ବ୍ରହ୍ମପୁର(ସମୃଦ୍ଧଓଡିଶା)ବ୍ରହ୍ମପୁର ଗ୍ରସ୍ତରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପ୍ରମୋଦ କୁମାର ମିଶ୍ର ଆସିଛନ୍ତି । ଏହି ଅବସରରେ ମା’ ତାରାତାରିଣୀଙ୍କ ଦର୍ଶନ କରି ନିଜକୁ ଧନ୍ୟ ମନେ କରିଥିଲେ ଏବଂ ସେଠାର ଉନ୍ନୟନ ମୂଳକ କାର୍ଯ୍ୟକୁ ଅନୁଧ୍ୟାନ କରିଥିଲେ । ସେ ବ୍ରହ୍ମପୁର ସହରର ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ (ଆଇଟିଆଇ)କୁ ମଧ୍ୟ ପରିଦର୍ଶନ କରି ଥିଲେ । ଏହି ଅବସରରେ ବିଦ୍ୟାର୍ଥୀଙ୍କ ସହିତ ଆଲୋଚନା କରିଥିଲେ ପି କେ ମିଶ୍ର । ଗତକାଲି ପି କେ ମିଶ୍ର ପ୍ରଥମେ ବ୍ରହ୍ମପୁର ସହରରୁ ସିଧାସଳଖ ମା’ ତାରାତାରିଣୀଙ୍କ ପୀଠରେ ପହଞ୍ଚି ପରିବାର ସହିତ ଦର୍ଶନ କରିଥିଲେ । ସେଠାରେ ପ୍ରାୟ ୩୦ ମିନିଟ୍ ଧରି ରହିବା ସହିତ ପୁଜାର୍ଚ୍ଚନା ମଧ୍ୟ କରିଥିଲେ । ମା’ଙ୍କ ପୀଠରେ କିପରି ଚାଲିଛି ସରକାରଙ୍କ ଉନ୍ନୟନ ମୂଳକ କାଯ୍ୟ ତାହାକୁ ବୁଲି ଦେଖିବା ସହ ଉପସ୍ଥିତ ଅଧିକାରୀମାନଙ୍କୁ ପଚାରି ବୁଝିଥିଲେ । ରୁଷିକୁଲ୍ୟା ନଦୀ କୂଳର ପ୍ରାକୃତିକ ମନୋହର ଦୃଶ୍ୟକୁ ମଧ୍ୟ ଉପଭୋଗ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବଙ୍କ ଗ୍ରସ୍ତ ପରେ ପୀଠର ଆହୁରି ଉନ୍ନତି ହେବ ବୋଲି ଆଶା କରିଛନ୍ତି ମୁଖ୍ୟ ପୂଜକ ବାପୁଜି ରଣା । ଏହି ଗ୍ରସ୍ତ ସମୟରେ ଭକ୍ତଙ୍କ ପାଇଁ ସୁବିଧା, ଯାତ୍ରୀଙ୍କ ପାଇଁ ରହିବା ସ୍ଥଳୀ, ସୌନ୍ଦର୍ଯ୍ୟକରଣ କାର୍ଯ୍ୟ କିଭଳି ଶେଷ ହେବ ସେ ନେଇ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ ପି.କେ ମିଶ୍ର । ମା ତାରାତାରିଣୀ ଉନ୍ନୟନ ପରିଷଦର ସମ୍ପାଦକ ପ୍ରମୋଦ କୁମାର ପଣ୍ଡା , ଜିଲ୍ଲାପାଳ ଶ୍ରୀ ଦିବ୍ୟଜ୍ୟୋତି ପରିଡ଼ାଙ୍କ ସମେତ ଅନ୍ୟାନ ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।
ରିପୋର୍ଟ : ନିମାଇଁ ପଣ୍ଡା