ଏଆଇସିସି ଓ ପିସିସି ନେତାଙ୍କ ବ୍ରହ୍ମପୁର ଗସ୍ତ ନେଇ ବିଜେଡି ବିଜେପି ଛାନିଆଁ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଅଚାନକ ଏଆଇସିସି ଓ ପିସିସିନେତାଙ୍କ ବ୍ରହ୍ମପୁର ଗସ୍ତ ନେଇ ବିଜେଡି ବିଜେପି ଛାନିଆଁ ହୋଇଥିବା ଜଣାପଡିଛି । ଏକଦା ବ୍ରହ୍ମପୁର ତଥା ଗଞ୍ଜାମ ଜିଲ୍ଲା ଦୀର୍ଘ ବର୍ଷ ଧରି କଂଗ୍ରେସ ଦଳର ଅକ୍ତିଆରରେ ରହି ଆସି ଥିଲା । କିନ୍ତୁ ଗଞ୍ଜାମ ଜିଲ୍ଲାର ବରପୁତ୍ର ବିଜୁ ବାବୁ ଙ୍କ ପୁତ୍ର ନବୀନବାବୁ ଯୋଗୁଁ ଗତ ଦଶ ବର୍ଷ ହେଲା ବ୍ରହ୍ମପୁର କଂଗ୍ରେସକୁ ହରାଇ ବସିଛି । ସେଥିପାଇଁ ରାଜ୍ୟସ୍ତରୀୟ ନେତାମାନଙ୍କ ମୁଣ୍ଡବ୍ୟଥାର କାରଣ ହୋଇଛି । ପୁଣି ସେହି ପୂର୍ବ ଗୌରବକୁ ଫେରାଇ ଆଣିବାକୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ବ୍ରହ୍ମପୁରରେ ଆସି ପହଞ୍ଚିଛନ୍ତି । ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ବ୍ରହ୍ମପୁର ଗସ୍ତରେ ଜାତୀୟ ସ୍ତରୀୟ ନେତା ଜିତେନ୍ଦ୍ର ସିଂ ଓ ରାଜ୍ୟ ସ୍ତରୀୟ ନେତା ନିରଞ୍ଜନ ପଟ୍ଟନାୟକ,ପ୍ରଦୀପ ମାଝୀ ପ୍ରମୁଖଙ୍କୁ ସ୍ୱାଗତ କରାଯାଇଛି । ଏଥିରେ ଅଖିଳ ଭାରତ କଂଗ୍ରେସ କମିଟି ସାଧାରଣ ସମ୍ପାଦକ ତଥା ଓଡିଶା ପର୍ଯ୍ୟବେକ୍ଷକ ଜିତେନ୍ଦ୍ର ସିଂ ଙ୍କ ସହିତ ରାଜ୍ୟ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଉପସଭାପତି ପ୍ରଦୀପ ମାଝୀ ରହିଛନ୍ତି । ବାପୁଜୀ ଆଶ୍ରମ ତଥା କଂଗ୍ରେସ କାର୍ଯ୍ୟାଳୟରେ ଏକ ସାଧାରଣ ବୈଠକର ଆୟୋଜନ କରାଯାଇଥିଲା । ଏହି ବୈଠକରେ ବିଜେପି ଓ ବିଜେଡିର ବିଭିନ୍ନ ଦୁର୍ନୀତି ଓ ନେତାମାନଙ୍କର ମିଥ୍ୟା ପ୍ରତିଶୃତି ସମ୍ପର୍କରେ କଂଗ୍ରେସ କର୍ମୀ ମାନଙ୍କୁ ସଚେତନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ତ୍ରିନାଥ ବେହେରାଙ୍କ ଅଧ୍ୟକ୍ଷତା କରିଥିଲେ । ଏଥିରେ ଚାରୋଟି ଜିଲ୍ଲାର ଜିଲ୍ଲା ପ୍ରତିନିଧି ମାନେ ଯୋଗ ଦେଇଥିଲେ । ଗଞ୍ଜାମ ଜିଲ୍ଲାର ତେରଟି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ସମସ୍ତ ପ୍ରତିନିଧି ମାନଙ୍କୁ ନେଇ ଆଗାମୀ ଦିନରେ ଏହି ଜିଲ୍ଲାରେ କିପରି ପୁଣି କଂଗ୍ରେସର ପୂର୍ବ ଗୌରବ ଫେରାଇ ଅଣାଯିବ ସେ ନେଇ ଆଲୋଚନା ହୋଇଥିଲା । ସମସ୍ତ କଂଗ୍ରେସ କର୍ମୀ ମାନେ ଏକତ୍ରୀତ ହୋଇ କଂଗ୍ରେସକୁ ସୁଦୃଢ କରିବା ପାଇଁ ଏହି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା । କଂଗ୍ରେସ ବରିଷ୍ଠ ନେତା ପିତବାସ ପଣ୍ଡାଙ୍କ ନେତୃତ୍ଵରେ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମର ଆୟୋଜନ କରା ଯାଇ ଥିଲା । ଏଥିରେ ପ୍ରମୋଦ କୁମାର ଜେନା, ଭୋକିଲି ସେଠୀଙ୍କ ସମେତ ଜିଲ୍ଲାର ବହୁ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ ଆଗାମୀ ଦିନରେ କିପରି କଂଗ୍ରେସକୁ ମଜଭୁତ କରାଯାଇ ପାରିବ ସେ ନେଇ ସମସ୍ତେ ଶପଥ ନେଇଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା