ବ୍ରହ୍ମପୁର ଉପଜିଲ୍ଲାପାଳ ବିରୁଦ୍ଧରେ ଓକିଲଙ୍କ ଯୁଦ୍ଧମଦେହୀ ଡାକରା…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ଗଞ୍ଜାମ ବାରଆସୋସିଏସନ ତଥା ଓକିଲ ସଂଘ ପକ୍ଷରୁ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ ବ୍ୟବହାରରେ ଉତକ୍ଷିପ୍ତ ହୋଇ ଓକିଲମାନେ ସଂଘବଦ୍ଧ ଭାବରେ ଉପଜିଲ୍ଲାପାଳଙ୍କ ଅଫିସ ଘେରାଉ କରି ଉପଜିଲ୍ଲାପାଳ ଗୋ ବେକ ଓ ଉପଜିଲ୍ଲାପାଳ ଛି ଛି ନାରା ଦେଇ ଏକ ଶୋଭାଯାତ୍ରାରେ ଯାଇ ଉପଜିଲ୍ଲାପାଳ କାର୍ଯ୍ୟାଳୟକୁ ପ୍ରକମ୍ପିତ କରିଥିଲେ । ଉପଜିଲ୍ଲାପାଳଙ୍କ ବିରୁଦ୍ଧରେ ଏକ ଦାବିପତ୍ର ଦକ୍ଷିଣାଞ୍ଚଳ ରାଜସ୍ୱ ଆୟୁକ୍ତ, ମୁଖ୍ୟମନ୍ତ୍ରୀ, ଆଇନମନ୍ତ୍ରୀ, ହାଇକୋର୍ଟ ମୁଖ୍ୟ ବିଚାରପତି ପ୍ରମୁଖଙ୍କ ଉଦ୍ଧେଶ୍ୟରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରଦାନ କରିଥିଲେ । ଓକିଲମାନେ ସଂଘବଦ୍ଧ ଭାବରେ ଦକ୍ଷିଣାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ନିକଟକୁ ଯାଇ ମଧ୍ୟ ଏହି ଦାବିପତ୍ର ପ୍ରଦାନ କରିଥିଲେ । ସୂଚନା ଯୋଗ୍ୟ ଯେ ଦେଶ ଓ ରାଜ୍ୟରେ କରୋନା ଭୁତାଣୁ ସଂକ୍ରମଣର ପ୍ରତିହତ ପାଇଁ ବିଭିନ୍ନ ପ୍ରତିଷେଧକ ବ୍ୟବସ୍ତା ସରକାର ଲାଗୁକରିଥିବା ବେଳେ ଜିଲ୍ଲାରେ ଜିଲ୍ଲାପାଳ ଏହାକୁ କଡାକଡି ପାଳନ ପାଇଁ ନିର୍ଦ୍ଧେଶ ଦେଇଛନ୍ତି । ସେଥିରୁ ପ୍ରତ୍ୟେକ ଲୋକ ବାହାରକୁ ବାହାରିଲେ ମାସ୍କ ପିନ୍ଧିବା ବାଧ୍ୟତା ମୂଳକ କରିଥିବା ବେଳେ ଯେଉଁ ମାନେ ଏହାର ଅବମାନନା କରୁଛନ୍ତି ସେମାନଙ୍କ ଠାରୁ ସାବଧାନତା ପାଇଁ ୨ଶହ ଟଙ୍କା ଜୋରିମାନା ଆଦାୟ କରାଯଉଛି । କିନ୍ତୁ କୋର୍ଟ ପରିସରରେ ଜଣେ ଆଇନଜୀବୀ ମାସ୍କ ନ ପିନ୍ଧିଥିବାରୁ ଉପଜିଲ୍ଲାପାଳ ତାଙ୍କ ଠାରୁ ୨ଶହ ଟଙ୍କା ଆଦାୟ କରିଥିଲେ ଏବଂ ୨ଶହ ଟଙ୍କା ନଦେଲେ ମାମୁଁ ଘରକୁ ପଠେଇଦେବି  ବୋଲି ଧମକ ଦେଇଥିଲେ ବୋଲି ଅଭିଯୋଗ ହୋଇଛି । ଏଥିରେ ଅସନ୍ତୋଷ ହୋଇ ଓକିଲ ମାନେ ସଂଘବଦ୍ଧ ହୋଇ ଏକ ଶୋଭାଯାତ୍ରାରେ ବାହାରି ଗତକାଲି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ତାଙ୍କ ଅଫିସ ଘେରାଉ କରିଥିଲେ । ସ୍ଥାନୀୟ  ପୋଲିସ ପହଞ୍ଚି ଉତ୍ତେଜିତ ପରିସ୍ଥିତିକୁ ଆୟତ୍ତ କରିଥିଲେ । ଉଲ୍ଲେଖ ଯୋଗ୍ୟ ଯେ ପୂର୍ବରୁ ଏଭଳି ଅନେକ ଥର ଉପଜିଲ୍ଲାପାଳ ଓ ଓକିଲଙ୍କ ମଧ୍ୟରେ ବିବାଦ ହୋଇଥିବା ନଜିରୀ ରହିଛି । ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଥିବାବେଳେ ଉପଜିଲ୍ଲାପାଳ ଜଣେ ଓକିଲଙ୍କୁ କଟୁ ମନ୍ତବ୍ୟ ଦେବାରୁ ଉପଜିଲ୍ଲାପାଳ ଅଫିସ ଓ କୋର୍ଟ ତୁମ୍ବି ତୋଫାନରେ ପ୍ରକମ୍ପିତ ହୋଇଥିଲା । ସେ ଉପଜିଲ୍ଲାପାଳଙ୍କୁ ୨୪ ଘଣ୍ଟା ମଧ୍ୟରେ ବଦଳି କରାଯାଇଥିଲା । ଅନ୍ୟପକ୍ଷରେ ମାସ୍କ ପିନ୍ଧିବାକୁ ଜିଲ୍ଲାପାଳ ବାଧ୍ୟବଧକତା କରିଥିବାବେଳେ ଜଣେ ଆଇନଜୀବୀ ହୋଇ ମାସ୍କ ନପିନ୍ଧି ବାହାରକୁ ବାହାରିବା ତଥା କୋର୍ଟ ପରିସରରେ ବୁଲିବା ବୁଦ୍ଧିଜୀବୀ ପସନ୍ଦ କରୁନଥିବାବେଳେ ଉପଜିଲ୍ଲାପାଳ ୨ଶହ ଟଙ୍କା ଜୋରିମାନା ଆଦାୟ ନକରି ପ୍ରଥମେ ସତର୍କ ପାଇଁ ଏଣିକି ପିନ୍ଧି ଆସିବା ନିମନ୍ତେ କହିଥିଲେ ଭଲ ହୋଇଥାନ୍ତା ବୋଲି କେତେ ବୁଦ୍ଧିଜୀବୀ ମତ ପ୍ରକାଶ କରିଛନ୍ତି ।ଅନ୍ୟପକ୍ଷରେ ଆମ ସ୍ୱତନ୍ତ୍ର ପ୍ରତିନିଧି ଜଣାଇଛନ୍ତି ଯେ ଗଂଜାମ ଓକିଲ ସଙ୍ଘର ସମସ୍ତ ଆଇନଜୀବୀ ଯେଭଳି ଭାବରେ ଏକତା ଦେଖାଇଲେ ତାହା ନିହାତି ଭାବେ ଚିର ସ୍ମରଣୀୟ ହୋଇ ଓ ଭବିଷ୍ୟତରେ ଓକିଲମାନେ ସୁରକ୍ଷିତ ହୋଇ ରହିବେ ବୋଲି ଜନୈକ ଆଇନଜୀବୀ କହିଛନ୍ତି । କୋର୍ଟ ପରିସରରେ ଜଣେ ଆଇନଜୀବୀଙ୍କୁ ମାସ୍କ ନ ପିନ୍ଧି ଥିବା ଯୋଗୁଁ ଵ୍ରହ୍ମପୁର ଉପଜିଲ୍ଲାପାଳ ଜରିମାନା ପକାଇବା ସହ ତାଙ୍କୁ ଜେଲକୁ ପଠେଇ ଦେଵି ବୋଲି ଯେମିତି ଚେତାବନୀ ଦେଲେ ତାହା ଜଣେ ଅଫିସର ପାଇଁ ଉଚିତ ନୁହେଁ ବୋଲି ସେ କହିଛନ୍ତି । ପରବର୍ତୀ କାର୍ଯ୍ୟପନ୍ଥା ସଙ୍ଘର ବରିଷ୍ଠ ଏବଂ ଯୁବ ଆଇନଜୀବିମାନେ ଆଲୋଚନା କରି ନିଷ୍ପତ୍ତି ନେବା ସହ ତହସିଲଦାର ଏବଂ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ନାରାବାଜି କରି ଦକ୍ଷିଣାଞ୍ଚଳ ରାଜସ୍ବ ଆୟୁକ୍ତଙ୍କ ସଚିବଙ୍କୁ ବିହିତ କାର୍ଯ୍ୟନୁଷ୍ଠାନ ପାଇଁ ସ୍ମାରକପତ୍ର ଦେଇ ଆସିଲେ ବୋଲି କହିଛନ୍ତି । ଏହି ସ୍ମାରକପତ୍ରର ନକଲ ମାନ୍ୟବର ଉଚ୍ଚ ନ୍ୟାୟାଳୟର ମୂଖ୍ୟ ବିଚାରପତି ଏବଂ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ମଧ୍ୟ ଉପଯୁକ୍ତ କାର୍ଯ୍ୟନୁଷ୍ଠାନ ପାଇଁ ପଠାଯାଇଛି ବୋଲି ସେ କହିଛନ୍ତି । ଏହିପରି ଆଇନଜୀବୀମାନେ ଲକଡାଉନ ସମୟରେ ଏକତ୍ରିତ ହେବା ନିହାତି ଭାବେ ଓକିଲମାନଙ୍କ ମଧ୍ୟରେ ଥିବା ଭାଇଚାରାର ଏକ ପ୍ରତିଫଳନ ବୋଲି ସେ କହିଛନ୍ତି । ତେବେ ଜଣେ ଓକିଲ ଭାଇ ପ୍ରତି ଜଣେ ଅଫିସରର ଧମକ ଭଳି ପରିସ୍ଥିତିରେ ମଧ୍ୟ କିଛି ଆଇନଜୀବି ନିଜକୁ ଅତି ଗର୍ବ ଅନୁଭବ କରି ବିଭିନ୍ନ ସଫେଇ ଦେଇ ଏ ଭଳି ପରିସ୍ଥିତିରେ ଦେଖା ଦେଲେନି ଯାହା କି ଦୁଃଖ ଦାୟକ ବୋଲି କହିଛନ୍ତି । ସେମାନେ କେବଳ ଫେସ ବୁକ ଏବଂ ୱାଡସପରେ ନିଜକୁ ସୀମିତ ରଖି ଏ ଗୁଡିକୁ ଦେଖି ଟାହି ଟାପର କରିବାରେ ବ୍ୟସ୍ତ ରହିଛନ୍ତି । ତେଣୁ ଏହିପରି ବ୍ୟକ୍ତିଙ୍କୁ ଗଞ୍ଜାମ ଓକିଲ ସଂଘ କେବେ ମଧ୍ୟ ପ୍ରଶ୍ରୟ ଦେବନି ବୋଲି କହିଛନ୍ତି । ଏମାନଙ୍କ ଭଳି ସ୍ୱାର୍ଥପର ଲୋକ ଓକିଲଙ୍କ ପ୍ରତି ହିତକର ନୁହେଁ । ତେଣୁ ଏମାନଙ୍କ ଭଳି କିଛି ଆଇନଜୀବୀଙ୍କୁ ନିର୍ଵାଚନ ସମୟରେ ଉଚିତ ଜବାବ ଦେବାର ଆବଶ୍ୟକତା ରହିଛି ବୋଲି କିଛି ଓକିଲ କ୍ଷୋଭ ପ୍ରକାଶ କରିଥିଲେ । ବହୁ ବରିଷ୍ଠ ଆଇନଜୀବୀ ଯୁବ ଆଇନଜୀବୀଙ୍କ ସପକ୍ଷରେ ଅଛନ୍ତି । ତାହା ଆମ ପାଇଁ ଆଶ୍ରିବାଦ ସଦୃଶ୍ୟ । ତେଣୁ ଆମ ଓକିଲ ସଂଘରେ ନିଜକୁ ସଚୋଟ ଏବଂ ଭଦ୍ର ରୂପ ଦେଖାଇ ସ୍ୱାର୍ଥପର ଆଇନଜୀବୀଙ୍କ ଅସଲ ମୁଖା ଖୋଲିଛି ବୋଲି ସେମାନେ କହିଛନ୍ତି । ତୁରନ୍ତ ଏହିଭଲି ଆଇନଜୀବୀଙ୍କୁ ଦୁରେଇ ରଖବାକୁ ହେବ ବୋଲି ଦୁଃଖର ସହ ସେମାନେ କହିଛନ୍ତି । ପୁଣି ଥରେ ମୁଁ ସଙ୍ଘର ସମସ୍ତ ଆଇନଜୀବୀଙ୍କୁ କୃତଜ୍ଞତା ଜଣାଉଛି । ଓକିଲଙ୍କ ସମସ୍ୟାରେ ଆମେ ସବୁବେଳେ ଏକ ବୋଲି ଏହି ସାମାଜିକ ଚିନ୍ତାଧାରାର ଓକିଲମାନେ କହିଛନ୍ତି ।

ରିପୋର୍ଟ:ସୁମୀତ କୁମାର ପଟ୍ଟନାୟକ , ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା