ନେଇ ସହମତି ପ୍ରକାଶ କରିଥିଲେ । ପରେ ଟିମର ସଦସ୍ୟମାନେ ଉକ୍ତ ବ୍ୟକ୍ତିଙ୍କ ଜଟ ସଫା କରି, ଗାଧୁଆ ପାଧୁଆ ଓ ଉଭୟ ଗୋଡ ଓ ହାତର ନଖ ସଫା କରିଥିଲେ । ପରେ ଦୀର୍ଘଦିନ ଧରି ଗାଧୋଇ ନଥିବା ଏହି ବ୍ୟକ୍ତିଙ୍କୁ ସଫା କରି ଗାଧୋଇ ଦେଇଥିଲେ । ପରେ ନୂତନ ବସ୍ତ୍ର ପିନ୍ଧାଇ ତାଙ୍କୁ ଖାଇବାକୁ ଦେଇଥିଲେ । ଏହି କାର୍ଯ୍ୟରେ ଛାତ୍ରପୁରର ଆଇନଜୀବୀ ପୁଲିନ ପଟ୍ଟନାୟକ ଓ ସତ୍ୟ ଆଚାର୍ଯ୍ୟ ସହଯୋଗର ହାତ ବଢାଇଥିଲେ । ଏହା ଟିମ କ୍ଲିନ ସିଟିର ୨୫ତମ ଉଦ୍ଧାର କାର୍ଯ୍ୟ । ଆସନ୍ତାକାଲି ଗୁରୁବାର ଛତ୍ରପୁରରେ ଟିମ କ୍ଲିନ ସିଟି ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ସ୍ଥିର ହୋଇଥିବା ଟିମର ବରିଷ୍ଠ ସଦସ୍ୟ ରାଜେଶ କୁମାର ସାହୁ ସୂଚନା ଦେଇଛନ୍ତି ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା

